ଏଥର ଆନ୍ଦୋଳନ ପଡ଼ିପାରେ ମହଙ୍ଗା
Advertisement

ଏଥର ଆନ୍ଦୋଳନ ପଡ଼ିପାରେ ମହଙ୍ଗା


ଆଉ ଚଳିବନି ଓକିଲଙ୍କ ଆନ୍ଦୋଳନ...କାର୍ଯ୍ୟରେ ଯୋଗ ନଦେଲେ ହୋଇପାରନ୍ତି ନିଲମ୍ବିତ...ବିଭିନ୍ନ ବାର ଆସୋସିଏସନକୁ ଚିଠି ଲେଖିଲା ବାର କାଉନସିଲ ଅଫ ଇଣ୍ଡିଆ...

ଫାଇଲ ଫଟୋ

ଅମିତ ମହାନ୍ତି, ନୂଆଦିଲ୍ଲୀ: ମହଙ୍ଗା ପଡିପାରେ ଓକିଲଙ୍କ ଆନ୍ଦୋଳନ । କୋର୍ଟ କାର୍ଯ୍ୟରେ ସହଯୋଗ ନକଲେ ନିଲମ୍ବିତ ହୋଇପାରନ୍ତି ଆନ୍ଦୋଳନରତ ଓକିଲ । ଏନେଇ ସମସ୍ତ ବାର ଆସୋସିଏସନର ସଭାପତି ଓ ସମ୍ପାଦକଙ୍କୁ ଚିଠି ଲେଖି ଚେତାଇ ଦେଇଛି ବାର କାଉନସିଲ ଅଫ୍ ଇଣ୍ଡିଆ । ରାଜ୍ୟରେ ଚାଲିଥିବା ଆନ୍ଦୋଳନକୁ  ତୁରନ୍ତ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ହାଇକୋର୍ଟ ବାର୍ ସଙ୍ଘ ସମେତ ଆନ୍ଦୋଳନରତ ରାଜ୍ୟର ମୋଟ ୬୮ଟି ବାର୍ ସଙ୍ଘର ସଭାପତି ଓ ସମ୍ପାଦକଙ୍କୁ କାଉନସିଲ ଚିଠି ଲେଖିଥିବା ଜଣାପଡିଛି । 

ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପାଇବା ପରେ ବାର୍ କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା। ଆନ୍ଦୋଳନ ଯୋଗୁଁ ଅନେକ କାର୍ଯ୍ୟଦିବସ ନଷ୍ଟ ହେଉଥିବାରୁ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ତେବେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି ବାର କାଉନସିଲ ଅଫ୍ ଇଣ୍ଡିଆ । କୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଦାବିରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ ଓ ତଳ କୋର୍ଟ ଅଚଳ ହୋଇପଡ଼ିଛି। 

ପୂର୍ବରୁ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟକୁ ତାଗିଦ୍ ମଧ୍ୟ କରିସାରିଛନ୍ତି । ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଓକିଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ନଭେମ୍ବର ୧ରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଏବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି। ହାଇକୋର୍ଟ ଓ ତଳ କୋର୍ଟ ଅଚଳ ପ୍ରସଙ୍ଗରେ ଓଡ଼ିଶାର ହାଇକୋର୍ଟ ବାର ସହ ମୋଟ୍ ୬୮ଟି ଓକିଲ ସଙ୍ଘକୁ ଚିଠି ଲେଖିଛି ଭାରତୀୟ ବାର ଆସୋସିଏନ । 

ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆଦେଶ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏପରିକି ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଓକିଲଙ୍କୁ ନିଲମ୍ବନ କରାଯିବ ବୋଲି ସ୍ପଷ୍ଟ କରିଛି କାଉନସିଲ । କାର୍ଯ୍ୟରେ ଯୋଗ ଦେଇ ନଭେମ୍ବର ୩ ସୁଦ୍ଧା ସମସ୍ତ ସୂଚନା ଦେବାକୁ କୁହାଯାଇଛି ।