)
ଅମରାବତୀ: ଅମରାବତୀ ଔଷଧ ଦୋକାନୀ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। କେବେଳ ଦୁଇଟି ଜିନିଷ ପାଇବା ପାଇଁ ଉମେଶ କୋଲ୍ହେଙ୍କୁ ହତ୍ୟା କରାଯାଇଛି। ୧୦ ହଜାର ଟଙ୍କା ଏବଂ ମୋଟରସାଇକେଲ ନେଇ ଉମେଶ କୋଲହେଙ୍କୁ ୫ ଅଭିଯୁକ୍ତ ହତ୍ୟା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଆରତୀ ସିଂ ଏହି ସୂଚନା ଦେଇଛନ୍ତି। ଏଥି ସହ ସାଂସଦ ନବନୀତ୍ ରାଣାଙ୍କ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ପୋଲିସ କମିଶନର କହିଛନ୍ତି।
ପୋଲିସ କମିଶନର ଆରତୀ ସିଂ ସୋମବାର କହିଛନ୍ତି ଯେ, ନୁପୂର ଶର୍ମାଙ୍କୁ ସମର୍ଥନ ଓ ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ହତ୍ୟା ମଧ୍ୟ ଲିଙ୍କ ଥିବା ମହାରାଷ୍ଟ୍ରର ଅମରାବତୀ ପୋଲିସ ଆଗରୁ ଜଣିଥିଲା, କିନ୍ତୁ ମାମଲାର ଅତ୍ୟଧିକ ସମ୍ବେଦନଶୀଳ କାରଣରୁ ଏହା ପୂର୍ବରୁ ପ୍ରକାଶ କରାଯାଇ ନଥିଲା। ପ୍ରାଥମିକ ତଦନ୍ତରେ ଜଣାପଡିଥିଲା ଯେ, ପୂର୍ବତନ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ସମର୍ଥନ କରିବାରୁ କୋଲ୍ହେଙ୍କୁ ହତ୍ୟା କରାଯାଇଥିଲା।
ଉମେଶ କୋଲ୍ହେଙ୍କ ହତ୍ୟାକାଣ୍ଡରେ ପୋଲିସ ଏପର୍ଯ୍ୟନ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଅଷ୍ଟମ ଅଭିଯୁକ୍ତ ଶାମୀମ ମଧ୍ୟ ପୋଲିସ ରାଡାରରେ ଅଛି। ଏହି ମାମଲାରେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ଏବଂ ତିନୋଟି ଚୀନ ନିର୍ମିତ ଛୁରୀ ମଧ୍ୟ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରୁଛୁ। ଉମେଶ କୋଲ୍ହେଙ୍କୁ ହତ୍ୟା କରିବା ପାଇଁ ଇର୍ଫାନ, ପାଞ୍ଚ ଅଭିଯୁକ୍ତଙ୍କୁ ଦଶ ହଜାର ଟଙ୍କା ଏବଂ ଗୋଟିଏ ମୋଟରସାଇକେଲ ଦେଇଥିଲା ବୋଲି ଆରତୀ ସିଂ ସୂଚନା ଦେଇଛନ୍ତି।
ଆରତୀ ସିଂ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଆଇପିସିର ଧାରା ୩୦୭ ଅନୁଯାୟୀ ବିଧାୟକ ରବି ରାଣାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେଣୁ ସାଂସଦ ନବନୀତ୍ ରାଣା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରୁଛନ୍ତି। ସାଂସଦ ନବନୀତ୍ ରାଣାଙ୍କ ଅଭିଯୋଗକୁ ପୋଲିସ କମିଶନର ଭିତ୍ତିହୀନ ବୋଲି କହିଛନ୍ତି। ସାଂସଦ ନବନୀତ୍ ରାଣା ଅମରାବତୀ ପୋଲିସ କମିଶନର ମାମଲାକୁ ଚପାଇ ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଡକାୟତିର ତଦନ୍ତ କରାଯାଇଥିବା ମଧ୍ୟ ସାଂସଦ କହିଛନ୍ତି।
ଅନ୍ୟପଟେ, ପୋଲିସ କମିଶନର ଆରତୀ ସିଂ, ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବିବାଦୀୟ ପୋଷ୍ଟ ଭାଇରାଲ ହେବା ପରେ ଅମରାବତୀ ସହରର ତିନି ଜଣଙ୍କୁ ଧମକ ଦିଆଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜଣେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଦୁଇ ଜଣ ଆଗକୁ ଆସିବାକୁ ପ୍ରସ୍ତୁତ ହେଉନାହାନ୍ତି। ତେବେ ମୃତ ଉମେଶ ଏକ ହ୍ୱାଟ୍ସଆପ ଗ୍ରୁପରେ ନୁପୂର ଶର୍ମାଙ୍କ ସହ ଜଡିତ ପୋଷ୍ଟ ସେୟାର କରିଥିଲେ। ସେହି ଗ୍ରୁପରେ ମୁସଲମାନମାନେ ମଧ୍ୟ ସଦସ୍ୟ ଥିଲେ ବୋଲି ପୋଲିସ କହିଛି।