ବ୍ରିଡିଙ୍ଗ୍ ଫାର୍ମ: ଲୁଟୁଛି ପାଣି, ବାଣ୍ଟୁଛି ରୋଗ !
Advertisement
Article Detail0/zeeodisha/odisha704020

ବ୍ରିଡିଙ୍ଗ୍ ଫାର୍ମ: ଲୁଟୁଛି ପାଣି, ବାଣ୍ଟୁଛି ରୋଗ !

ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଭେଙ୍କ ବ୍ରିଡିଙ୍ଗ୍ ଫାର୍ମ ନାଁରେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ମିଶ୍ର, ମୟୂରଭଞ୍ଜ: ବେଆଇନ ଭାବେ ଚାଲିଛି ଭୂତଳ ଜଳ ଉଠାଣ । ଦୀର୍ଘ ବର୍ଷ ଧରି ମାଟି ତଳୁ ଟାଣି ଚାଲିଛନ୍ତି ଲକ୍ଷ ଲକ୍ଷ ଲିଟର ଜଳ । ଯେଉଁଥିପାଇଁ ଆଖପାଖ ଗାଁ ଗୁଡିକରେ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଉଠା ଜଳସେଚନ ବିଭାଗ ସବୁ ଜାଣି ମଧ୍ୟ ସାଜିଛନ୍ତି ନିରବଦ୍ରଷ୍ଟା । 

ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଭେଙ୍କ ବ୍ରିଡିଙ୍ଗ୍ ଫାର୍ମ ନାଁରେ । ୨୦୧୨ ମସିହାରୁ ଏହି ଫାର୍ମଟି ବେଆଇନ ଭାବେ ବୋରିଂ ସାହାଯ୍ୟରେ ଉଠାଇ ଚାଲିଛି ଲକ୍ଷ ଲକ୍ଷ ଲିଟର ଭୂତଳ ଜଳ । ନା ଏଥିପାଇଁ ନିଆଯାଇଛି କୌଣସି ବିଭାଗୀୟ ସ୍ୱୀକୃତି ନା ହୋଇଛି କୌଣସି ରେଜିଷ୍ଟ୍ରେସନ । ଯାହାଫଳରେ ଏହି ଫାର୍ମ ପାଖରେ ଥିବା ଗାଁ ଗୁଡିକରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି ।  ଭୂମି ତଳୁ ଜଳସ୍ତର କମିଯାଉଥିବାରୁ ନିକଟସ୍ଥ କୂଅ, ପୋଖରୀ, ବୋରୱେଲ ଆଦି ଶୁଖିଚାଲିଛି । ଯେଉଁଥି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସେତିକି ନୁହେଁ, ଏହି ଫାର୍ମ ପରିବେଶକୁ ପ୍ରଦୂଷିତ କରୁଥିବାରୁ ଗାଁରେ ନାନା ପ୍ରକାର ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ତେବେ ଏନେଇ ମୟୂରଭଞ୍ଜ ଉଠାଜଳସେଚନ ବିଭାଗର ଅଧିକାରୀ ସବୁ କଥା ଜାଣିଥିବା ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ, ଏ ବାବଦରେ କୌଣସି ପଦକ୍ଷେପ ନେବାକୁ ନିଜର ଅକ୍ଷମତା ବି ପ୍ରକାଶ କରିଛନ୍ତି ମୟୂରଭଞ୍ଜ ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ।