)
ବ୍ରହ୍ମପୁର: ରାଜ୍ୟର ବହୁ ଚର୍ଚ୍ଚିତ ବିବାହ ବିବାଦ ମାମଲାର ପୀଡିତା କୁହାଯାଉଥିବା ତପସ୍ୱିନୀ ଦାଶ ଓରଫ ଡିମ୍ପଲଙ୍କ ଅଡୁଆ ବଢିଛି। ସୋମବାର ସନ୍ଧ୍ୟାରେ ସୁମିତଙ୍କ ଘର ଆଗରେ ତପସ୍ୱିନୀଙ୍କ ସମର୍ଥକ ପ୍ରଦର୍ଶନ କରିବା ଓ ତାଙ୍କ ଗେଟ୍ ଭାଙ୍ଗିବା ମହଙ୍ଗା ପଡିଛି। ଏହି ଘଟଣାକୁ ନେଇ ସୁମିତଙ୍କ ବାପା ପ୍ରମୋଦ ସାହୁ, ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିବା ବେଳେ ବ୍ରହ୍ମପୁରର ବ୍ରହ୍ମାନଗରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଲାଗିଛି।
ଓଡ଼ିଶା ଇତିହାସରେ ପ୍ରଥମ ଥର ପ୍ରଶାସନ ବିବାହ ବିବାଦରୁ ଧାରା ୧୪୪ ଜାରି କରିଛି। ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲା ହିଂସାତ୍ମକ ରୂପ ନେଇଥିଲା। ତପସ୍ୱିନୀଙ୍କ ସମର୍ଥନରେ ଶତାଧିକ ମହିଳା ଏକତ୍ରୀତ ହୋଇ ସୁମିତଙ୍କ ଘରର ଗେଟ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆଉ ଏଥିରେ ଭୟଭିତ ହୋଇ ସୁମିତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି। ସେପଟେ ପୋଲିସ ସୋମବାର ସନ୍ଧ୍ୟାର ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ରହ୍ମାନଗରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି।
ଭିଡ଼ ନିୟନ୍ତ୍ରଣ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ୧୪୪ ଧାରା ଲାଗୁ କରିଛି। ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ନିବେଦନ କ୍ରମେ SDM ଉପ ଜିଲ୍ଲାପାଳଙ୍କ ନିକଟରୁ ସୋମବାର ବିଳମ୍ବିତ ରାତିରେ ଅନୁମତି ମିଳିବା ପରେ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଘର ଭିତରେ ସୁମିତଙ୍କ ଜେଜେ ମା ଓ ମାଆ ଅସୁସ୍ଥ ରହିଥିବାବେଳେ ତପସ୍ବିନୀ ତାଲା ପକାଇ ବନ୍ଦୀ କରି ରଖିଥିବା ସୁମିତ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏହାସହ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଲାଗି ସେ ନିବେଦନ କରିଛନ୍ତି।
ସୁମିତ କହିଛନ୍ତି, 'ସୋମବାର ରାତିରେ ତପସ୍ୱିନୀ ଦାଶ ଆଉ ପ୍ରମିଳା ତ୍ରିପାଠି ଲୋକ ଲଗେଇ ଆମ ଘର ଭାଙ୍ଗି ଭିତରେ ପଶିଗଲେ। ସବୁ କଛି ପୋଲିସର ସାମ୍ନାରେ ହେଇଛି, ପୋଲିସ କିଛି କରିଲେନାହିଁ। ଲୋକମାନେ ଘରେ ପଶି ଧମକ ଦେଉଥିବା ଶୁଣିବାକୁ ଓ ଦେଖିବାକୁ ମିଳିଛି। ମୋର ଓକିଲ ମଧ୍ୟ ପରିବାରକୁ ଭେଟିବାକୁ ଯାଇଥିଲେ କିନ୍ତୁ ତାଙ୍କୁ ସେମାନେ ଛାଡିଲେ ନାହିଁ। ଆପଣ ନିଜେ ଭାବନ୍ତୁ ମୋର ପରିବାରର କଣ ହେଉଥିବ। ଘରେ ମାଁ, ବାପା ଓ ଜଜେମା ଅଛନ୍ତି। ସମସ୍ତଙ୍କ ଦେହ ଅସୁସ୍ଥ। ଏସବୁ କରି କଣ ମିଳୁଛି। ସେମାନେ କୋର୍ଟ ଓ ନିୟମ ବିରୁଦ୍ଧରେ ଯାଉଛନ୍ତି। ଘର ଭିତରକୁ କାହିଁକି ଯାଉଥିଲେ? ଯଦି ତାଙ୍କର ଅଧିକାର ଅଛି ତେବେ କୋର୍ଟରେ ଲଢନ୍ତୁ?'