Puri: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Advertisement
Article Detail0/zeeodisha/odisha1420755

Puri: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Panchak Vrat: ପଞ୍ଚୁକ ବ୍ରତ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆସନ୍ତା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ବଡଦାଣ୍ଡରେ ଏବେ ଠାରୁ ହଜାର ହଜାର ଭକ୍ତଙ୍କ ଗହଳି ଜମିଲାଣି। 

Puri: ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Bhishma Panchak Vrat: କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। ପଞ୍ଚୁକ ୫ ଦିନରେ ମହାପ୍ରଭୁ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାର୍ତ୍ତିକ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦୁର୍ଲ୍ଲଭ ରାଜରାଜେଶ୍ୱର ଅର୍ଥାତ ସୁନାବେଶ। କୋରୋନା ମହାମାରୀ କାରଣରୁ ବିଗତ ୨ ବର୍ଷ ହେବ ଭକ୍ତ ଏହି ଦର୍ଶନ ପାଇନଥିବା ବେଳେ ଚଳିତ ବର୍ଷ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି। ଆଉ ଦର୍ଶନ ବ୍ଯବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ମରଚିକୋଟ ଛକ ନିକଟରୁ କରାଯାଇଛି ବ୍ୟାରିକେଡ। 

ମାତ୍ର ସେଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାତି ପାହିବା ପୂର୍ବରୁ ବେଶ ଓଲାଗି ହେବ। ଏଣୁ ଦର୍ଶନ କଟକଣା ଯୋଗୁଁ ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହେବେ। ସେପଟେ ସରକାରୀ ଶିବିରରେ ରହିଥିବା ହବିଷ୍ଯାଳିଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ଯବସ୍ଥା କରାଯାଇଥିଲେ ମଧ୍ୟ ପଞ୍ଚୁକ ବ୍ରତଧାରୀ ହବିଷ୍ଯାଳିଙ୍କ ପାଇଁ ସମାନ ବ୍ଯବସ୍ଥା କରିବାକୁ ଅନୁରୋଧ କରିଛନ୍ତି ହବିଷ୍ଯାଳି।

ପଞ୍ଚୁକ ବ୍ରତ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆସନ୍ତା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ବଡଦାଣ୍ଡରେ ଏବେ ଠାରୁ ହଜାର ହଜାର ଭକ୍ତଙ୍କ ଗହଳି ଜମିଲାଣି। ଧିରେଧିରେ ପୁରି ଉଠୁଛି ବଡଦାଣ୍ଡ। ସମସ୍ତଙ୍କ ଇଚ୍ଛା ବଡ ଏକାଦଶୀରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିବେ। ଭୋରୁ ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରେ ନିତି ବଢିବ। ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ସହ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ।

ଚତୁର୍ଦ୍ଧାମୂର୍ତ୍ତି ଲକ୍ଷ୍ମୀ ନାରାୟଣ ବେଶରେ ସୁସଜ୍ଜିତ ହୋଇ ରତ୍ନ ସିଂହାସନ ଉପରୁ ଥାଇ ଦର୍ଶନ ଦେବେ। ପାଞ୍ଚ ଦିନରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ପାଞ୍ଚଟି ବେଶ ଦର୍ଶନ କରି କେବଳ ହବିଷ୍ଯାଳି କାହିଁକି ବ୍ରତଧାରୀ ଏବଂ ସାଧାରଣ ଭକ୍ତ ପବିତ୍ର କାର୍ତ୍ତିକ ମାସକୁ ବିଦାୟ ଦେବେ। ତେବେ ବିଶ୍ୱାସ ରହିଛି ମାସ ସାରା ବ୍ରତ ରଖି ଯେତିକି ପୁଣ୍ଯ ମିଳିଥାଏ ଏହି ପଞ୍ଚୁକ ପାଞ୍ଚଦିନ ବ୍ରତରଖିଲେ ଅଧିକ ପୁଣ୍ଯ ମିଳିଥାଏ। ଏଣୁ ଆସନ୍ତା ୪ତାରିଖ ବଡ ଏକାଦଶୀ ଠାରୁ ଭକ୍ତଙ୍କ ଗହଳି ଲାଗୁଥିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମରଚିକୋଟ ଛକରୁ ଏକ ଅସ୍ଥାୟୀ ବ୍ୟାରିକେଡ କରାଯାଇଛି। ବିଶେଷକରି ହବିଷ୍ଯାଳି ଏବଂ ବୃଦ୍ଧ ଲୋକଙ୍କୁ ନେଇ ଠାକୁର ଦର୍ଶନ କରାଇବାର ବ୍ଯବସ୍ଥା କରାଯିବ। ତେବେ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ଆଶା ରଖିଛନ୍ତି ସେବାୟତ।

ସେପଟେ ଚାଲିଛି ଧର୍ମ ମାସ କାର୍ତ୍ତିକ। ଏକମାସ ଧରି ହବିଷ୍ଯାଳି ବିଭିନ୍ନ ମଠମନ୍ଦିରରେ ରହି ହବିଷ କରୁଥିବା ବେଳେ ପଞ୍ଚୁକ ବ୍ରତ କରିବା ପାଇଁ ହବିଷ୍ଯାଳିଙ୍କ ଭିଡ ଏବେ ଠାରୁ ଜମିଲାଣି। ପଞ୍ଚୁକ ୫ ଦିନ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଦର୍ଶନ କରି ପୁଣ୍ଯ ଲଭିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପଞ୍ଚୁକ କରିବାକୁ ହଜାର ହଜାର ହବିଷ୍ଯାଳିଙ୍କ ଗହଳି ଜମିଛି। 

ତେବେ ସାଧାରଣତଃ ହବିଷ୍ଯାଳି ମାନେ ଧାଡିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳିଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା ରହିଥିବାରୁ ପଞ୍ଚୁକ ବ୍ରତଧାରୀ ଏବଂ ମଠ ମନ୍ଦିରରେ ରହୁଥିବା ହବିଷ୍ଯାଳିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା କରିବାକୁ ଅନୁରୋଧ କରିଛନ୍ତି ପଞ୍ଚୁକ ବ୍ରତଧାରୀ। ତେବେ ପଞ୍ଚୁକ ପୁର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ସୁନାବେଶ ଥିଲେ ସୁଦ୍ଧା ଚନ୍ଦ୍ରଗ୍ରହଣ ଯୋଗୁଁ ଭକ୍ତ ଦର୍ଶନ କରିବାର ସୁଯୋଗ ପାଇବେ କି ନାହିଁ ତାହା ଏବେ ବି ଅସ୍ପଷ୍ଟ।