ଜଳୁଛି ରାଜଧାନୀ ଭୁବନେଶ୍ବର; ଗରମ ନେଉଛି ଜୀବନ
Advertisement
Article Detail0/zeeodisha/odisha1154824

ଜଳୁଛି ରାଜଧାନୀ ଭୁବନେଶ୍ବର; ଗରମ ନେଉଛି ଜୀବନ

ମହାବିଷୁବ ସଂକ୍ରାନ୍ତି ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିଛି। 

ଜଳୁଛି ରାଜଧାନୀ ଭୁବନେଶ୍ବର; ଗରମ ନେଉଛି ଜୀବନ

ଭୁବନେଶ୍ୱର: ଗତବର୍ଷ ଫେବୃଆରୀରୁ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଥିଲା। ଏଠାରେ ସର୍ବାଧିକ ତାପମାତ୍ରା ୪୦.୪ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଥିଲା। ପୂର୍ବରୁ ମଧ୍ୟ ଫେବୃଆରୀରେ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବାର ରେକର୍ଡ ରହିଛି। ୧୯୬୩ ଫେବୃଆରୀ ଭୁବନେଶ୍ୱର ତାପମାତ୍ରା ୪୨.୩ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିବା ବେଳେ, ୨୦୧୨ ବର୍ଷରେ ୪୦.୧ ଡିଗ୍ରୀ, ୨୦୧୬ ବର୍ଷରେ ୪୦.୯ଡିଗ୍ରୀ, ୨୦୧୯ବର୍ଷରେ ୩୯.୪ ଡିଗ୍ରୀ ରହିଥିଲା। ବିଗତ ଦିନରେ ଭୁବନେଶ୍ୱରରେ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ଚଳିତବର୍ଷ ଭାଙ୍ଗିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। 

ମହାବିଷୁବ ସଂକ୍ରାନ୍ତି ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିଛି। ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ପଶ୍ଚିମ ଓଡିଶାର ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ଡିଗ୍ରୀ ରେକର୍ଡ ହୋଇଛି। ଉତ୍ତର ଓଡିଶା ସମେତ ଉପକୂଳ ଓ ଦକ୍ଷିଣ ଓଡିଶାରେ ତାପମାତ୍ରା ବଢିଛି। ୧୬ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଅଛି। ପାଣିପାଗ ବିଭାଗର ସୂଚନାଅନୁଯାୟୀ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ଦିନ ତାପମାତ୍ର ୩ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଯାହାର ଫଳସ୍ୱରୂପ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲା ତାତି ଉଠିବ। ତାପମାତ୍ରା ବୃଦ୍ଧି ଡରାଉଛି ଅଂଶୁଘାତ ତଥା ଗ୍ରୀଷ୍ମ ଲହରୀ ମୃତ୍ୟୁ। ଗତ ୫୦ ବର୍ଷରେ ତାପମାତ୍ରା ବୃଦ୍ଧି ଜନିତ ଗ୍ରୀଷ୍ମ ଲହରୀ ନେଇଛି ୧୭ ହଜାର ଜୀବନ। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ସର୍ବାଧିକ ଗ୍ରୀଷ୍ମ ଲହରୀ ଜନିତ ମୃତ୍ୟୁ ଘଟଣା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଘଟୁଛି। କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା। ସବୁଠି ହା-ହୁତାଶମୟ ପରିବେଶ। 

ବିଶ୍ୱ ତାପନ ବୃଦ୍ଧି ଏବଂ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି। ସେହିପରି ଆମ ଦେଶରେ ୧୯୫୦ ମାସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହ ବ୍ୟାପୀ ବନମହୋତ୍ସବ ପାଳିତ ହୋଇ ଆସୁଅଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସଚେତନ ସୃଷ୍ଟି କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନ ସହଯୋଗକୁ ଉତ୍ସାହିତ କରିବା। ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ। ସୂଚନାଯୋଗ୍ୟ ଯେ ୧୯୯୮ ମସିହାରେ ରାଜ୍ୟରେ ଅଂଶୁଘାତରେ ୨୦୪୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୧୫ ପରେ ଏହା କ୍ରମାଗତ ଭାବେ ହ୍ରାସ ପାଉଥିଲା। ୨୦୧୬ ବର୍ଷରେ ୫୪, ୨୦୧୭ ବର୍ଷରେ ୪୫, ୨୦୧୮ ବର୍ଷରେ ୬୦, ୨୦୧୯ ବର୍ଷରେ ୫୦, ୨୦୨୦ ବର୍ଷରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏନେଇ ସତର୍କ ରହିବା ପାଇଁ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।