Mahaprayana Fail: ସିନାପାଲି କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସ୍ଥାନୀୟ ଅଞ୍ଚଳର ଲୋକ ମୃତଦେହକୁ ନେଉଥିବା ସମୟର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଏହି ଘଟଣା ସରକାରୀ ଯୋଜନାକୁ ଏକ ଶକ୍ତ ଚଟକଣା ପକାଇଛି।
Trending Photos
Mahaprayana Fail: ଭୁବନେଶ୍ୱର: ଜନ୍ମରୁ ମରଣ ପର୍ଯ୍ୟନ୍ତ ସରକାର ଯୋଜନା (Government Scheme) ଉପରେ ଯୋଜନା କରିଛନ୍ତି। କିନ୍ତୁ ତଳସ୍ତରରେ ଥିବା ହିତାଧିକାରୀ ପାଇଁ କିନ୍ତୁ ଏହି ଯୋଜନା ସାତ ସପନ। ଗୋଟିଏ କି ଦୁଇଟି ଘଟଣା ନୁହେଁ ଏଭଳି ଶହଶହ ଘଟଣା ରହିଛି ଯାହା ସରକାରୀ ଯୋଜନାକୁ କାଠଗଡ଼ାରେ ଛିଡା କରାଇଛି। ମୃତକଙ୍କ ଶରୀରକୁ ନେବା ପାଇଁ ସରକାର ମହାପ୍ରୟାଣ ଗାଡିର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ମହାପ୍ରୟାଣ ଗାଡ଼ି ନମିଳିବାରୁ ଜଣେ ମହିଳାଙ୍କ ମୃତଦେହକୁ ନିଜ କାନ୍ଧରେ ପରିବାର ଲୋକେ ବୋହି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ହୃଦୟ ବିଦାରକ ଦୃଶ୍ୟ ନୂଆପଡ଼ା ଜିଲ୍ଲାର ସିନାପାଲି ଜିଲ୍ଲାରୁ ଆସିଛି।
ମିଳିଥିବା ସୂଚନା ମୁତାବକ ଏହି ଘଟଣା ସିନାପାଲି ଅଞ୍ଚଳର। ସିନାପାଲି କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସ୍ଥାନୀୟ ଅଞ୍ଚଳର ଲୋକ ମୃତଦେହକୁ ନେଉଥିବା ସମୟର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଏହି ଘଟଣା ସରକାରୀ ଯୋଜନାକୁ ଏକ ଶକ୍ତ ଚଟକଣା ପକାଇଛି। ସୂଚନା ମୁତାବକ ସିନାପାଲି ବ୍ଲକର ଗରଡ଼ମାଳ ଗ୍ରାମର ସରସ୍ୱତୀ ଶାହ ନାମକ ଜଣେ ମହିଳାଙ୍କ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଯାଇଥିଲା। ତେବେ ତାଙ୍କର ମୃତ ଶରୀରକୁ ନେବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନାହିଁ ଆମ୍ବଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯାଇନଥିଲା। ତେବେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମୃତ ଶରୀରକୁ କାନ୍ଧରେ ପରିବାର ଲୋକେ ନେଇଥିଲେ।
ମୃତକଙ୍କ ଶ୍ୱଶୂର ଘନଶ୍ୟାମ୍ କହିଛନ୍ତି ମୃତକଙ୍କ ଶରୀରରେ ସୁଗାରର ମାତ୍ରା ବଢିଯିବା କାରଣରୁ ସେ ବେହୋସ ହୋଇ ପଡ଼ିଥିଲେ। ଆମେ ସଙ୍ଗେ ସଙ୍ଗେ ତାଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ (CHC)କୁ ଆଣିଥିଲୁ। ତେବେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ତିମ ରୀତିନୀତି ପାଇଁ ଶବକୁ ଗାଁକୁ ଫେରାଇ ଆଣିବା ପାଇଁ ଯେତେବେଳେ ଆମେ ଆମ୍ବୁଲାନ୍ସ ମାଗିଥିଲୁ ସେମାନେ ଆମକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଯେତେବେଳେ ବି ଆମେ ସେମାନଙ୍କୁ ଡାକିଲୁ, ସେମାନେ କହିଥିଲେ ଯେ ୫ ମିନିଟରେ ପହଞ୍ଚିବେ ବୋଲି ଜବାବ ଦେଇଥିଲେ। ମାତ୍ର ଦୀର୍ଘ ସମୟ ବିତିବା ପରେ ଆମେ କେବଳ ମୃତଶରୀର ସହିତ ଛିଡା ହୋଇଥିଲୁ ବୋଲି ଘନଶ୍ୟାମ କହିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ କୌଣସି ବିକଳ୍ପ ବାକି ନ ଥିବାରୁ ଆମେ ଷ୍ଟ୍ରେଚର ସାହାଯ୍ୟରେ ମୃତଦେହକୁ ଟାଣିବାକୁ ବାଧ୍ୟ ହୋଇଥିଲୁ କାରଣ ମୃତ୍ୟୁ ବିଷୟରେ ଜାଣିବା ପରେ ଗାଁରେ ପରିବାର ସଦସ୍ୟ ଗୁରୁତର ହୋଇପଡିଥିଲେ। ସେପଟେ ମେଡିକାଲ ଇନଚାର୍ଜ ଥିବା ମୃଣାଳିନୀ ପ୍ରିୟଦର୍ଶିନୀ କହିଛନ୍ତି, ଆମ୍ବୁଲାନ୍ସ କିମ୍ବା ଶବ ବାହକ ଗାଡ଼ି ସବୁବେଳେ ଡାକ୍ତରଖାନାରେ ଉପଲବ୍ଧ ରହିଛି। କିନ୍ତୁ, ମୁଁ ଘଟଣା ସମ୍ପର୍କରେ ଅବଗତ ନଥିଲି। ମୋତେ ଏ ବିଷୟରେ କେହି ଜଣାଇ ନାହାଁନ୍ତି ବୋଲି ସେ ନିଜ ସଫେଇରେ କହିଛନ୍ତି।
Also Read: Odisha News: ମାଟ୍ରିକ ପରୀକ୍ଷା ପରେ ଉତ୍ତରଖାତା ଘରକୁ ନେଇଗଲେ ଛାତ୍ରୀ, ୨୧ ଦିନ ପରେ ମିଳିଲା ଖାତା