ଭାଇରାଲ ଭିଡ଼ିଓରେ ଭୀମସାରର ଜରୁରୀକାଳୀନ ବିଭାଗର କିଛି କର୍ମଚାରୀ ରୋଗୀ ପରିଜନଙ୍କୁ ଏକ ଭୀମସାରର ସିଲ ଲାଗିଥିବା ଓ ରୋଗୀଙ୍କ ନାମ ଲେଖାଥିବା ଏକ ରସିଦ ଦେଇ ୧୦୦ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି।
Trending Photos
ସମ୍ବଲପୁର: ବୁର୍ଲା ଭୀମସାର ଜରୁରୀକାଳୀନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ୧୦୦ରୁ ୨୦୦ ଟଙ୍କା ଲେଖାଏଁ ଅସୁଲ କରାଯାଉଛି। ତାହା ପୁଣି ଡାକ୍ତରଙ୍କ ନାମରେ। ଏଭଳି କିଛି ଅଭିଯୋଗ ଓ ରସିଦର ଫୋଟୋ ଭିଡ଼ିଓ, ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି।
ଭାଇରାଲ ଭିଡ଼ିଓରେ ଭୀମସାରର ଜରୁରୀକାଳୀନ ବିଭାଗର କିଛି କର୍ମଚାରୀ ରୋଗୀ ପରିଜନଙ୍କୁ ଏକ ଭୀମସାରର ସିଲ ଲାଗିଥିବା ଓ ରୋଗୀଙ୍କ ନାମ ଲେଖାଥିବା ଏକ ରସିଦ ଦେଇ ୧୦୦ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି। ଯେଉଁ ରସିଦକୁ ଏହି ଅସାଧୁ କର୍ମଚାରୀମାନେ ଗେଟପାସ କହି ଅସହାୟ ରୋଗୀ ପରିଜନଙ୍କୁ ଦେଇ ତାଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଜଣାପଡୁଛି। ତେବେ ରୋଗୀ ପରିଜନଙ୍କ ଠାରୁ କାହା ନିର୍ଦ୍ଦଶରେ ଏହି ଅର୍ଥ ଆଦାୟ ହେଉଛି ଏବଂ ଏହି ଅର୍ଥ କେଉଁଠିକୁ ଯାଉଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି।
Also Read: ବୁର୍ଲାରେ black fungus ଆତଙ୍କ! ଜୀବନ ହାରିଲେଣି ଦୁଇ, ଚିକିତ୍ସିତ ହେଉଛନ୍ତି ୨୪
ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଖବରକାଗଜର ଶିରୋନାମା ପାଲଟିଥିବା ବୁର୍ଲା ଭୀମସାର ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭୀମସାରରେ ନିୟୋଜିତ ବିବାଦୀୟ ସୁରକ୍ଷାକର୍ମୀ ଓ ସୁରକ୍ଷାସଂସ୍ଥା ବିରୁଦ୍ଧରେ ଆସିଥିବା ଏକାଧିକ ମାମଲାର ଆଜି ସୁଦ୍ଧା କୌଣସି ସମାଧାନ ହୋଇନଥିବା ବେଳେ, ପୁଣି ଏକ ଘଟଣା ମୁଣ୍ଡଟେକିଛି। ଭୀମସାରକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କ ଠାରୁ ଜୋର ଜବରଦସ୍ତି ବେଆଇନ ଭାବରେ ଅର୍ଥ ଆଦାୟ ହେଉଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି।
ଗୋଟାଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀସେବା ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା ଅବଲମ୍ବନ କରିବା ସହିତ ରୋଗୀ ପରିଜନମାନଙ୍କ ପାଇଁ ଅନେକ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯାଉଛି। ହେଲେ ଭୀମସାରରେ ନିୟୋଜିତ କିଛି ଅସାଧୁ କର୍ମଚାରୀ ଭୀମସାରରେ ରୋଗୀ ପରିଜନଙ୍କ ଠାରୁ ବେଆଇନ ଭାବେ ଟଙ୍କା ଅସୁଲ କରୁଥିବା ଅଭିଯୋଗ ହୋଇଛି। ସତରେ ଏହି ଟଙ୍କା ଡାକ୍ତର ନେଉଛନ୍ତି ନା ଅସାଧୁ କର୍ମଚାରୀ ସିଲ ମାରି ଟଙ୍କା ଆଦାୟ କରୁଛନ୍ତି ତାହା ପ୍ରକୃତ ତଦନ୍ତ ହେଲେ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।