ଜୟପୁରରେ 'ଜୟ ଭୀମ'
Advertisement
Article Detail0/zeeodisha/odisha1038455

ଜୟପୁରରେ 'ଜୟ ଭୀମ'

ଓଡିଶା କ୍ରାଇମବ୍ରାଞ୍ଚ ୪ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ଯା ମାମଲା ରୁଜୁ କରିଛି। ୨୦୧୭ରେ ଜଣେ ଯୁବକଙ୍କୁ ହତ୍ଯା ଘଟଣାରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ ଆରମ୍ଭ କରିଛି। ଅଭିଯୁକ୍ତ ପୋଲିସ ଅଧିକାରୀ ହେଲେ, ଜୟପୁରର ତତକାଳିନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି, ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଓ ରାଜେଶ ବଳିଆରସିଂ।

ଡିଜାଇନ୍ ଫଟୋ

କୋରାପୁଟ: ବଦନାମ ହେଲାଣି ଖାକି! ଉତ୍ତର ପ୍ରଦେଶ, କାଶ୍ମୀର, କେରଳ ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ ସବୁଠି ପୋଲିସର ବର୍ବରତା ଦେଖିବାକୁ ମିଳୁଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ସଂଖ୍ୟା ବି କିଛି କମ ନୁହଁ। ଅନେକ ମାମଲାରେ ପୋଲିସ ଯାହା ଦାବି କରୁଛି, ତାହା ମିଥ୍ୟା ସାବ୍ୟସ୍ତ ହେଉଛି। ତାମିଲନାଡୁର ଏକ ଘଟଣାକୁ ନିକଟରେ 'ଜୟ ଭୀମ' ନାମକ ଏକ ଫିଲ୍ମ ରିଲିଜ ହୋଇଥିଲା। ଆଉ ଠିକ୍ ସେହିଭଳି କିଛି ମାମଲା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାରୁ ଆସିଛି। ଜଣେ ଯୁବକଙ୍କୁ ପୋଲିସ ହତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଛି।

ଓଡିଶା କ୍ରାଇମବ୍ରାଞ୍ଚ ୪ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ଯା ମାମଲା ରୁଜୁ କରିଛି। ୨୦୧୭ରେ ଜଣେ ଯୁବକଙ୍କୁ ହତ୍ଯା ଘଟଣାରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ ଆରମ୍ଭ କରିଛି। ଅଭିଯୁକ୍ତ ପୋଲିସ ଅଧିକାରୀ ହେଲେ, ଜୟପୁରର ତତକାଳିନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି, ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଓ ରାଜେଶ ବଳିଆରସିଂ। ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୨, ୩୨୩, ୩୪୨, ୩୨୫, ୫୦୫ ଓ ୩୪ରେ ମାମଲା ରୁଜୁ ହୋଇଛି। 

Also Read: ଭଦ୍ରକରେ ଫୁଟିଲା ଗୁଳି; ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର, ସଠିକ ଜାଗାରେ ଗୁଳିମାଡ଼

ସୂଚନା ମୁତାବକ, ୨୦୧୭ ଜାନୁଆରୀ ୩୦ ତାରିଖରେ ଜୟପୁରର ଆକାଶ ମହୁରିଆ ନାମକ ଜଣେ ଦାଗୀ ଅପରାଧିଙ୍କ ମୃତ୍ୟୁ ହୋଇଥିଲା। ଆକାଶଙ୍କ ନାମରେ ଜୟପୁର ଟାଉନ ଥାନାରେ ୧୦, ସଦରରେ ୩ ଓ ବୋରିଗୁମ୍ମାରେ ଗୋଟିଏ ମାମଲା ରହିଥିବାବେଳେ ୧୦ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡି ପଡିଯିବାରୁ ଆକାଶଙ୍କ ଗୋଡ, ପିଠି ଓ ମୁଣ୍ତରେ ଆଘାତ ଲାଗିଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଜୟପୁର, ପରେ କୋରାପୁଟ ଜିଲ୍ଲା ହସ୍ପିଟଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆକାଶର ମୃତ୍ୟୁ ହୋଇଥିବା ପୋଲିସ ଦାବି କରିଥିଲା।

ସେପଟେ କିନ୍ତୁ ପୋଲିସର ଦାବିକୁ ମୃତ ଆକାଶଙ୍କ ପରିବାର ଲୋକ ଖଣ୍ଡନ କରିଥିଲେ। ଆକାଶଙ୍କ ମାଆ ପ୍ରବିଣା ମହୁରିଆ ଅଭିଯୋଗ କରିଥିଲେ ଯେ, ୨୦୧୭ ମସିହା ଜାନୁଆରୀ ୩୦ ତାରିଖ ମଧ୍ୟାହ୍ନ ୧୨ରୁ ୧ଟା ମଧ୍ୟରେ ଆଇଆଇସି ତପନ ରଥ ଓ ଏସଆଇ ଶିବ ସାହୁଙ୍କ ସମେତ ୨୦ରୁ ଅଧିକ ପୋଲିସ କର୍ମୀ ଗାନ୍ଧୀ ଛକ ନିକଟରୁ ତାଙ୍କ ପୁଅକୁ ମିଥ୍ୟା ଅଭିଯୋଗରେ ଉଠାଇ ନେଇଥିଲେ। ପରେ ସେମାନେ ନିସ୍ତୁକ ମାଡ ମାରି ହତ୍ୟା କରିଥିଲେ। 

ଆକାଶଙ୍କ ପରିବାର ନ୍ୟାୟ ପାଇଁ ପ୍ରଥମେ କୋରାପୁଟର ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେମାନେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ। ଗତ ଫେବ୍ରୁଆରୀରେ ଆୟୋଗ ପକ୍ଷରୁ ଆକାଶଙ୍କ ମା, ଦୁଇ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇଙ୍କୁ ପଚରାଉଚୁରା କରିଥିଲା। ଏହା ସହ କୋରାପୁଟର ବିଭିନ୍ନ ଥାନା ମଧ୍ୟ ପରିଦର୍ଶନ କରିଥିଲେ। ଆଉ ବର୍ତ୍ତମାନ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Also Read: କ୍ରାଇମ୍ କ୍ୟାପିଟାଲ୍ ଭୁବନେଶ୍ୱର! ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭

ଜୟପୁରର ଏହି ହାଜତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ନଭେମ୍ବର ୧୨ ତାରିଖ ଦିନ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା। ଆଜକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ରାଜେନ୍ଦ୍ର ପ୍ରସାଦ ସେନାପତି, ତପନ ନାରାୟଣ ରଥ, ଶିବ ପ୍ରସାଦ ସାହୁ ଓ ରାଜେଶ ବଳିଆରସିଂଙ୍କୁ ଗିରଫ କରାଯାଇନାହିଁ। କୁହାଯାଉଛି ଯେ, କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଜୟପୁର ଯାଇ ମାମଲାର ଖୋଳତାଳ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଏସପି ରାମଚନ୍ଦ୍ର ଥମ୍ବଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି। ସେପଟେ କୋରାପୁଟର ତତକାଳୀନ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ସୂଚନାଯୋଗ୍ୟ, ଦେଶରେ ହାଜତ ମୃତ୍ୟୁ ସଂଖ୍ୟା ବଢୁଛି। ଗତ ୨୦ ବର୍ଷରେ ଦେଶରେ ୧୮୮୮ ହାଜତ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ବିରୋଧରେ ୮୯୩ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୩୫୮ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। ସେଥିରୁ ୨୬ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦର୍ଶାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ରେ ଗୁଜୁରାଟର ସର୍ବାଧିକ ସଂଖ୍ୟକ ହାଜତ ମୃତ୍ୟୁ ଘଟିଥିଲା। କିନ୍ତୁ ହାଜତ ମୃତ୍ୟୁ ମାମଲାରେ ଗତ ବର୍ଷ ଅର୍ଥାତ୍ ୨୦୨୦ରେ ଦେଶବ୍ୟାପୀ ଜଣେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇନଥିଲେ।