Crime News: କେରଳ ଦାଦନ ଖଟିବାକୁ ଯାଇଥିବା ଶଳାକୁ ହତ୍ୟା କଲା ଭିଣୋଇ!
Advertisement
Article Detail0/zeeodisha/odisha1755321

Crime News: କେରଳ ଦାଦନ ଖଟିବାକୁ ଯାଇଥିବା ଶଳାକୁ ହତ୍ୟା କଲା ଭିଣୋଇ!

Migrant Labour Odisha Death Case: ଦାଦନ ଖଟିବାକୁ ଯାଇଥିବା ଶଳାକୁ ହତ୍ୟା କଲା ଭିଣୋଇ।  କେରଳ କାଟାରାକାରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Crime News: କେରଳ ଦାଦନ ଖଟିବାକୁ ଯାଇଥିବା ଶଳାକୁ ହତ୍ୟା କଲା ଭିଣୋଇ!

Odisha Migrant Worker Death in Kerala: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ବାଘମାରି ପଞ୍ଚାୟତ ବିଜିପୁର ଗ୍ରାମର ଅଭୟ ବୀର (୨୩)। ମୃତକ ଅଭୟକୁ ନିଜ ଭିଣୋଇ ମନୋଜ ନାୟକ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ କେରଳ କାଟାରାକାରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭୟଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭିଣୋଇ ମନୋଜକୁ ଗିରଫ କରି ତଦନ୍ତ କରୁଛି। ଅପରପକ୍ଷରେ ବିଜିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଭିଣୋଇ ମନୋଜ ହିଁ ହତ୍ୟା କରିଛି ବୋଲି ମୃତ ଅଭୟଙ୍କ ପତ୍ନୀ ଏବଂ ଭାଇ କହିଛନ୍ତି। 

ଏନେଇ ମିଳିଥିବା ଖବର ମୁତାବକ ଅଭୟ ବୀରଙ୍କ ଭିଣୋଇ ମନୋଜ ନାୟକ ନିଜ ପରିବାର ସହ କେରଳ କାଟାରାକାରା ଥାନା ଅନ୍ତର୍ଗତ (Kottarakkara Police Station) ଚନ୍ଦ୍ରମୁଖୀ ଅଞ୍ଚଳରେ (Chandramukhi Area Kottarakkara) ରହି ଶ୍ରମିକ (Odisha Migrant Worker) ଭାବେ କାମ କରୁଥିଲେ। ଉଭୟ ମୃତକ ଏବଂ ଅଭିଯୁକ୍ତ ଗୋଟିଏ ଘରେ ମିଳିମିଶି ରହୁଥିଲେ। ହେଲେ ଗତ ଶୁକ୍ରବାର କୌଣସି କାରଣକୁ ନେଇ ମନୋଜ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଘଟଣାରେ ଶଳା ଅଭୟ, ମନୋଜକୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ବନ୍ଦ ହେବା ବଦଳରେ ବଢି ଯାଇଥିଲା। ଶେଷରେ ଏହି ଗଣ୍ଡଗୋଳ ଶଳା ଭିଣୋଇ ମଧ୍ୟରେ ହୋଇଥିଲା। 

ରାଗରେ ଶଳା ଅଭୟ ବାଧ୍ୟ ହୋଇ ଗଣ୍ଡଗୋଳ ଚାଲିଥିବା ସମୟରେ ଘର ଛାଡ଼ିବା ସହ କୋଏମ୍ବାଟୁର (Coimbatore) ଅଭିମୁଖେ ବାହାରି ଯାଇଥିଲା। ହେଲେ ପାଖରେ ଥିବା ଭାଇ ଏବଂ ଅନ୍ୟ ସମ୍ପର୍କୀୟ ରାତି ସାରା ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଅଭୟଙ୍କୁ ପାଇନଥିଲେ। ସକାଳ ସମୟରରେ ଏକ ଦୋକାନ ସାମ୍ନାରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଅଭୟଙ୍କ ମୃତ ଶରୀର ମିଳିଥିଲା। ଏହି ଘଟଣାରେ କାଟାରାକାର ପୋଲିସ ପ୍ରାଥମିକ ମାମଲା ରୁଜୁ ଏହାର ତଦନ୍ତ କରୁଛି। ତଦନ୍ତ ବେଳେ ଘଟଣାସ୍ଥଳରେ ଲାଗିଥିବା ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ୍ କରିଥିଲା ପୋଲିସ। ଯେଉଁଥିରୁ ଜାଣିବାକୁ ମିଳିଥିଲା ଯେ ଶଳା ଅଭୟ ବୀରକୁ ଭିଣୋଇ ମନୋଜ ନାୟକ ହିଁ ପଥରରେ ଛେଚି ହତ୍ୟା କରିଛି। ପୋଲିସ (Kerala Police) ମନୋଜ ନାୟକକୁ ଗିରଫ କରିବା ସହ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। 

ଅନ୍ୟପକ୍ଷରେ ମୃତ ଅଭୟ ବୀରଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ଘରର ହୋଇଥିବା ବେଳେ, ସେମାନେ ପ୍ରଶାସନ ସହଯୋଗରେ ଶବ ଆଣିବାକୁ ମୋହନା ଏବିଡିଓ (Mohana ABDO) ଙ୍କ ନିକଟରେ ଗୁହାରି ଜଣାଇଛନ୍ତି। ହେଲେ ଏବିଡିଓ ନିଜ ଗ୍ରାମର ପାଣ୍ଠିରୁ ଶବ ଆଣିବାକୁ ପରାମର୍ଶ ଦେଇଛନ୍ତି। ଯାହା ଫଳରେ ଗ୍ରାମବାସୀ ନିରାଶ ହୋଇ ସରକାରୀ ସହାୟତାକୁ ଅନେଇ ବସିଛନ୍ତି। ମୃତକ ଅଭୟ ବୀରଙ୍କ ଦୁଇଟି ପୁଅ ଅଛନ୍ତି। ପରିବାର କିଭଳି ଚଳିବ ସେ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ମୃତକ ପତ୍ନୀ କାତ୍ରିନା ବୀର। ପରିବାର ପ୍ରତିପୋଷଣ ଏବଂ ପେଟପାଟଣା ପାଇଁ ଯାଇଥିବା ଅଭୟଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି ଏବଂ ଶବ ଗ୍ରାମରେ କେବେ ପହଞ୍ଚି ପାରୁଛି ତାହାକୁ ଅଞ୍ଚଳବାସୀଙ୍କ ଅପେକ୍ଷା।