ଦିନକରେ ୮୧ ଜଣଙ୍କୁ ମୃତ୍ୟୁଦଣ୍ଡ; ଜାଣନ୍ତୁ, କେଉଁ ଅପରାଧ ପାଇଁ କୋର୍ଟ ଦେଲେ ଏପରି ରାୟ?
Advertisement
Article Detail0/zeeodisha/odisha1123454

ଦିନକରେ ୮୧ ଜଣଙ୍କୁ ମୃତ୍ୟୁଦଣ୍ଡ; ଜାଣନ୍ତୁ, କେଉଁ ଅପରାଧ ପାଇଁ କୋର୍ଟ ଦେଲେ ଏପରି ରାୟ?

ମାନବ ଅଧିକାର ସଂଗଠନ, ସାଉଦି ଆରବର ଦେଇଥିବା ମୃତ୍ୟୁଦଣ୍ଡକୁ ସମାଲୋଚନା କରିଛି। ଲଣ୍ଡନସ୍ଥିତ ମାନବ ଅଧିକାର ସଂଗଠନ 'ରେପ୍ରିଭ୍'ର ଡେପୁଟି ଡାଇରେକ୍ଟର ସୋରେୟା ବାଓବେନ୍ସ କହିଛନ୍ତି ଯେ, 'ଦୁନିଆ ଜାଣିବା ଦରକାର ଯେ, ମହମ୍ମଦ ବିନ୍ ସଲମାନ ସଂସ୍କାରର ପ୍ରତିଶୃତି ଦେବାବେଳେ ରକ୍ତପାତ ହେବାର ସମ୍ଭାବନା ରହିଛି।' 

ପ୍ରତିକାତ୍ମକ ଫଟୋ

ରିୟାଦ: ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ଏକତ୍ରିତ କରି ଶନିବାର ସାଉଦି ଆରବ ମୃତ୍ୟୁଦଣ୍ଡ ଦେଇଛି। ସାଉଦି ଆରବର ଆଧୁନିକ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା। ଏହାପୂର୍ବରୁ, ଜାନୁଆରୀ ୧୯୮୦ରେ ମକ୍କାର ବଡ଼ ମସଜିଦ ସହ ଜଡିତ ବନ୍ଧକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬୩ ଉଗ୍ରବାଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ମୃତ୍ୟୁଦଣ୍ଡ ଦେବାକୁ ସାଉଦି ସରକାର କାହିଁକି ଶନିବାର ବାଛିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବିଶ୍ୱର ସମଗ୍ର ଧ୍ୟାନ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ରହିଥିବା ସମୟରେ ସାଉଦି ଆରବରେ ୮୧ ଜଣ ଅପରାଧିଙ୍କୁ ଗୋଟିଏ ଦିନରେ ମୃତ୍ୟୁଦଣ୍ଡ ଶୁଣାଯାଇଛି। ମହାମାରୀ କୋରୋନା ସମୟରେ ସାଉଦି ଆରବରେ ମୃତ୍ୟୁଦଣ୍ଡର ମାମଲା ହ୍ରାସ ପାଇଥିଲା, ଯଦିଓ ରାଜା ସଲମାନ ଏବଂ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଶାସନ କାଳରେ ବିଭିନ୍ନ ମାମଲାରେ ଅନେକ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Also Read: ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ, ପୋଲିସ ସମେତ ୨୦ରୁ ଊର୍ଦ୍ଧ୍ୱ ଆହତ

ସାଉଦି ପ୍ରେସ ଏଜେନ୍ସି ଶନିବାର କହିଛି ଯେ, ନିରୀହ ପୁରୁଷ, ମହିଳା ଏବଂ ଶିଶୁ ହତ୍ୟା ଭଳି ବିଭିନ୍ନ ଅପରାଧରେ ୮୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଅଲ-କାଏଦାର ସଦସ୍ୟ, ଆଇଏସ ଏବଂ ୟେମେନର ହୁତି ବିଦ୍ରୋହୀ ସମର୍ଥକ ଅଛନ୍ତି। ସାଉଦି ଆରବରୁ ୭୩ଜଣ, ୟେମେନର ସାତ ଜଣ, ଜଣେ ସିରିଆ ନାଗରିକଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ତେବେ ମୃତ୍ୟୁଦଣ୍ଡ କେଉଁଠାରେ ଦିଆଯିବ ତାହା ଏପର୍ଯ୍ୟନ୍ତ କୁହାଯାଇ ନାହିଁ।

ସାଉଦି ପ୍ରେସ ଏଜେନ୍ସି କହିଛି ଯେ, ଅଭିଯୁକ୍ତମାନଙ୍କୁ ଓକିଲଙ୍କ ସୁବିଧା ଦିଆଯାଇଥିଲା ଏବଂ ନ୍ୟାୟିକ ପ୍ରକ୍ରିୟା ସମୟରେ ସାଉଦି ଆଇନ ଅନୁଯାୟୀ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ନିଶ୍ଚିତ କରାଯାଇଥିଲା। ଏଥିମଧ୍ୟରୁ ସେମାନେ ଅନେକ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କେତେକ ଘଟଣାରେ ବହୁ ସଂଖ୍ୟକ ସାଧାରଣ ନାଗରିକ ଏବଂ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ତିନୋଟି ପର୍ଯ୍ୟାୟରେ ୧୩ ଜଣ ବିଚାରପତି ଏହିସବୁ ମାମଲାର ବିଚାର କରିଛନ୍ତି। ସେପଟେ ସ୍ୱଚ୍ଛ ଟ୍ରାଏଲ ହୋଇନଥିବା ଅଭିଯୋଗକୁ ସାଉଦି ସରକାର ଖଣ୍ଡନ କରିଛନ୍ତି।

ମାନବ ଅଧିକାର ସଂଗଠନ, ସାଉଦି ଆରବର ଦେଇଥିବା ମୃତ୍ୟୁଦଣ୍ଡକୁ ସମାଲୋଚନା କରିଛି। ଲଣ୍ଡନସ୍ଥିତ ମାନବ ଅଧିକାର ସଂଗଠନ 'ରେପ୍ରିଭ୍'ର ଡେପୁଟି ଡାଇରେକ୍ଟର ସୋରେୟା ବାଓବେନ୍ସ କହିଛନ୍ତି ଯେ, 'ଦୁନିଆ ଜାଣିବା ଦରକାର ଯେ, ମହମ୍ମଦ ବିନ୍ ସଲମାନ ସଂସ୍କାରର ପ୍ରତିଶୃତି ଦେବାବେଳେ ରକ୍ତପାତ ହେବାର ସମ୍ଭାବନା ରହିଛି।' ୟୁରୋପୀୟ ସାଉଦି ଅର୍ଗାନାଇଜେସନ୍ ଫର ହ୍ୟୁମାନ୍ ରାଇଟ୍ସର ନିର୍ଦ୍ଦେଶକ ଅଲି ଅଦୁବସି ଅଭିଯୋଗ କରିଛନ୍ତି ଯେ, ମୃତ୍ୟୁଦଣ୍ଡ ଦିଆଯାଇଥିବା ଲୋକଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ଗୁପ୍ତରେ ବିଚାର କରାଯାଇଥିଲା।

Also Read: ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର; ଏମିତି ଧମକ ଦେଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ

ସୂଚନାଯୋଗ୍ୟ, ଏହାପୂର୍ବରୁ ଜାନୁଆରୀ ୨୦୧୬ରେ ଜଣେ ଶିୟା ଧର୍ମଗୁରୁଙ୍କ ସମେତ ୪୭ ଜଣଙ୍କୁ ସାମୂହିକ ଭାବରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୧୯ରେ ୩୭ ଜଣଙ୍କ ମୁଣ୍ଡ କାଟି ଦିଆଯାଇଥିଲା। ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ସଂଖ୍ୟାଲଘୁ ଶିୟା ସମ୍ପ୍ରଦାୟର ଥିଲେ। Amnesty Internationalର ୨୦୨୦ ରିପୋର୍ଟ ଅନୁଯାୟୀ, ମୃତ୍ୟୁଦଣ୍ଡ ଦେବାରେ ସାଉଦି ଆରବ (୨୭) ବିଶ୍ୱର ଚତୁର୍ଥ ଦେଶ। ଶୀର୍ଷରେ ଇରାନ (୨୪୬), ଇଜିପ୍ଟ (୧୦୭) ଓ ଇରାକ (୪୫) ଅଛନ୍ତି। ଏହି ତାଲିକାର ଅଷ୍ଟମ ସ୍ଥାନରେ ଭାରତ ରହିଥିବା ବେଳେ ଟପ୍ ଟେନରେ ଏକଛତ୍ରବାଦୀ ରାଷ୍ଟ୍ର ଚୀନ, ଉତ୍ତର କୋରିଆ, ସିରିଆ ଓ ଭିଏତନାମର ନାମ ନାହିଁ।

ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ୯୨ ଜଣ ଅପରାଧିଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଶନିବାର ଏକା ସାଙ୍ଗରେ ୮୧ ଜଣଙ୍କୁ ଓ ତାପୂର୍ବରୁ ୧୧ ଜଣଙ୍କୁ ଏହି ଦଣ୍ଡ ଦିଆଯାଇଛି। ୨୦୨୧ରେ ଏହି ସଂଖ୍ୟା ୬୯ ଥିଲା। ଭାରତ ସମେତ ବିଶ୍ୱର ପ୍ରାୟ ୫୦ଟି ଦେଶରେ ଏବେ ମଧ୍ୟ ମୃତ୍ୟୁଦଣ୍ଡ ପ୍ରଚଳିତ ଅଛି। ଅନେକ ସଂଗଠନ ଏହାକୁ ବିରୋଧ କରୁଥିବେ ବେଳେ ବିଭିନ୍ନ ସରକାର ମୃତ୍ୟୁଦଣ୍ଡର ବିକଳ୍ପ ଖୋଜୁଛନ୍ତି। ମାନବାଧିକାର ସଂଗଠନ ମଧ୍ୟ ମୃତ୍ୟୁଦଣ୍ଡକୁ କଡା ନିନ୍ଦା କରିଛି। ବିଶେଷ କରି ମୁସଲମାନ ବହୁଳ ଦେଶରେ ମୃତ୍ୟୁଦଣ୍ଡ ଅଧିକ ପ୍ରଚଳିତ ରହିଛି।