ଉତ୍କଟ ପାନୀୟ ଜଳ ସମସ୍ୟା ସହ ସଂଘର୍ଷ କରୁଛନ୍ତି ବହିଦାର କଣ୍ଟା ନିବାସୀ
Advertisement
Article Detail0/zeeodisha/odisha1215392

ଉତ୍କଟ ପାନୀୟ ଜଳ ସମସ୍ୟା ସହ ସଂଘର୍ଷ କରୁଛନ୍ତି ବହିଦାର କଣ୍ଟା ନିବାସୀ

ଦେଖାଯାଉ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହେଉଛି ନା ଆଗ ଭଳି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ। 

ଉତ୍କଟ ପାନୀୟ ଜଳ ସମସ୍ୟା ସହ ସଂଘର୍ଷ କରୁଛନ୍ତି ବହିଦାର କଣ୍ଟା ନିବାସୀ

ସମ୍ବଲପୁର: ଉତ୍କଟ ପାନୀୟ ଜଳ ସମସ୍ୟାରେ ବହିଦାର କଣ୍ଟା ନିବାସୀ। ସାଧାରଣ ପାନୀୟ ଜଳ ଟିକିଏ ନ ମିଳିବାରୁ ହନ୍ତସନ୍ତ ହେଉଛନ୍ତି ବହିଦାର କଣ୍ଟା ନିବାସୀ। ଗ୍ରାମରେ ପାନୀୟ ଜଳ ସମସ୍ୟା ବାବଦରେ ଗତକାଲି ଜିଲ୍ଲାପାଳଙ୍କ ପାଖକୁ ଅଭିଯୋଗ ପାଇଁ ଆସିଥିଲେ ସ୍ଥାନୀୟ ଲୋକେ।

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ବହିଦାର କଣ୍ଟାରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା। ଗ୍ରାମରେ ଦୁଇଟି  ଟିଉବ ୱେଲ ରହିଥବା ବେଳେ ଦୁଇଟି ଯାକ ଅଚଳ ହୋଇଯାଇଛି। ପାଣି ମାରି ମାରି ବେଦମ ହୋଇଗଲା ପରେ ମଧ୍ୟ ପାଣି ମୁନ୍ଦିଏ ମିଳିବା ମଧ୍ୟ କଷ୍ଟ।ଗ୍ରାମରେ ପାଖାପାଖି ୧୦୦୦ ଜନବସତି ରହିଥିବା ବେଳେ ଗୋଟିଏ ପୋଖରୀ ରହିଛି ।ସେହି ପୋଖରୀର ପାଣିକୁ ପାନୀୟ ଜଳ ଭାବେ ତଥା ଗଧୁଆ ପାଧୁଆ କରିବା ଲାଗି ବ୍ୟବହାର କରାଯାଉଥିଲା। ହେଲେ କିଛି ଲୋକ ସେହି ପୋଖରୀରେ ମାଛ ଚାଷ କରିଥିବା କାରଣରୁ ହିଡକୁ କାଟି ଦେଇଥିଲେ। ଯାହା ଫଳରେ ସମସ୍ତ ପାଣି ହିଡ ଦେଇ ଚାଲିଯିବା ପରେ ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣି ମୁନ୍ଦିଏ ପାଇଁ ଅଞ୍ଚଳବାସୀ ଗତକାଲି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତକାଲି ବହିଦାର କଣ୍ଟା ନିବାସୀ ମହିଳା ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା କାରଣରୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କର ଦାବିପତ୍ର ଗ୍ରହଣ କରିଥିଲେ। ତୁରନ୍ତ ମାନେଶ୍ୱର ବ୍ଲକ ବିଡି଼ଓଙ୍କୁ ଯୋଗାଯୋଗ କରି ଏହି ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ବିଡିଓଙ୍କୁ ଏହି ଘଟଣା ବାବଦରେ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରି ନ ଥିଲେ। ଦେଖାଯାଉ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହେଉଛି ନା ଆଗ ଭଳି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ।