କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କଥିତ ମାଡ଼ ଘଟଣା; ଥାନାରେ ଏତଲା, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା
Advertisement

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କଥିତ ମାଡ଼ ଘଟଣା; ଥାନାରେ ଏତଲା, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା

ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଡିଜାଇନ୍ ଫଟୋ

ପ୍ରିୟବ୍ରତ ମିଶ୍ର, ମୟୂରଭଞ୍ଜ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ଇଂ ବିଶ୍ବେଶର ଟୁଡୁ। ସେ ୨ ସରକାରୀ ଅଧିକାରୀଙ୍କୁ ମାଡମାରିଥିବା ଅଭିଯୋଗ ହୋଇଛି। ଆହତ ଅଧିକାରୀମାନେ ବାରିପଦା ଟାଉନ ଥାନରେ ଏନେଇ ଏତଲା ଦେଇଛନ୍ତି। ଗୁରୁତର ଆହତ ହୋଇଥିବା ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଶ୍ଵିନୀଙ୍କ ଅଭିଯୋଗ ଅନୁସାରେ ପୋଲିସ ଥାନାରେ ୫୦/୨୨ ନଂରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ସାଂସଦଙ୍କ ବିରୁଦ୍ଧରେ IPCର ଦଫା ୨୯୪, ୩୨୩, ୩୨୫, ୩୪୧ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଛି।

Also Read: ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକା; ୫ ମୃତ, ୫ ଗୁରୁତର

  • ଦଫା ୨୯୪: ସର୍ବସାଧାରଣରେ ଅଶ୍ରବ୍ୟ ଭାଷାର ବ୍ୟବହାର (ତିନି ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ)
  • ଦଫା ୩୨୩: ସ୍ୱେଚ୍ଛାକୃତ ଭାବେ ଆଘାତ କରିବା (ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ)
  • ଦଫା ୩୨୫: ସ୍ୱେଚ୍ଛାକୃତ ଭାବେ ଗୁରୁତର ଆଘାତ କରିବା (ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ)
  • ଦଫା ୩୪୧: ବଳପୂର୍ବକ ଜଣଙ୍କୁ ବେଆଇନ ଭାବେ ଅଟକାଇବା (ମାସେ ଜେଲ ଦଣ୍ଡ)
  • ଦଫା ୫୦୪: ଉଦ୍ଦେଶ୍ୟମୂଳକ ଭାବେ ଅପମାନ କରିବା (ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ)

ତେବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାମରେ ଯେତିକି ଦଫା ଲାଗିଛି, ସବୁଥିରେ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳେ।

ସୂଚନାନୁସାରେ, ସାଂସଦ ପାଣ୍ଠିର ସମୀକ୍ଷା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଲକ୍ଷ୍ମୀପୋଷୀ ନିକଟସ୍ଥ ବିଜେପି ଅଫିସକୁ ଡାକିଥିଲେ। ସେଠାରେ ମନ୍ତ୍ରୀ ଉତ୍କ୍ଷିପ୍ତ ହୋଇ ସଟର ବନ୍ଦ କରାଇ ଦୁଇ ସରକାରୀ ଅଧିକାରୀଙ୍କୁ ଏକ ପ୍ଲାଷ୍ଟିକ ଚେୟାରରେ ନିର୍ଧୁମ ପିଟିବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ହୋଇଛି।

Also Read: ୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ୭ ମୃତ, ଅନେକ ଆହତ

ଏନେଇ ସରକାରୀ କର୍ମଚାରୀ ଦ୍ବୟ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ଲିଖିତ ଭାବେ ଅଭିଯୋଗ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ କଥିତ ମାଡ଼ ଫଳରେ ଅଶ୍ୱିନୀଙ୍କ ବାମ ହାତ ଭାଙ୍ଗି ଯାଇଛି। ତାଙ୍କୁ ସର୍ଜରୀ ପାଇଁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବ ସୂଚନା ମିଳିଛି। 

fallback

ଅନ୍ୟପଟେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଖଣ୍ଡନ କରିଛନ୍ତି। ଏହା ମିଥ୍ୟା ଅଭିଯୋଗ, ଏହା ଏକ ରାଜନୈତିକ ଚାଲ। ମୁଁ ମାଡ଼ ମାରିଥିଲେ କଣ ଏ ମାନେ ବାହାରକୁ ଯାଇ ପାରିଥାନ୍ତେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହଁ। ତିନି ମାସ ପୂର୍ବେ କେଉଁଝରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ ମନ୍ତ୍ରୀ ଜଣେ ଇଞ୍ଜିନିୟରଙ୍କୁ ମାଡ ଧମକ ଦେଇଥିଲେ।

fallback

ମନ୍ତ୍ରୀଙ୍କ ସଫେଇ ପରେ ଏବେ ପ୍ରଶ୍ନ ଉଠୁଛି, ଯଦି ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ ମାରି ନାହାନ୍ତି ତେବେ କିଏ ମାରିଛି? ସେମାନେ ନିଜେ ନିଜ ଉପରେ ଆକ୍ରମଣ କରାଇଛନ୍ତି କି? ଏହା ପଛରେ ରାଜନୈତିକ ନା ବ୍ୟକ୍ତିଗତ ଶତ୍ରୁତା ରହିଛି? କେନ୍ଦ୍ର ମନ୍ତ୍ରୀ ମିଛ କହୁନାହାନ୍ତି ତ? ପୋଲିସ ଜାଣିଶୁଣି ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ ଦୁର୍ବଳ ଦଫା ଲଗାଇଛି କି?