President Draupadi Murmu: ଆସନ୍ତାକାଲି ଶ୍ରୀକ୍ଷେତ୍ର ଗସ୍ତରେ ଆସୁଛନ୍ତି ମହାମହିମ, ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ପ୍ରସ୍ତୁତି ଶେଷ
Advertisement

President Draupadi Murmu: ଆସନ୍ତାକାଲି ଶ୍ରୀକ୍ଷେତ୍ର ଗସ୍ତରେ ଆସୁଛନ୍ତି ମହାମହିମ, ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ପ୍ରସ୍ତୁତି ଶେଷ

President Draupadi Murmus Puri Tour: ଆସନ୍ତାକାଲି ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ପାଇଁ ନିୟୋଜିତ ହେବେ ୨୪ ପ୍ଲାଟୁନ ଫୋର୍ସ। ସେପଟେ ପୋଲିସ ରାଷ୍ଟ୍ରପତିଙ୍କ ବ୍ଲବୁକ ସିକ୍ଯୁରିଟି ଉପରେ ଦେଉଛି ବିଶେଷ ଗୁରୁତ୍ୱ। 

ପ୍ରତୀକାତ୍ମକ ଫଟୋ

President of India: ଆସନ୍ତାକାଲି ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ତାଳବଣିଆ ହେଲିପ୍ୟାଡ ଠାରୁ ରାଜଭବନ ସହ ଶ୍ରୀମନ୍ଦିର ସବୁ ଏବେ ପ୍ରସ୍ତୁତ। ସେପଟେ ପୋଲିସ ରାଷ୍ଟ୍ରପତିଙ୍କ ବ୍ଲବୁକ ସିକ୍ଯୁରିଟି ଉପରେ ଦେଉଛି ବିଶେଷ ଗୁରୁତ୍ୱ। ଏନେଇ ଆଜି ଦୁଇ ଦୁଇଟି କାର୍କେଡ ରିହର୍ସାଲ କରିଛି ପୁରୀ ପୁଲିସ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ପାଇଁ ନିୟୋଜିତ ହେବେ ୨୪ ପ୍ଲାଟୁନ ଫୋର୍ସ। ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରାଜଭବନରେ କରିବେ ମହାପ୍ରସାଦ ଭୋଜନ। ଆଉ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ନିକଟରେ ପାଛୋଟି ନେବା ପାଇଁ କୌଳିକ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କର ମହାପ୍ରସାଦ ଖାଇବା ପାଇଁ ପିତ୍ତଳର ବାସନ ମଧ୍ଯ କିଣାଯାଇଛି। ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ  ମହାପ୍ରସାଦ ସେବନ କରିବା ପାଇଁ ରାଜ୍ଯପାଳଙ୍କ ସହ ଗଜପତି ମହାରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେପଟେ ରାଷ୍ଟ୍ରପତିଙ୍କୁ ଆତିଥ୍ୟ ଦେବା ପାଇଁ ସଜେଇ ହୋଇଛି ରାଜଭବନ।

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମ୍ପୂର୍ଣ ପ୍ରସ୍ତୁତ ଶ୍ରୀକ୍ଷେତ୍ର। ସେପଟେ ଗସ୍ତ କାର୍ଯ୍ଯକ୍ରମ ଅନୁଯାୟୀ ତାଳବଣିଆ ହେଲିପ୍ଯାଡ, ରାଜଭବନ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କରାଯାଇଛି ବ୍ଯାରିକେଡ। ପୁରୀ ତାଳବଣିଆ ହେଲିପ୍ଯାଡ ଠାରେ ୧୦ଟା ୧୦ ମିନିଟ ସମୟରେ ପହଞ୍ଚିବା ପରେ ଚକ୍ରତୀର୍ଥ ରୋଡ ଦେଇ ୧୦ ଟା ୩୦ ମିନିଟରେ ସିଧାସଳଖ ରାଜଭବନରେ ପହଞ୍ଚିବେ। ରାଜଭବନରେ କିଛି ସମୟ ରହିବା ପରେ ଦିନ ୧୧ଟା ୫୦ ମିନିଟରେ ରାଜଭବନରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ୧୨ଟାରୁ ୧୨ଟା ୪୫ ରହିଛି ଗର୍ଭଗୃହରେ ଦର୍ଶନ ବ୍ଯବସ୍ଥା। ଆଉ ୧୨ଟା ୫୦ ମିନିଟରେ ଦର୍ଶନ ସାରି ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିବେ। 

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଗୁରୁବାର ଅନୁଷ୍ଠିତ ହୋଇଛି କାରକେଡ ରିହର୍ସାଲ। ତାଳବଣିଆ ହେଲିପ୍ଯାଡ ଠାରୁ ରାଜଭବନ ଆଉ ରାଜଭବନରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ଦୁଇ ଦୁଇ ଥର କାରକେଡ ରିହର୍ସାଲ କରାଯାଇଛି। ପୁଣି ତଳବଣିଆ ହେଲିପ୍ଯାଡ ଠାରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ଭାବେ ରାସ୍ତାର ଦୁଇ ପାର୍ଶ୍ୱରେ ସୁରକ୍ଷା ଦୃଷ୍ଟି କୋଣରୁ ବ୍ଯାରିକେଡ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ  ମୁତୟନ ହେବେ ୨୪ ପ୍ଲାଟୁନ ପୋଲିସ ଫୋର୍ସ। ତନ୍ମଧ୍ୟରୁ ଏସପି ଏବଂ କମାଣ୍ଡାଣ୍ଟ ରାଙ୍କର ୫ଜଣ ଅଧିକାରୀଙ୍କ ସମେତ ଅତିରିକ୍ତ ଏସପି ରାଙ୍କର ୭ଜଣ ,ଡିଏସପି ରାଙ୍କର ୧୮ ଜଣ, ଇନ୍ସପେକ୍ଟର ରାଙ୍କର ୩୦ ଜଣ ଅଧିକାରୀ ନିୟୋଜିତ ରହିବେ। ଏହା ବ୍ୟତୀତ ସବ ଇନ୍ସେପେକ୍ଟର ଏବଂ ଏଏସଆଇ ରାଙ୍କର ୧୧୦ ଜଣ ଏବଂ ୩୦୦ ଗୃହରକ୍ଷୀଙ୍କୁ ରାଷ୍ଟ୍ରପତି ଗସ୍ତ ସମୟରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ। 

ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ବାୟୁସେନାର ସ୍ୱତନ୍ତ୍ର ୫ ଜଣିଆ ଅଧିକାରୀ ପହଞ୍ଚି ହେଲି କ୍ୟାପ୍ଟର ଅବତରଣ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ଦର୍ଶନକୁ ନେଇ ଦିନ ୧୦ଟା ୩୦ ମିନିଟରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେପଟେ ଶ୍ରୀମନ୍ଦିରରେ ଦର୍ଶନ ସରିବା ପରେ ରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ ସେବନର ବ୍ଯବସ୍ଥା ହୋଇଛି। ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ସଅଳ କରାଯାଇ ଦିନ ୧୧ଟା ୨୦ସୁଦ୍ଧା ସକାଳ ଧୂପ ସରି ୧୨ଟା ସୁଦ୍ଧା ବେଶ ଶେଷ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ। ସେବାୟତ ନିଯୋଗ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଅନେକ ଉପହାର ଦିଆଯିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ଯରେ କିଣାଯାଇଛି କଂସା ବାସନ। ଯେଉଁଥିରେ କଂସା ଥାଳି, ଥାଳିଆ, ଗିନା, ଗ୍ଲାସ, ଡଙ୍କି, ଚାମଚ ଏବଂ ହାତଧୋଇବା ପାଇଁ ପାତ୍ର ଆଦି କିଣାଯାଇ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ଖୋଦେଇ କରାଯାଇଛି। ଯେହେତୁ ରାଷ୍ଟ୍ରପ୍ରତି ଦ୍ରୌପଦି ମୁର୍ମୁ ଆମ ଓଡିଆ। ତେଣୁ ତାଙ୍କୁ ଆତିଥ୍ଯତା ଦେବା ସମସ୍ତ ସେବାୟତଙ୍କ ପାଇଁ ଗର୍ବ ଏବଂ ଗୌରବ ବିଷୟ। ପୁଣି ରାଜଭବନରେ ମହାପ୍ରସାଦ ଖାଇବା ପାଇଁ ବ୍ଯବସ୍ଥା କରାଯାଇଥିବା ବେଳେ ମାଟି ଏବଂ କଂସା ପାତ୍ରର ବ୍ଯବସ୍ଥା କରାଯାଇଛି। ରାଷ୍ଟ୍ରପତି ରାଜ୍ଯପାଳଙ୍କ ସମେତ ଗଜପତି ମହାରାଜଙ୍କ ସହ ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ନମନ୍ତ୍ରଣ କରାଯାଇଥିବାରୁ ଏହା ଶ୍ରୀମନ୍ଦିର ପରମ୍ପରାରେ ନୂଆ ଅଧ୍ଯାୟ ସୃଷ୍ଟି କରିବ। ସେପଟେ ରାଜଭବନରେ ରାଷ୍ଟ୍ରପତି ୨ ଘଣ୍ଟା ବିଶ୍ରାମ କରିବାର କାର୍ଯ୍ଯକ୍ରମ ରହିଥିବାରୁ ନୂତନ ରାଷ୍ଟ୍ରପତିଙ୍କ ପାଇଁ ଆକର୍ଷଣୀୟ ଭାବେ ସଜେଇ ହୋଇଛି ପୁରୀ ରାଜଭବନ। ସୁନ୍ଦର ଆଲୋକ ମାଳା ସହ ପ୍ରବେଶ ପଥ ଠାରୁ ଆରମ୍ଭ କରି ସମଗ୍ର ରାଜଭବନକୁ ବେଶ୍ ମନୋରମ କରାଯାଇଛି। 

ରାଜଭବନ ଗ୍ରାଉଣ୍ଡ ଫ୍ଲୋରରେ ଥିବା ୧ ନମ୍ବର କୋଠରୀରେ ରହିବେ ମହାମହିମ ରାଷ୍ଟ୍ରପତି। ମୋଟ ୧୭ଟି ରୁମ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମହାମହିମଙ୍କ ୧ ନମ୍ବର ରୁମର ସାଜସଜ୍ଜା ସବୁଠୁ ଭିନ୍ନ। ଭାରତର ପ୍ରଥମ ନାଗରିକ ହୋଇଥିବାରୁ ତାଙ୍କ ରୁମରେ ନମ୍ବର ଲେଖା ନାହିଁ। ମାତ୍ର ନମ୍ବର ବଦଳରେ ଅଶୋକ ସ୍ତମ୍ବ ଚିତ୍ର ରହିଛି। ବିଶେଷକରି ମହାମହିମଙ୍କ ବେଡରୁମରେ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ରହିଛି। ବେଡରୁମରେ ଦୁଇଟି ସୋଫା ପଡିଥିବା ବେଳେ ଡାଇନିଂରେ ଛଅଟି ସୋଫା ଏବଂ ଦୁଇଟି ବେଡ ଲ୍ଯାମ୍ପ ରହିଛି। ପୁଣି ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ମଧ୍ୟ ରହିଛି। ଆଉ ରାଜଭବନର ପ୍ରବେଶ ଦ୍ୱାରରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ ରଖାଯାଇ ଅତି ସୁନ୍ଦର ଭାବେ ସଜାଯାଇଛି। ପୁଣି ପଟ୍ଟଚିତ୍ରରେ ଜଗନ୍ନାଥଙ୍କ ପ୍ରତିମାକୁ ରଖାଯାଇଛି। ରାଜଭବନରେ ୧ , ୨ , ୩ ନମ୍ବର ରୁମ ରାଷ୍ଟ୍ରପତିଙ୍କ ପରବାର ଲୋକଙ୍କ ପାଇଁ ରହିଥିବା ବେଳେ ଉପର ମହଲାରେ ରାଜ୍ଯପାଳ ଗଣେଶୀ ଲାଲ ଏବଂ ତାଙ୍କ ପରିବାର ସହ ରାଷ୍ଟ୍ରପତଙ୍କ ବ୍ଯକ୍ତିଗତ ସଚିବଙ୍କ ପାଇଁ ବ୍ଯବସ୍ଥା ହୋଇଛି। ସମୁଦ୍ରକୁଳରେ ବୁଲିବା ପାଇଁ ମଧ୍ଯ ବ୍ଯବସ୍ଥା କରାଯାଇଛି। ଅନେକ ରାଷ୍ଟ୍ରପତି ଆସିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆମେ ବେଶ ଖୁସି ବୋଲି କହିଛନ୍ତି ରାଜଭବନ କର୍ମଚାରୀ।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ଯସୂଚୀ ଅନୁୟାଯୀ ଶ୍ରୀମନ୍ଦିରରୁ ଦିନ ୧ଟାରେ ରାଜଭବନରେ ପହଞ୍ଚିବା ପରେ ୧ ଘଣ୍ଟା ରହି ଦିନ ୨ଟାରେ ବାହାରିବେ ତାଳବଣିଆ ହେଲିପ୍ଯାଡ। ଦିନ ୨ଟା ୨୦ ମିନିଟରେ ହେଲିକ୍ଯାପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯିବେ। ଆଉ ଏହି ୪ ଘଣ୍ଟିଆ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ଯବସ୍ଥା ଚୁଡାନ୍ତ ପର୍ଯ୍ଯାୟରେ ରହିଛି।