ଭୋଟ ଅପେକ୍ଷାରେ ବିତିଲା ୬ ବର୍ଷ; ହାଇକୋର୍ଟରେ ଝୁଲିଛି SMC ନିର୍ବାଚନ
Advertisement
Article Detail0/zeeodisha/odisha1053136

ଭୋଟ ଅପେକ୍ଷାରେ ବିତିଲା ୬ ବର୍ଷ; ହାଇକୋର୍ଟରେ ଝୁଲିଛି SMC ନିର୍ବାଚନ

ବିରୋଧୀ ଦଳ ଗୁଡିକ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ନିର୍ବାଚନ ହେଉନଥିବା ଓ ବର୍ତ୍ତମାନ ମହାନଗର ନିଗମରେ ବାବୁରାଜ ଯୋଗୁଁ ଉନ୍ନତି ହୋଇ ପାରୁନି ବୋଲି ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ସରକାର ପୌରାଞ୍ଚଳ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ହାଇକୋର୍ଟ (Odisha High Court) ରେ ମାମଲା ବିଚାରାଧୀନ ଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବା ନେଇ ସମ୍ଭାବନା ଦେଖାଯାଉନାହିଁ।

ଡିଜାଇନ୍ ଫଟୋ

ସମ୍ବଲପୁର: ଛଅ ବର୍ଷ ସରିଗଲା, କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ?
ଏଭଳି ପ୍ରଶ୍ନ ଏବେ ସମ୍ବଲପୁରବାସୀଙ୍କ ମନରେ ଆନ୍ଦୋଳିତ ହେଉଛି। କିଛି ମାସ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳରେ ମୁନିସିପାଲିଟି ଏବଂ ମହାନଗର ନିଗମ ନିର୍ବାଚନ ହେବ। କିନ୍ତୁ ଦୀର୍ଘ ବର୍ଷ ହେବ ସମ୍ବଲପୁର ମହାନଗର ନିଗମର ନିର୍ବାଚନ କୋର୍ଟ କଚେରୀ ମାମଲାରେରେ ଛନ୍ଦି ହୋଇ ପଡିରହିଛି।

ସମ୍ବଲପୁର (Sambalpur) ହେଉଛି ପଶ୍ଚିମ ଓଡିଶାର (Western Odisha) ପ୍ରାଣକେନ୍ଦ୍ର। ୨୦୧୩ ନଭେମ୍ବର ମାସରେ ସମ୍ବଲପୁର ସହରକୁ ମହାନଗର ନିଗମର (Municipal Corporation) ମାନ୍ୟତା ମିଳିଥିଲା। ତେବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମର ପୌର ନିର୍ବାଚନ ହୋଇପାରି ନାହିଁ। ବୁର୍ଲା (Burla) ରେ ମତଦାତାଙ୍କ ଅନୁସାରେ, ୱାର୍ଡ ସଂରକ୍ଷଣ ହୋଇନଥିବା ଅଭିଯୋଗ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଉ ଏହି ମାମଲା ଆଜି ପର୍ଯ୍ୟନ୍ତ କୋର୍ଟରେ ଗଡୁଛି। ସେଥିପାଇଁ ମହାନଗର ନିଗମର ଘୋଷଣାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ବାଚନ ହୋଇ ପାରିନାହିଁ। 

Also Read: ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନି ଲୋକସମ୍ପର୍କ ବିଭାଗ!

ବିରୋଧୀ ଦଳ ଗୁଡିକ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ନିର୍ବାଚନ ହେଉନଥିବା ଓ ବର୍ତ୍ତମାନ ମହାନଗର ନିଗମରେ ବାବୁରାଜ ଯୋଗୁଁ ଉନ୍ନତି ହୋଇ ପାରୁନି ବୋଲି ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ସରକାର ପୌରାଞ୍ଚଳ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ହାଇକୋର୍ଟ (Odisha High Court) ରେ ମାମଲା ବିଚାରାଧୀନ ଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବା ନେଇ ସମ୍ଭାବନା ଦେଖାଯାଉନାହିଁ। ୨୦୧୩ ନଭେମ୍ବର ୧୫ରେ ସମ୍ବଲପୁରକୁ ରାଜ୍ୟ ସରକାର ମହାନଗର ନିଗମର ମାନ୍ୟତା ଦେଇଥିଲେ। ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପାଇଁ ୧୫ ଜାନୁଆରୀ ୨୦୧୫ରେ ଗେଜେଟ ନୋଟିଫିକେସନ ଜାରି କରିଥିଲେ। ୧୩ ଫେବୃଆରୀ ୨୦୧୫ରେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ତାଲିକା ପ୍ରକାଶ ପାଇଥିଲା।

ସେପଟେ ସମ୍ବଲପୁର ପୌର ପରିଷଦରେ ବୁର୍ଲା ଏନଏସି ଓ ହୀରାକୁଦ ଏନଏସି ସହ ଧନକଉଡା ଓ ମାନେଶ୍ବରର ୧୨ଟି ପଞ୍ଚାୟତର ୫୬ଟି ଗାଁକୁ ନେଇ ମହାନଗରର ୪୧ ୱାର୍ଡ ଗଠନ ହୋଇଥିଲା। ତେବେ ବୁର୍ଲାର ଅଜୟ ମହାନ୍ତି ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ମହାନଗର ନିଗମ ସଂରକ୍ଷଣ ବ୍ୟବସ୍ଥା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା (PIL) ଦାଏର କରିବା ପରେ ହାଇକୋର୍ଟ ପୌର ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଏହା ପରେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମରେ ପୌର ନିର୍ବାଚନ ହୋଇପାରିନାହିଁ। ଫଳରେ ଜନପ୍ରତିନିଧିଙ୍କ ଅନୁପସ୍ଥିତିରେ ଉନ୍ନୟନମୂଳକ କାର୍ଯ୍ୟ ସବୁ ଧିମେଇ ଯାଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରି ଆସୁଛନ୍ତି। ରାଜ୍ୟ ସରକାର ଜାଣି ଶୁଣି ସମ୍ବଲପୁରରେ ବାବୁ ରାଜ ଚଳେଇଛନ୍ତି ବୋଲି ରେଙ୍ଗାଲି ବିଧାୟକ, ନାଉରୀ ନାୟକ କହିଛନ୍ତି।

Also Read: ବଢ଼ିଲା ତପସ୍ୱିନୀଙ୍କ ଅଡୁଆ; ଶ୍ୱଶୁର ଦେଲେ ଏତଲା, ବ୍ରହ୍ମାନଗରରେ ୧୪୪ ଧାରା

ଅନ୍ୟପଟେ ୬ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମର ବାବୁରାଜ ଜାରି ରହିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ନିକଟ ଭବିଷ୍ୟତରେ ନିର୍ବାଚନ ହେବାର ନାହିଁ ପରି ଦେଖାଯାଉଛି। ଠିକ ସମୟରେ ନିର୍ବାଚନ ହୋଇଥିଲେ ଏବେ ୫ ବର୍ଷିଆର ଗୋଟିଏ ଅବଧି ସରିଯାଇଥାନ୍ତା। ଖାଲି ଏତିକି ନୁହେଁ ମହାନଗର ଅଧୀନକୁ ଆସିଥିବା ୧୨ଟି ପଞ୍ଚାୟତର ୫୬ଟି ଗାଁରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇଯାଇଛି। ଏପରି ସ୍ଥଳେ କେବେ ହେବ ମହାନଗର ନିଗମ ନିର୍ବାଚନ ତାହାକୁ ଅପେକ୍ଷା କରିଛନ୍ତି ମହାନଗର ନିଗମବାସୀ। ସାଧାରଣରେ ଅସନ୍ତୋଷ ବଢୁଥିବା ବେଳେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ଏବଂ ପୌରନିର୍ବାଚନ ମଧ୍ୟ ହେବ ବୋଲି ବିଜେଡି ପର୍ଯ୍ୟବେକ୍ଷକ, ନଳିନୀ ପ୍ରଧାନ କହିଛନ୍ତି।