ଛେଳିଗଡ ଆକ୍ରମଣ ଘଟଣା; ଅଦୃଶ୍ୟ ରାଜନୈତିକ ଚାପକୁ ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha897914

ଛେଳିଗଡ ଆକ୍ରମଣ ଘଟଣା; ଅଦୃଶ୍ୟ ରାଜନୈତିକ ଚାପକୁ ନେଇ ଚର୍ଚ୍ଚା

ଏ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ମାତ୍ର ଜଣକୁ ଗିରଫ କରିବା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି।

ଛେଳିଗଡ ଆକ୍ରମଣ ଘଟଣା; ଅଦୃଶ୍ୟ ରାଜନୈତିକ ଚାପକୁ ନେଇ ଚର୍ଚ୍ଚା

ପ୍ରେମାନନ୍ଦ ପୂଜାରୀ,ମୋହନା: ଗଜପତି ଜିଲ୍ଲାର ଛେଳିଗଡ ଗ୍ରାମରେ ବାହାଘର ଭୋଜିରେ ତହସିଲଦାରଙ୍କ ସମେତ ପୋଲିସ ହୋଇଥିବା ଆକ୍ରମଣ ଘଟଣାରେ ଜଣେ ଗିରଫ ହୋଇଛନ୍ତି। ହେଲେ ଏହି ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ମହାମାରୀ ସମୟରେ ଜନସାଧାରଣଙ୍କ ପାଇଁ ନିଜ କର୍ତ୍ତବ୍ୟ ତୁଲାଇଥିବା ଜଣେ ନିଷ୍ଠାପର ପ୍ରଶାସନିକ ଅଧିକାରୀ ସମେତ ପୋଲିସ କର୍ମଚାରୀ ଶତାଧିକ ଲୋକଙ୍କ ଆକ୍ରମଶ ଶିକାର ହୋଇ ଗୁରୁତର ହୋଇଛନ୍ତି। 

ମୋହନା ବିଧାୟକଙ୍କ ବାସଭବନ ଠାରୁ ମାତ୍ର ୮ କିଲୋମିଟର ଦୂରରେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗଙ୍କ ନୀରବତକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତହସିଲଦାରଙ୍କ ଉପରେ ଆକ୍ରମଣ ଘଟଣାରେ ପଡୁଛି କି ରାଜନୈତିକ ଚାପ ? ଜଣକୁ ଗିରଫ କରି କାହିଁକି ଚୁପ ରହିଛି ପୋଲିସ? ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଧିନସ୍ଥ ଛେଳିଗଡ ଖ୍ରୀଷ୍ଟିଆନ ସାହିରେ ତହସିଲଦାରଙ୍କ ସମେତ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମାତ୍ର ଜଣଙ୍କୁ ଗିରଫ କରାଯାଇଛି। 

Also Read: ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ହଟହଟା, ବିଜୁଳି କାଟି ପିଟିଲେ ଗ୍ରାମବାସୀ

ଗିରଫ ଅଭିଯୁକ୍ତ ହେଉଛନ୍ତି ଜୁନିଏଲ ବୀର। ଏହି ଘଟଣାରେ ଶତାଧିକ ଲୋକ ସମ୍ପୃକ୍ତ ରହିଥିବା ବେଳେ ପୋଲିସ ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ରହିଥିବା ୯୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିବା କହିଛନ୍ତି ଆର.ଉଦୟଗିରି ଏସଡିପିଓ ଦିଲିପ ନାୟକ। ଏ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ମାତ୍ର ଜଣକୁ ଗିରଫ କରିବା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। 

ପୋଲିସ ରାଜନୈତିକ ଚାପରେ ପଡି କାର୍ଯ୍ୟାନୁଷ୍ଠାନ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଘଟଣାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଚୁପ ରହିବାକୁ ନେଇ ସାଧାରଣଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ବିଧାୟକଙ୍କ ନିଜ ବ୍ଲକ ଆର.ଉଦୟଗିରି ହୋଇଥିବା ବେଳେ ଏତେ ବଡ଼ ଘଟଣା ଘଟିବା ପରେ ତାଙ୍କର ଦେଖା ନମିଳିବା ଏବଂ ଅଦୃଶ୍ୟରେ ରହି ପୋଲିସ ଉପରେ ଚାପ ସୃଷ୍ଟି କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। 

Also Read: ପଟା ଜମିରେ ସମାଧି ଦେବାକୁ ନେଇ ବିବାଦ

ଏ ଘଟଣାରେ ତାଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ବାରମ୍ବାର ଚେଷ୍ଟା କରିଯାଇଥିଲେ ମଧ୍ୟ ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ। ଏହି ଘଟଣାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ନିନ୍ଦା କରିବା ସହ ଆଇନ ତା ବାଟରେ ଯିବ ବୋଲି କହିଛନ୍ତି। ସେହିଭଳି ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆର.ଉଦୟଗିରି ବ୍ଲକ ବିଜେଡି ସଭାପତି ଭୀମ ପାଇକ ଦାବି କରିଛନ୍ତି। ଏଥିରେ ରାଜନୈତିକ ଚାପ ରହିବା ଠିକ ନୁହେଁ ବୋଲି କହିଛନ୍ତି ସେ। ଛେଳିଗଡ ଗ୍ରାମରେ ଘଟିଥିବା ଆକ୍ରମଣ ଘଟଣାକୁ ମୋହନାର ଯୁବଗୋଷ୍ଠୀଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଅନ୍ୟପଟେ ଏଥିରେ ସମ୍ପୃକ୍ତ ରହିଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ସଙ୍ଗଠକ ଜିତେନ୍ଦ୍ର କୁମାର ବେହେରା।

ଗତ ଶୁକ୍ରବାର ସନ୍ଧ୍ୟାରେ ଛେଳିଗଡ ଗ୍ରାମରେ ଉଭୟ ବରକନ୍ୟା ଘର ପକ୍ଷରୁ ମହାଆଡମ୍ବରରେ ବାହାଘର ଭୋଜି ଭାତ, ନାଚଗୀତର ଆସର ଚାଲିଥିଲା। କୋଭିଡ ନିୟମ ଉଲଂଘନ ହୋଇଥିବା ନେଇ ତହସିଲଦାର ଅଭିଯୋଗ ପାଇବା ପରେ କିଛି ପୋଲିସ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର ସୃତିରଞ୍ଜନ ଶତପଥି। ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ କରିବା ସହ ତାଗିଦ୍ କରିଥିଲେ। 

Also Read: କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

ହେଲେ ଏହାର ଫଳ ହୋଇଥିଲା ଓଲଟା। ଏହି ଗାଁର ଲୋକେ ବିଦ୍ୟୁତ କାଟିବା ପରେ ଅନ୍ଧାରର ସୁଯୋଗ ନେଇ ଠେଙ୍ଗା ବାଡି, ଢେଲା ପଥର ମାରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେମାନେ ଗାଡି ଭାଙ୍ଗି ରୁଜି ଯିବା ସହ ତହସିଲଦାରଙ୍କ ସମେତ ତାଙ୍କ ସହ ଆସିଥିବା ପୋଲିସ କର୍ମଚାରୀ ମାଡ ଖାଇ ରକ୍ତାକ୍ତ ହୋଇଥିଲେ। ଏ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଥିବା ବେଳେ ଛେଳିଗଡ ଗାଁରେ ଚଡାଉ କରିଥିଲା ପୋଲିସ। 

ଏ ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ କେଉଁଆଡେ ଫେରାର ହୋଇଯାଇଥିଲେ। ରବିବାର ଆକ୍ରମଣ ଘଟଣାରେ ଜଡିତ ମୁଖ୍ୟ ଅଭିଯୁକ୍ତ ଜାନୁଏଲ ବିରୋକୁ ମହେନ୍ଦ୍ରଗଡ ନିକଟରୁ ଗିରଫ କରାଯାଇଥିବା ନେଇ ଜଣାଇଛନ୍ତି ଆର ଉଦୟଗିରି ଆରକ୍ଷୀ ଉପଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି।