ଢିପ ଜମିରେ ପହଞ୍ଚି ପାରୁନି ଜଳ; ପାଣି ଅଭାବରୁ ପୋଡିଗଲାଣି ଫସଲ
Advertisement
Article Detail0/zeeodisha/odisha962075

ଢିପ ଜମିରେ ପହଞ୍ଚି ପାରୁନି ଜଳ; ପାଣି ଅଭାବରୁ ପୋଡିଗଲାଣି ଫସଲ

ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମି ଫାଟିବା ସହ ଲଗାଯାଇଥିବା ମକା, ଧାନ ତଳି ପୋଡିବାରେ ଲାଗିଛି।

ଢିପ ଜମିରେ ପହଞ୍ଚି ପାରୁନି ଜଳ; ପାଣି ଅଭାବରୁ ପୋଡିଗଲାଣି ଫସଲ

ପ୍ରେମାନନ୍ଦ ପୂଜାରୀ,ମୋହନା: ଚଳିତ ବର୍ଷ ବର୍ଷା ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିବାରେ ଲାଗିଛି ଏକର ଏକର ଚାଷ ଜମି। କେଉଠିଁ ଚାଷଜମିର ମାଟି ଫାଟି ଆଁ କଲାଣି ତ ଅନ୍ୟ କେଉଁଠି ଧାନ ତଳି ପୋଡିଗଲାଣି। ସେପଟେ ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ଉଭୟ କେନ୍ଦ୍ର-ରାଜ୍ୟ ସରକାର ମାଳ ମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା।

ଢିପ ଜମିରେ ଜଳସେଚନ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ସହ ଠିକାଦାରଙ୍କ ସହ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ ଏହି କାମ ବର୍ଷ ବର୍ଷ ଧରି ଧିମେଇ ଯିବା ସହ ଚାଷୀ ଏହାର ସୁଫଳ ପାଇବା ପରିବର୍ତ୍ତେ ହନ୍ତସନ୍ତ ହେଉଛନ୍ତି। ଗଜପତି ଜିଲ୍ଲା ଅଡବା ଗ୍ରାମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍

ହରଭଙ୍ଗୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅଡବା ଗ୍ରାମର ରହିଛି ୨୦୦ ଏକରରୁ ଉର୍ଦ୍ଧ୍ୱ ଢିପ ଚାଷଜମି। ଏହି ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ଉଠା ଜଳସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଦୁଇଟି ବିଦ୍ୟୁତ ଚାଳିତ ମଟର ନଦୀ ତଟରେ ବସାଯାଇଥିବା ବେଳେ ଢିପରେ ଥିବା ଜମିକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ୯ ଗୋଟି ଜଳ ଉତ୍ସ ନିର୍ମାଣ କରାଯାଇଛି। 

ହେଲେ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ରହିଥିବା ମଧୁଚନ୍ଦ୍ରିକାରେ ଏହି ନିର୍ମାଣାଧିନ ଏହି ଉଠାଜଳସେଚନ ପ୍ରକଳ୍ପ ଏବେ ଅଧପନ୍ଥରିଆ ଅବସ୍ଥାରେ ପଡିଥିବା ବେଳେ ଏହାର ଅନେକ ଯନ୍ତ୍ରାଂଶ ଭାଙ୍ଗିରୁଜି ଗଲାଣି। ନିର୍ମାଣର ୫ ବର୍ଷ ବିତିଯିବାକୁ ବସିଥିବା ବେଳେ ନିଜ ଚାଷ ଜମିକୁ ଜଳସେଚନ ସୁବିଧା ନପାଇ ହନ୍ତସନ୍ତ ହେଉଛନ୍ତି ଚାଷୀ। ଯାହା ଫଳରେ ପ୍ରତି ବର୍ଷ ବର୍ଷା ଜଳ ଉପରେ ନିର୍ଭର କରି ଧାନ,ମାଣ୍ଡିଆ,ମକା ଆଦି ଫସଲ ଚାଷ କରୁଛନ୍ତି ଚାଷୀ। 

Also Read: କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?

ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମି ଫାଟିବା ସହ ଲଗାଯାଇଥିବା ମକା, ଧାନ ତଳି ପୋଡିବାରେ ଲାଗିଛି। ସାହୁକାରଙ୍କ ଠାରୁ ଧାର କରଜ କରି ବିହନ, ସାର ଆଣିଥିବା ଚାଷୀ ଋଣ ପରିଶୋଧ କିପରି କରିବେ ତାହା ଏବେ ସେମାନଙ୍କ ଚିନ୍ତାକୁ ବଢାଇଦେଇଛି।

ଅଡବା ଅଞ୍ଚଳରେ ନିର୍ମାଣ ହୋଇଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଏବଂ ଚାଷ ଜମିକୁ ଜଳସେଚନ କରିବା ନେଇ ପାଣିପଞ୍ଚାୟତ ତଥା ଚାଷୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି ହେଲେ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି ଚାଷୀ। ସେପଟେ ଅଚଳ ହୋଇ ପଡିରହିଥିବା ପ୍ରକଳ୍ପ ବିଷୟରେ ଆମେ ମୋହନା ଉଠା ଜଳସେଚନ ବିଭାଗୀୟ ଯନ୍ତ୍ରୀ ବିଘ୍ନେଶ୍ବର ସିଂହଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦିଆଯାଉନାହିଁ ବୋଲି ଆମକୁ ରୋକଠୋକ କହିଥିଲେ।

Also Read: ଝରଣା ପାଣିର ବ୍ୟବହାର କରି ଉପକୃତ ଚାଷୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାର ଚାଷୀଙ୍କ ସୁବିଧା ଲାଗି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଚାଷ ଜମି ଜଳସେଚିତ ହୋଇ ପାରିନାହିଁ। ଏହି ସମସ୍ୟା ନେଇ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ନିରାଶ ହୋଇଥିବା ଚାଷୀକୂଳ ଏବେ ହତାଶ ହୋଇପଡି଼ଥିବା ବେଳେ ଏଥର କୌଣସି ସୁଫଳ ନିମିଳିଲେ ଆତ୍ମହୁତି ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ସେମାନେ।