SCB ଓ ସରକାରଙ୍କ ବିରୁଦ୍ଧରେ ଅବହେଳାର ଅଭିଯୋଗ ଆଣି ବୁଧବାର ଅପରାହ୍ଣରେ ବିଧାନସଭା ଆଗରେ ଜଗତସିଂହପୁରର ଦୁଷ୍ମନ୍ତ ଦାସ ବିଷ ପିଇବା ସହ ହତା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
Trending Photos
ଭୁବନେଶ୍ୱର: ବିଧାନସଭା ଆଗରେ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତଙ୍କୁ ଶେଷରେ ମୃତ୍ୟୁଦଣ୍ଡ ମିଳିଛି! ବୁଧବାର ସଂଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ଯେଉଁ ହସ୍ପିଟାଲ ବିରୁଦ୍ଧରେ ଦୁଷ୍ମନ୍ତ ଚିକିତ୍ସା ଅବହେଳାର ଅଭିଯୋଗ ଆଣିଥିଲେ, ସେହି କଟକ SCB ବଡ ମେଡିକାଲରେ ତାଙ୍କର ଜୀବନ ଯାଇଛି। ଆଉ ତରବରିଆ ଭାବେ ବିଳମ୍ବିତ ରାତିରେ ମେଡିକାଲ କର୍ତ୍ତୃପକ୍ଷ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କରିଥିବା ବେଳେ ପ୍ରଶାସନ ଅନ୍ତିମ ସଂସ୍କାର କରାଯାଇଛି।
SCB ଓ ସରକାରଙ୍କ ବିରୁଦ୍ଧରେ ଅବହେଳାର ଅଭିଯୋଗ ଆଣି ବୁଧବାର ଅପରାହ୍ଣରେ ବିଧାନସଭା ଆଗରେ ଜଗତସିଂହପୁରର ଦୁଷ୍ମନ୍ତ ଦାସ ବିଷ ପିଇବା ସହ ହତା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ SCB ଦୁଷ୍ମନ୍ତଙ୍କ ଦେହାନ୍ତ ହୋଇଛି। ତେବେ ତରବରିଆ ଭାବେ ବିଳମ୍ବିତ ରାତିରେ SCBରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କରାଯିବା ସହ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଶାସନ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଇଛି। ଦୁଷ୍ମନ୍ତଙ୍କୁ ତାଙ୍କର ଦେଢ ବର୍ଷର କୁନି ଝିଅ ମୁଖାଗ୍ନୀ ଦେଇଛନ୍ତି।
Also Read: ବିଧାନସଭା ଆଗରେ ବିଷ ପିଇଲେ, ହାତ କାଟି ଦେଲେ
ଦୁଷ୍ମନ୍ତଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପୋଲିସ ଦୁଷ୍ମନ୍ତଙ୍କୁ ଡେରିରେ ଏସସିବିକୁ ଆଣିଥିଲା। ଚିକିତ୍ସା ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ରାତି ପ୍ରାୟ ୩ଟା ବେଳେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତଦେହକୁ ଜଗତସିଂହପୁର ନେବା ପରିବର୍ତ୍ତେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରଶାସନ କହିଥିଲା। ମଧ୍ୟରାତ୍ରିରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଯାଇ ୩/୪ ଘଣ୍ଟା ଧରି ପୋଷ୍ଟମର୍ଟମ କରାଗଲା। ତାଙ୍କ ଗାଁର କିଛି ମୁରବୀ ଓ ତାଙ୍କ ମା’, ପତ୍ନୀ ଓ ଦେଢ ବର୍ଷର ଝିଅ ମଧ୍ୟ ଆସିଥିଲେ। ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ଦୁଷ୍ମନ୍ତଙ୍କ ମୃତଦେହକୁ ସ୍ୱର୍ଗଦ୍ୱାର ନେଇଯାଇଥିଲା। ପ୍ରଶାସନର ସହାୟତାରେ ଦୁଷ୍ମନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ପରିବାରକୁ ଲକ୍ଷେ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ସେପଟେ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଏସସିବି କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇ କହିଛନ୍ତି, ଦୁଷ୍ମନ୍ତଙ୍କୁ ଏସସିବି ପକ୍ଷରୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ସେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରୁ ରେଫର ହୋଇ ଆସିଥିଲେ। ଅଧିକ ଗୁରୁତର ଥିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ସତ୍ତ୍ୱେ ସନ୍ଧ୍ୟା ୬ଟା ୪୫ ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସସିବିର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ସମ୍ପର୍କରେ ଯେଉଁ ଅଭିଯୋଗ ତାଙ୍କ ପରିବାରର ଲୋକେ କରୁଛନ୍ତି, ତାହାର ତଦନ୍ତ କରାଯିବ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କରାଯାଇଛି ବୋଲି ସେ କହିଛନ୍ତି।
ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ସରକାରଙ୍କ ଜାବାବ ଦାବୀରେ ବିରୋଧି ବିଧାନସଭାରେ ହଟଗୋଳ କରିଥିଲେ। ଫଳରେ ବାରମ୍ବାର ଗୃହକୁ ବାଚସ୍ପତି ମୁଲତବି କରିଥିଲେ। ରାଜ୍ୟ ବିଜେପି ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କାର୍ଡର ଅସଲ ଚିତ୍ର ସାମ୍ନାକୁ ଆସିଲା। ସେବା ନପାଇ BSKY କାର୍ଡଧାରୀ ଜୀବନ ହାରିଲେ। ବିଜେଡି ମିଥ୍ୟା ତଥ୍ୟର ସୌଦାଗର। ସରକାରଙ୍କ ମିଥ୍ୟା ପ୍ରଚାର ଆଜି ଗୋଟିଏ ସରଳ ଜୀବନ ନେଗଲା। ସେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ଆଉ ରାଜ୍ୟପାଳଙ୍କୁ ମଧ୍ୟ ତାଙ୍କ ସମସ୍ୟା ବିଷୟରେ ଜଣେଇ ଥିଲେ।
Also Read: ସ୍ତ୍ରୀ ଓ ଦଶ ମାସର ସନ୍ତାନକୁ ମାରି ସ୍ୱାମୀର ଆତ୍ମହତ୍ୟା
ସେପଟେ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଦୁଷ୍ମନ୍ତ ହାତ କାଟିବା ସହ ବିଷ ପିଇ ଥିବା ଜାଣି ସୁଦ୍ଧା ପୋଲିସ ତାଙ୍କୁ ପ୍ରଥମେ ହସ୍ପିଟାଲ ବଦଳରେ କାହିଁକି ଥାନାକୁ ନେଇଥିଲା? କ୍ୟାପିଟାଲ ହସ୍ପିଟାଲରେ ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା ତେବେ ପାଖ ଏମ୍ସ ଛାଡି କାହିଁକି କଟକ ଏସସିବିକୁ ନିଆଗଲା? ଯଦି ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଜନଆନ୍ଦୋଳନ ହେବା ଆଶଙ୍କାରେ ଜିଲ୍ଲାପାଳ ରାତିରେ ପୋଷ୍ଟମର୍ଟମ ପାଇଁ ଆଦେଶ ଦେଇଛନ୍ତି, ତେବେ ମାମଲାକୁ ପରିଚାଳନା କରିବାକୁ ପ୍ରଶାସନ ଅକ୍ଷମ କି? ବିଷ ପିଇବା ଓ ହାତ କିଟିବା କାରଣରୁ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଛି ନା ତାଙ୍କ ଜୀବନ ଯିବା ପଛରେ ଆଉ କିଛି କାରଣ ଅଛି? ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଭୁଲ ଲୁଚାଇବାକୁ ଯାଇ କୌଣସି ଚରମ ପଦକ୍ଷେପ ନେଇ ନାହାନ୍ତି ତ?
ସୂଚନାଯୋଗ୍ୟ, ପୂର୍ବରୁ ଏସସିବି ବଡ ମେଡିକାଲରେ ଡାକ୍ତରଙ୍କ ଦ୍ୱାରା ଭୁଲ ଅସ୍ତ୍ରୋପଚାର ଅଭିଯୋଗ ଆଣିଥିଲେ ଦୁଷ୍ମନ୍ତ। ଚିକିତ୍ସାରେ ଅବହେଳା ପାଇଁ ସେ ଦୀର୍ଘ ଦିନ ହେବ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଜଣାଇ ବା ପରେ ବି ଉପଯୁକ୍ତ ଚିକିତ୍ସା ସେବା ମିଳିନଥିଲା। ଦୁଷ୍ମନ୍ତ ନ୍ୟାୟ ପାଇବା ଆଶାରେ ବୁଧବାର ବିଧାନସଭା ସମ୍ମୁଖରେ ବିଷ ପିଇବା ସହ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଅଟକାଇ ପ୍ରଥମେ ଥାନାକୁ ନେଇଥିଲା। ସେଠାରୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।