ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାର (Western Odisha) ଅନ୍ୟତମ ପୁରାତନ ତଥା ପ୍ରମୁଖ ରେଳ ଷ୍ଟେସନ ସମ୍ବଲପୁର ରୋଡ ଦୋହରିକରଣ ପାଇଁ ବନ୍ଦ ହେବାକୁ ଯାଉଛି। ଏକଦା ସାରା ଓଡ଼ିଶାର ଏକ ପ୍ରମୁଖ ରେଳ ଷ୍ଟେସନ ଭାବରେ ସମ୍ବଲପୁର ରୋଡ ଷ୍ଟେସନ ପରିଗଣିତ ହେଉଥିଲା।
Trending Photos
ସମ୍ବଲପୁର: ବନ୍ଦ ହେବାକୁ ଯାଉଛି ୧୨୫ ବର୍ଷର ସମ୍ବଲପୁର ରୋଡ ରେଳ ଷ୍ଟେସନ। ଏଥିପାଇଁ ରେଳ ବିଭାଗ ପକ୍ଷରୁ ସମ୍ବଲପୁର ଡିଆରଏମ ଅଫିସକୁ ଚିଠି ଆସି ପହଞ୍ଚିଛି। ସମ୍ବଲପୁର ରେଳ ଡିଭିଜନ ଏହି ଷ୍ଟେସନକୁ ବନ୍ଦ କରିବାର ଆବଶ୍ୟକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଏହି ସର୍ବପୁରାତନ ରେଲଷ୍ଟେସନର ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସାଧାରଣରେ ଦାବି ଜୋର ଧରିବା ସହ ଏନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ରାଜନୈତିକ ଦଳ ସହ ସମ୍ବଲପୁର ସହରର ବିଭିନ୍ନ ସଂଗଠନ। ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଧାରଣା ଦିଆ ଯାଇଥିଲା।
ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାର (Western Odisha) ଅନ୍ୟତମ ପୁରାତନ ତଥା ପ୍ରମୁଖ ରେଳ ଷ୍ଟେସନ ସମ୍ବଲପୁର ରୋଡ ଦୋହରିକରଣ ପାଇଁ ବନ୍ଦ ହେବାକୁ ଯାଉଛି। ଏକଦା ସାରା ଓଡ଼ିଶାର ଏକ ପ୍ରମୁଖ ରେଳ ଷ୍ଟେସନ ଭାବରେ ସମ୍ବଲପୁର ରୋଡ ଷ୍ଟେସନ ପରିଗଣିତ ହେଉଥିଲା। ଏପରି କି ଜାତିର ଜନକ ମହାତ୍ମା ଗାନ୍ଧୀ (Mahatma Gandhi) ତାଙ୍କ ସମ୍ବଲପୁର ଗସ୍ତ ସମୟରେ ସମ୍ବଲପୁର ରୋଡ ରେଳ ଷ୍ଟେସନରେ ଓଲ୍ଲାଇ ଥିଲେ। ତେବେ ଖୁବଶୀଘ୍ର ଏହି ରେଳ ଷ୍ଟେସନ ଇତିହାସରେ ପରିଣତ ହେବ।
Also Read: ଝାଡଖଣ୍ଡୀ ଗାଡିରେ ଗଞ୍ଜେଇ, ଧରିଦେଲା ରେଙ୍ଗାଲି ପୋଲିସ
ସମ୍ବଲପୁର ରେଳ ଷ୍ଟେସନ (Sambalpur Railway Station) ରୁ ସିଟି ଷ୍ଟେସନ ରେଳ ଲାଇନର ଦୋହରିକରଣ କାଯ୍ୟ ପାଇଁ ସମ୍ବଲପୁର ରୋଡ (Sambalpur Road) ଷ୍ଟେସନଟି ବଳିପଡିବ। ରେଳବାଇ କର୍ତ୍ତୃପକ୍ଷ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରି କରିଛନ୍ତି ଯେ, ଅନୁଗୋଳ-ସମ୍ବଲପୁର ରେଳ ଲାଇନ ଦୋହରିକରଣ ପାଇଁ ଏହି ଷ୍ଟେସନ ମୁଖ୍ୟ ପ୍ରତିବନ୍ଧକ ହୋଇଥିବାରୁ ସବୁଦିନ ପାଇଁ ଏହାକୁ ବନ୍ଦ କରାଯିବା ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ସମ୍ବଲପର ଡିଆରଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରେଲଲାଇନର ଦୋହରିକରଣ କରାଗଲେ ବହୁ ଦୂରଗାମୀ ଟ୍ରେନ ସମ୍ବଲପୁର ଦେଇ ଯାତାୟାତ କରିପାରିବ। ଆଗକୁ ସମ୍ବଲପୁର ରେଳ ମଣ୍ଡଳ (Sambalpur Railway Division) ର ବିକାଶ ତଥା ଅଞ୍ଚଳର ବୃହତ୍ତର ସ୍ବାର୍ଥରକ୍ଷା ପାଇଁ ଏହି ଷ୍ଟେସନକୁ ବନ୍ଦ କରାଯିବା ଅନିବାର୍ଯ୍ୟ ବୋଲି ରେଳମଣ୍ଡଳ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।
ଏଥିସହ ସମ୍ବଲପୁର ରେଳ ମଣ୍ଡଳରେ ଯାତ୍ରୀ ଓ ମାଲ ପରିବହନ ବ୍ୟବସ୍ଥାକୁ ଅଧିକ ସଦୁଢ଼ କରିବାକୁ ସମ୍ବଲପୁର-ଅନୁଗୋଳ ରେଳ ଲାଇନ ଦୋହରିକରଣ ଓ ବିଦ୍ୟୁତିକରଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି କ୍ରମରେ ସମ୍ବଲପୁରର ସର୍ବପୁରାତନ ଫାଟକ (ସମ୍ବଲପୁର ରୋଡ଼) ରେଳ ଷ୍ଟେସନକୁ ବନ୍ଦ କରାଯାଉଛି। ୧୨୫ ବର୍ଷ ଧରି ପଶ୍ଚିମ ଓଡିଶାରେ ଲୋକଙ୍କ ସେବା କରି ଆସିଥିବା ସମ୍ବଲପୁର ରୋଡ଼ ଷ୍ଟେସନ ତାର ଅସ୍ତିତ୍ବ ହରାଇବ। ଅବଶ୍ୟ ଅନେକ ବର୍ଷ ତଳୁ ଏହି ସଙ୍କେତ ମିଳି ସାରିଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁ ଏହାକୁ କାର୍ଯ୍ୟକାରୀ କରା ଯାଉନଥିଲା। ଦୀର୍ଘ ୧୨୫ ବର୍ଷହେଲା ସମ୍ବଲପୁରବାସୀଙ୍କୁ ସୁଖ ଦୁଃଖର ସାଥୀ ହୋଇ ଆସିଥିବା ଏହି ଷ୍ଟେସନ ବନ୍ଦ କରି ଦିଆଯିବା ସହରବାସୀଙ୍କ ଆବେଗକୁ ଆନ୍ଦୋଳିତ କରିଛି।
Also Read: କାଟିଦେଲେ ବିଜୁଳି; ବିଦ୍ୟୁତ କାର୍ଯ୍ୟାଳୟ ଫାଟକ ବନ୍ଦ କରିଦେଲେ ଗ୍ରାମବାସୀ
ରେଳ ଷ୍ଟେସନକୁ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ (Biju Yuva Chatra Janata Dal) ପକ୍ଷରୁ ସମ୍ବଲପୁର ଡିଆରଏମ ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇ ଧାରଣା ଦିଆଯାଇଛି। ବିଜେଡି ଅଭିଯୋଗ କରିଛି ଯେ, ସମ୍ବଲପୁର ରୋଡ ଷ୍ଟେସନଟି ଜିଏମ ବିଶ୍ୱବିଦ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବସଷ୍ଟାଣ୍ଡ ଆଦି ଅନେକ ଗୁରୁତ୍ୱପୂଣ୍ଣ ସ୍ଥାନ ସହିତ ସହରର କେନ୍ଦ୍ରସ୍ଥଳୀରେ ଅଛି। ତେଣୁ ଯାତ୍ରୀମାନଙ୍କ ପାଇଁ ଏହି ଷ୍ଟେସନରେ ଓହ୍ଲାଇବା ସହଜ ହେଉଥିଲା। ଏଣୁ ଏଭଳି ଏକ ଐତିହ୍ୟ ସମ୍ପନ୍ନ ରେଳ ଷ୍ଟେସନକୁ ହେରିଟେଜ ଷ୍ଟେସନ ଭାବରେ ବିକଶିତ କରିବା ବଦଳରେ ଦିନକୁ ଦିନ ଏହି ଷ୍ଟେସନରେ ଟ୍ରେନ ରହଣିକୁ କମ କରିବା ସହିତ ଏହାକୁ ବନ୍ଦ କରିବା ପାଇଁ ଯୋଜନା ଦୁର୍ଭାଗ୍ୟଜନକ ଅଟେ ବୋଲି ବିଜେଡି କହିଛି।ରେଲବିଭାଗ ଏହି ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ଏନେଇ ଏକ ଦାବି ପତ୍ର ମଧ୍ୟ ସମ୍ବଲପୁର ଡିଆରଏମଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା