ଗଜପତି ପ୍ରଶାସନର ବାଡ଼ିରେ ଗଞ୍ଜେଇ ଚାଷ !
Advertisement
Article Detail0/zeeodisha/odisha694727

ଗଜପତି ପ୍ରଶାସନର ବାଡ଼ିରେ ଗଞ୍ଜେଇ ଚାଷ !

ସତରେ କ'ଣ ଗଞ୍ଜେଇ ଗଛ ନଚିହ୍ନି ମାଫିଆଙ୍କୁ ଧରୁଛି ଗଜପତି ପ୍ରଶାସନ !

ଫଟୋ ସୌଜନ୍ୟ: ଜୀ ମିଡିଆ

ସୁଜିତ କୁମାର ବିଷୋୟୀ, ପାରଳାଖେମୁଣ୍ଡି: ଯେଉଁଠି ଗଜପତି ପ୍ରଶାସନର ବଡ଼ ବଡ଼ ବାବୁଙ୍କ କାର୍ଯ୍ୟାଳୟ, ସେଠି ଗଞ୍ଜେଇ ଗଛ । ମନେହେଉଛି, ଗଞ୍ଜେଇ ଦ୍ୱାରା ଗଜପତି ପ୍ରଶାସନକୁ ସ୍ୱାଗତ କରାଯାଉଛି । ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ହିଁ ସତ । ଆମେ ଦେଖାଉଥିବା ଏ ଗଞ୍ଜେଇ ଗଛ ଆଉ କେଉଁଛି ନୁହେଁ, ପାରଳାଖେମୁଣ୍ଡିରେ ନିର୍ମାଣାଧୀନ ଗଜପତି ଜିଲ୍ଲା କୋର୍ଟର ନୂଆ କୋଠା ପରିସରରେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କୋଠା ପାଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏମଆଇ ଅଫିସ ଇତ୍ୟାଦି ରହିଛି । ଏପରିକି ଏହାର ମାତ୍ର ୧୦୦ ମିଟର ଦୂରରେ ରହିଛି ଅବକାରୀ ବିଭାଗର ଅଫିସ । ବୋଧେ ସମସ୍ତେ ମିଶି ଗଞ୍ଜେଇ ଚାଷ କରୁଥିବେ !

fallback

ଆପଣ ଜାଣିଥିବେ, ଗଜପତିର ଜଙ୍ଗଲୀ ଇଲାକାରେ କିପରି ସକ୍ରିୟ ରହିଥାନ୍ତି ଗଞ୍ଜେଇ ମାଫିଆ । ବିଭିନ୍ନ ସମୟରେ ଏହି ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପଢ଼ିଥିବେ । ହେଲେ ଆଜିର ଖବର ଅତି ସାଙ୍ଘାତିକ । ପ୍ରଶାସନର ଆଖି ସାମ୍ନାରେ ଗଞ୍ଜେଇ ଗଛ । ବିଚାରପତିମାନଙ୍କ ବାସଗୃହ ଯିବା ରାସ୍ତାରେ ଏହା ପଡ଼ୁଛି । ହେଲେ କେହି ଜାଣିପାରୁନାହାଁନ୍ତି । ଗଜପତି ପ୍ରଶାସନ ଯେ ଗଞ୍ଜେଇ ଚୋରାଚାଲାଣ ନେଇ କେତେ ଧରପଗଡ଼ କରିପାରୁଥିବ, ଏଥିରୁ ଜଳ ଜଳ ହୋଇ ଦେଖାଯାଉଛି । 

fallback

ପୁରା ଚିତ୍ର ବୁଝିନିଅନ୍ତୁ । ଗଜପତି ଜିଲ୍ଲା କୋର୍ଟ ପାଇଁ ପାରଳାଖେମୁଣ୍ଡିରେ ନିର୍ମାଣଧିନ ଚାଲିଛି ନୂଆ କୋଠା । କାମ ପ୍ରାୟ ୯୫ ପ୍ରତିଶତ ସରିଲାଣି । ତେବେ ସେହି କ୍ୟାମ୍ପସ ଭିତରେ ରହିଛି ଏହି ଗଞ୍ଜେଇ ଗଛ । ଏହା ବଡ଼ ହେଲାଣି, ରାସ୍ତାକୁ ସ୍ପଷ୍ଟ ଭାବେ ଦେଖା ମଧ୍ୟ ଯାଉଛି । ଏହି କୋଠା ପାଖରେ ଗଜପତିର ବଡ଼ ବଡ଼ ଅଫିସ ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲାର ବଡ଼ ବଡ଼ ସରକାରୀ ବାବୁ ଯିବା ଆସିବା କରନ୍ତି । ମାତ୍ର ୧୦୦ ମିଟର ଦୂରରେ ଅବକାରୀ ବିଭାଗ କାର୍ଯ୍ୟାଳୟ ରହିଛି । ଆଉ ଏତେସବୁ ସତ୍ତ୍ୱେ ମଧ୍ୟ ଗଞ୍ଜେଇ ଗଛ କାହା ଆଖିକୁ ଦେଖାଯାଉନି ! 

fallback

ଏଠାରେ ପ୍ରଶ୍ନ, ନିର୍ମାଣଧୀନ କୋଟ ପରିସରରେ ଗଞ୍ଜେଇ ଗଛ ଉଠିଲା କେମିତି ? ଯଦି ବି ଉଠିଲା, ଏତେ ବଡ଼ ହେବା ପର୍ଯ୍ୟନ୍ତ ତାକୁ ନଷ୍ଟ କରାଯାଇନାହିଁ କିପରି ? ଏହା ଯେ ଗଞ୍ଜେଇ ଗଛ, ତାହା କ'ଣ ଗଜପତି ପ୍ରଶାସନ ଜାଣିପାରୁନାହିଁ ? ଯଦି ସତରେ ଗଞ୍ଜେଇ ଗଛକୁ ଗଜପତି ପ୍ରଶାସନ ଚିହ୍ନି ପାରୁନାହିଁ, ତେବେ ପାହାଡ଼ି ଇଲାକାରେ ଚାଲିଥିବା ଗଞ୍ଜେଇ କାରବାରକୁ କେତେଦୂର ରୋକି ପାରୁଥିବ ଆପଣ ବୁଝିପାରୁଥିବେ । 

fallback

ଗଞ୍ଜେଇ ଚୋରା ଚାଲାଣ ରୋକିବା କେବଳ ଗଜପତି କାହିଁକି, ରାଜ୍ୟର ଅନେକ ଜିଲ୍ଲାରେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇରହିଛି । ହେଲେ ଏଠି ଯେ ପ୍ରଶାସନର ବାଡ଼ିରେ ଗଞ୍ଜେଇ ଚାଷ ହେଉଥିବା ପରି ମନେହେଉଛି । ସାଧରଣତଃ ଗଜପତିର ଲୋକଟେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଉପଡ଼ିବା ସ୍ୱାଭାବିକ କଥା ।