ଦମ୍ପତିଙ୍କୁ ଦଶ ଲକ୍ଷର ଚୂନ ଲଗାଇଲେ ସାଇବର ଠକ, ବାହାରିଲା ଓଡ଼ିଶା ଲିଙ୍କ୍
Advertisement

ଦମ୍ପତିଙ୍କୁ ଦଶ ଲକ୍ଷର ଚୂନ ଲଗାଇଲେ ସାଇବର ଠକ, ବାହାରିଲା ଓଡ଼ିଶା ଲିଙ୍କ୍

ଅଭିଯୋଗକାରୀ କହିଛନ୍ତି ଯେ, ସେ ଏକ ଖ୍ୟାତନାମା ଫାର୍ମାସ୍ୟୁଟିକାଲ କମ୍ପାନୀରେ ଏମଆର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମା'ଙ୍କର କର୍କଟ ଚିକିତ୍ସା ପାଇଁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଟଙ୍କା ଥିଲା। କିନ୍ତୁ KYC କରିବା ନାମରେ କେହି ତାଙ୍କୁ ଠକେଇ କରିଥିଲେ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଯୁଗ ଯେତିକି ଡିଜିଟାଲ ହେଉଛି, ଠକେଇ ମାମଲା ମଧ୍ୟ ସେତିକି ବୃଦ୍ଧି ପାଉଛି। ପୋଲିସ ଡାଳେ ଡାଳେ ଗଲେ ଅପରାଧୀମାନେ ପତରେ ପତରେ ଯାଉଛନ୍ତି। ଦିନକୁ ଦିନ ଠକେଇର ନୂଆ ଉପାୟ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଲୋକଙ୍କର ଆକାଉଣ୍ଟ ଖାଲି କରୁଛି। ଏହି ସମୟରେ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। କେୱାସି ବାହାନାରେ ଅପରାଧୀମାନେ ଲୋକଙ୍କୁ ଚୂନ ଲଗାଉଥିଲେ। ଆଉ ବିମାନ ଯାତ୍ରା କରି ଟଙ୍କା ଉଠାଉଥିଲେ।

ଦିଲ୍ଲୀର ଉତ୍ତର ଡିସିପି ସାଗର ସିଂ କାଲସି କହିଛନ୍ତି ଯେ, ନିକଟରେ ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ ପୋର୍ଟାଲରୁ ତାଙ୍କ ଦଳକୁ ଏକ ଠକେଇ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ କହିଛନ୍ତି ଯେ, ସେ ଏକ ଖ୍ୟାତନାମା ଫାର୍ମାସ୍ୟୁଟିକାଲ କମ୍ପାନୀରେ ଏମଆର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମା'ଙ୍କର କର୍କଟ ଚିକିତ୍ସା ପାଇଁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଟଙ୍କା ଥିଲା। କିନ୍ତୁ KYC କରିବା ନାମରେ କେହି ତାଙ୍କୁ ଠକେଇ କରିଥିଲେ। ପୀଡିତ ଜଣକ ଏକ ଜଣାଶୁଣା ୱାଲେଟରୁ ମୋବାଇଲରେ KYC କରିବା ପାଇଁ ଏକ ମେସେଜ ପାଇଥିଲେ। ସେଥିରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ସେ ତାଙ୍କ କାର୍ଡ ତଥ୍ୟ ଦେଇଥିଲେ। ଏହା ପରେ ପୀଡିତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଗଲା।

Also Read: Bhuvneshwar Kumarଙ୍କ ଦୋଷର କ୍ଷମା ନାହିଁ, ଏହି ବୋଲର୍ କରିବେ ରିପ୍ଲେସ୍

ସମାନ ଭାବରେ ଅଭିଯୁକ୍ତ ଜଣକ ପୀଡିତଙ୍କ ପତ୍ନୀଙ୍କ ମୋବାଇଲରୁ ଏକକାଳୀନ ଟଙ୍କା ଟ୍ରାନ୍ସଫର କରିଥିଲେ। ଉଭୟ ଆକାଉଣ୍ଟରୁ ମୋଟ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଜାନୁଆରୀ ୧୩ରେ ଦିଲ୍ଲୀର ସାଇବର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। SHO ଅଜୟ ଦଲାଲ ଏବଂ ଏସଆଇ ରୋହିତ ସରସ୍ୱତଙ୍କ ଟିମ୍ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ପୀଡିତଙ୍କୁ ରାଜସ୍ଥାନର ଜୟପୁରରୁ ଫୋନ କରାଯାଇଥିବାବେଳେ ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଠକେଇ ଟଙ୍କା ଉଠାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଦଳ ତୁରନ୍ତ ଜୟପୁର ଏବଂ ଅନ୍ୟ ଦଳକୁ ଝାଡଖଣ୍ଡକୁ ପଠାଯାଇଥିଲା। ବୈଷୟିକ ଡାଟାକୁ ଭିତ୍ତି କରି ଅଭିଯୁକ୍ତ ପିଣ୍ଟୁ ଏବଂ ମୁକେଶଙ୍କୁ ଜୟପୁରରୁ ଗିରଫ କରାଯାଇଥିଲା। ଦ୍ୱିତୀୟ ଦଳ ପିଣ୍ଟୁର ଭାଇକୁ ଗିରଫ କରିଛି। ଝାଡ଼ଖଣ୍ଡର ଦୁଲାର୍ ଏବଂ ପାର୍ଟନର ଚେତଲାଲଙ୍କୁ ମଧ୍ୟ ଗିରଫ କରାଯାଇ ସମସ୍ତଙ୍କୁ ଦିଲ୍ଲୀ ଅଣାଯାଇ ପଚରାଉଚରା କରାଯାଇଥିଲା।

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ, ଏହି ଲୋକମାନେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ପ୍ରି-ଆକ୍ଟିଭେଟ ସିମ୍ କାର୍ଡ କିଣୁଥିଲେ। ଏହା ପରେ, ଜଣାଶୁଣା କମ୍ପାନୀର ୱାଲେଟ୍ ନାମରେ ମେସେଜ୍ କରି ଲୋକଙ୍କ ମୋବାଇଲ୍ ନମ୍ବରରେ KYC କରିବାକୁ କୁହାଯାଉଥିଲା। କମିଶନ ଆଧାରରେ ଝାଡଖଣ୍ଡ, ମହାରାଷ୍ଟ୍ର, ଓଡିଶା, ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ଠକେଇ ଟଙ୍କାକୁ ଟ୍ରାନ୍ସଫର କରାଯାଉଥିଲା। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବିମାନରେ ଯାତ୍ରା କରୁଥିଲେ। ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ସେମାନେ ପ୍ରତି ମାସରେ ନିଜର ସ୍ଥାନ ବଦଳାଉଥିଲେ। ଏପରିକି ସେମାନଙ୍କ ଜୀବନଶୈଳୀ ବିଳାଶପୂର୍ଣ୍ଣ ଥିଲା ଏବଂ ସେମାନେ ଦାମୀ ଘର ଭଡା ନେଇ ରହୁଥିଲେ।