ନାରକୀୟ କାଣ୍ଡ, ବେହୋସ ସ୍ତ୍ରୀକୁ ମୃତ ଭାବି ଫିଙ୍ଗିଦେଲା ସ୍ୱାମୀ
Advertisement

ନାରକୀୟ କାଣ୍ଡ, ବେହୋସ ସ୍ତ୍ରୀକୁ ମୃତ ଭାବି ଫିଙ୍ଗିଦେଲା ସ୍ୱାମୀ

ହଠାତ୍ ସୁକାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ରଞ୍ଜନ । ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଆଉ ମୂମୁର୍ଷୁ ଅବସ୍ଥାରେ ବାଡ଼ି ପଛପଟେ ଫିଙ୍ଗି ଦେଇ ଚାଲି ଯାଇଥିଲେ ରଞ୍ଜନ। ବାପଘରେ ଲୋକେ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । 

 

ନାରକୀୟ କାଣ୍ଡ, ବେହୋସ ସ୍ତ୍ରୀକୁ ମୃତ ଭାବି ଫିଙ୍ଗିଦେଲା ସ୍ୱାମୀ

ଭୁବନେଶ୍ୱର: ନାରୀ ନିର୍ଯାତନାର ଆଉ ଏକ ନମୁନା । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି 'ଦି ଗଣ୍ଡା ଦି କଡ଼ା' ହୋଇଥିବାର ଆଉ ଏକ ଉଦାହରଣ । ପତ୍ନୀକୁ ମରଣାନ୍ତକ ଆକ୍ରମଣ କରିଛି ସ୍ୱାମୀ । ଅତି ନିର୍ଦ୍ଦୟ ଭାବରେ ମାଡ଼ ମାରିବା ପରେ ତାକୁ ଘୋଷାରି ଘୋଷାରି ନେଇ ବାଡ଼ି ପଛପଟେ ଫୋପାଡ଼ି ଦେଇଛି ସ୍ୱାମୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ରାଜ୍ୟରେ ଏବେ ଦିନକୁ ଦିନ କ୍ଷୀପ୍ର ଗତିରେ ବଢି ଚାଲିଛି ନାରୀ ନିର୍ଯାତନା । ଏହା ଏବେ ସମାଜ ପାଇଁ ବଡ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯାହା ଫଳରେ ପୁରୁଷପ୍ରଧାନ ଦେଶରେ ପ୍ରାୟ ପ୍ରତିଦିନ ନାରୀଜାତିକୁ କେଉଁଠି ନା କେଉଁଠି ନିର୍ଯାତନାର ଶିକାର ହେବାକୁ ପଡୁଛି । ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡୁଛି । ଆଉ ବର୍ତ୍ତମାନ ଏହାର ଶିକାର ହୋଇଛନ୍ତି କାମାକ୍ଷାନଗରର ସୁକାନ୍ତି ସାହୁ ।

କାମାକ୍ଷାନଗର (Dhenkanal Kamaskhya) ଥାନା ଶିତଳବସା ଗ୍ରାମର ରଞ୍ଜନ ସାହୁ ସେହି ଗ୍ରାମର ସୁକାନ୍ତିଙ୍କୁ ଗତ ଦୁଇବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ରଞ୍ଜନଙ୍କ ଘର ଲୋକେ ଅଧିକ ଯୌତୁକ ଦାବିରେ ସୁକାନ୍ତିଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ । ଏ ସମ୍ପର୍କରେ ସୁକାନ୍ତି ଘରେ ଜଣାଇବା ପରେ ଗ୍ରାମବାସୀଙ୍କ ସହାୟତାରେ ସମାଧାନ କରିଥିଲେ । ମାତ୍ର କିଛିଦିନ ପରେ ପୁଣି ଅତ୍ୟାଚାର ଆରମ୍ଭ ହୋଇଥିଲା । ତେଣୁ ସୁକାନ୍ତି ଗତ କିଛିଦିନ ହେବ ବାପଘରକୁ ଚାଲି ଆସିଥିଲେ । ତେବେ ଗତ ୧୩ ତାରିଖ ରାତିରେ ସ୍ବାମୀ ରଞ୍ଜନ ସୁକାନ୍ତିଙ୍କୁ ଡକାଇ ପଠାଇଥିଲେ । 

ଆଉ ସୁକାନ୍ତି ଆସିବା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ବଚସା କ୍ରମେ ଉଗ୍ର ରୂପ ନେଇଥିଲା । ଏହାପରେ ହଠାତ୍ ସୁକାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ରଞ୍ଜନ । ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଆଉ ମୂମୁର୍ଷୁ ଅବସ୍ଥାରେ ବାଡ଼ି ପଛପଟେ ଫିଙ୍ଗି ଦେଇ ଚାଲି ଯାଇଥିଲେ ରଞ୍ଜନ। ବାପଘରେ ଲୋକେ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଝିଅର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ (Dhenkanal) ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଏସସିବି ମେଡିକାଲ (SCB Medical)କୁ ସ୍ଥାନାନ୍ତର କରାଯାଇଛି । ଏବେବି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି।

ଘଟଣା ସମ୍ପର୍କରେ ପୋଲିସ (Police) ଜାଣିବା ପରେ ସଙ୍ଗେସଙ୍ଗେ ମେଡିକାଲକୁ ଆସି ତଦନ୍ତ ଆରମ୍ଭ କରିଥିଲା । ସୁକାନ୍ତିଙ୍କୁ ଘଟଣା ସମ୍ପର୍କରେ ଟିକିନିକ୍ ପଚାରିଥିଲା । ଏହାପରେ ସୁକାନ୍ତିଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତ ରଞ୍ଜନ, ତାର ମାଆ ଏବଂ ବାପାଙ୍କୁ ଥାନାକୁ ଆଣି ଜେରା କରିଥିଲା । ଜେରା ବେଳେ ନିଜ ଦୋଷ ସ୍ୱୀକାର କରିଥିଲା ଅଭିଯୁକ୍ତ ରଞ୍ଜନ । ଏବଂ କିଭଳି ଭାବରେ ସୁକାନ୍ତିଙ୍କୁ ମାଡ଼ ମାରିବା ସହ ଘର ପଛପଟେ ଫିଙ୍ଗି ଦେଇଥିଲା, ସେହି ଲୋମଟାଙ୍କୁରା ଘଟଣାକୁ ବର୍ଣ୍ଣନା କରିଥିଲା । 

ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା ବି କରାଯାଇଛି । ଦୋଷୀକୁ କଠୋର ଦଣ୍ଡ ଦେବା ସହ ନାରୀ ନିର୍ଯାତନା ରୋକିବା ପାଇଁ ସରକାର ସଚେତନତା ଜାଗରୁକ କରିବା ସହ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସାରା ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ ସମାଜରେ ନାରୀଙ୍କ ପାଇଁ ଥିବା ସ୍ବତନ୍ତ୍ର ସ୍ଥାନ ଏଭଳି ଘଟଣାକୁ ଦେଖିଲେ ସୁରକ୍ଷିତ ଥିଲା ବୋଲି ମନେ ହେଉନାହିଁ । ଏପରି ସ୍ଥଳେ ସଚେତନତା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି ।

Also Read: ଭଦ୍ରକରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା...ନୟାଗଡ଼ରେ ମିଳିଲା ମୃତଦେହ

Also Read: ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା