କୋଲା ପିଆଜ ଚାଷ...ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ
Advertisement
Article Detail0/zeeodisha/odisha1137785

କୋଲା ପିଆଜ ଚାଷ...ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ

କୋଲା ପିଆଜ ଓଡ଼ିଶାର ଚାଷୀଙ୍କ ପାଇଁ ଏକ ଭଲ ସୁଯୋଗ । ଏଥିରେ ନର୍ସରୀ ନକରି ସିଧାସଳଖ କୋଲାକୁ ଜମିରେ ଲଗାଯାଇ ପାରିବ । ଶୀଘ୍ର ଅମଳ କରି ବଜାରକୁ ଛାଡ଼ିଲେ ଚାଷୀର ଲାଭ ହୋଇଥାଏ । ଏହି ପିଆଜ ମଞ୍ଜିରୁ ମଧ୍ୟ ନର୍ସରୀ କରି ଲଗାଯାଇପାରେ ।

 

କୋଲା ପିଆଜ ଚାଷ...ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ

ନୂଆଦିଲ୍ଲୀ: ରାଜ୍ୟରେ ଅନେକ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ। କେଉଁ ଚାଷ କଲେ ଲାଭ ଦାୟକ ହେବ ଆମେ ସମସ୍ତେ ଜାଣିବା ପାଇଁ ଉତ୍ସୁକ ଥାଉ । ତେବେ ଆମେ ସେମିତି ଏକ ଲାଭ ଦାୟକ ଚାଷ ବିଷୟରେ ଆଜି ଆପଣଙ୍କୁ କହିବୁ । ଲାଭଦାୟକ ଚାଷ ମଧ୍ୟରେ କୋଲା ପିଆଜ ଅନ୍ୟତମ । ରାଜ୍ୟ ତଥା ରାଜ୍ୟ ବାହାରେ କୋଲା ପିଆଜର ବେଶ ଚାହିଦା ରହିଛି । ଏହି ଚାଷ ପାଇଁ ବୁନ୍ଦା ଜଳସେଚନ ଅତ୍ୟନ୍ତ ଉପଯୋଗୀ । ଉଲି ପିଆଜର ମଞ୍ଜି ପାଇବା  ଓଡ଼ିଶା ଚାଷୀଙ୍କ ପାଇଁ ଏକ ସମସ୍ୟା । ଯଦି ନର୍ସରୀ କରିବାରେ ଡେରି ହୁଏ ଏହି ପିଆଜର ଅମଳ କମ ହୁଏ ।  ତେଣୁ କୋଲା ପିଆଜ ଓଡ଼ିଶାର ଚାଷୀଙ୍କ ପାଇଁ ଏକ ଭଲ ସୁଯୋଗ । ଏଥିରେ ନର୍ସରୀ ନକରି ସିଧାସଳଖ କୋଲାକୁ ଜମିରେ ଲଗାଯାଇ ପାରିବ । ଶୀଘ୍ର ଅମଳ କରି ବଜାରକୁ ଛାଡ଼ିଲେ ଚାଷୀର ଲାଭ ହୋଇଥାଏ । ଏହି ପିଆଜ ମଞ୍ଜିରୁ ମଧ୍ୟ ନର୍ସରୀ କରି ଲଗାଯାଇପାରେ ।

ଜଳବାୟୁ
ଅଧିକ ବର୍ଷା , ଶୀତ ବା ଗରମ ହେଉଥିବା ଅଞ୍ଚଳରେଏହା ଭଲ ହୁଏ ନାହିଁ । ୧୩ ଡିଗ୍ରୀ ରୁ ୨୧ ଡିଗ୍ରୀ ମଧ୍ୟରେ ଗଛ ବଢ଼ିଥାଏ । ୧୫.୫ ଡିଗ୍ରୀରୁ ୨୫ ଡିଗ୍ରୀ ମଧ୍ୟରେ ପିଆଜ ବୃଦ୍ଧି ହୋଇଥାଏ । ଫସଲ ବୃଦ୍ଧି ସମୟରେ ଶୁଖିଲା ପାଗ ଦରକାର ହୋଇଥାଏ।

ମୃତ୍ତିକା
ନିଗିଡା, ଉର୍ବର, ଦୋରସାରୁ ବାଲି ଦୋରସା ମାଟିରେ ଏହି କୋଲା ପିଆଜ ଚାଷ କରିହେବ । ମାଟିର ଅମ୍ଳତା ବା ପିଏଚ ୫.୮ ରୁ ୬.୫ ମଧ୍ୟରେ ରହିବା ଆବଶ୍ୟକ । ବର୍ଷା ଦିନରେ ଗଡ଼ାଣି ଓ ନିଗିଡା ଜମିରେ ଏହି ଚାଷ କରାଯାଇପାରିବ।

କିସମ
ଏଗ୍ରି ଫାଉଣ୍ଡ ରେଡ୍, ସି.ଓ-୧. ସି.ଓ- ୨, ସି.ଓ-୩ , ସି.ଓ-୪ ଏବଂ ହାଇବ୍ରିଡ୍
ବିହନ
ଏକର ପ୍ରତି ୪ ରୁ ୫ କ୍ବିଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ ।
ଚାରାରୋପଣ
ଜମିରେ ୩ରୁ ୪ ଓଡ଼ ଗୁଣ୍ଡ ଚାଷ ଓ ଜମି ସମତଳ ଓ ହୁଡ଼ା ପ୍ରଣାଳୀରେ 10X 10  ସେ.ମି. ବ୍ୟବଧାନରେ ଲଗାଯାଏ। ଏକର ପ୍ରତି ୮ ରୁ ୧୦ ଟନ୍ କମ୍ପୋଷ୍ଟ ଓ ୧୦ କିଗ୍ରା କ୍ଲୋରପାଇରିଫସ୍ ଗୁଣ୍ଡ ଓ ମୂଳ ସାର ଦେଇ ଲଗାଯାଏ।
ଖତ ଓ ସାର
ନାଇଟ୍ରୋଜେନ ସାର (N) ଲଗାଇବା ସମୟରେ ଏକର ପ୍ରତି ୨୫  କିଗ୍ରାରୁ ୩୦ କିଗ୍ରା , ୩୦ ଦିନରେ ଏକର ପ୍ରତି ୧୨ ରୁ ୧୫ କିଗ୍ରା  ଏବଂ ୪୫ ଦିନରେ ଏକର ପ୍ରତି ୧୨ ରୁ ୧୫  କିଗ୍ରା ଲାଗିବ । ସେହିପରି  ଫସଫରସ ସାର  (p) ମଞ୍ଜି ଲଗାଇବା ସମୟରେ ୨୪ କିଗ୍ରା ସିଙ୍ଗଲ ସୁପର ଫସଫେଟ୍ (SSP) , ପୋଟାସିୟମ  ସାର (K) ମଞ୍ଜି ଲଗାଇବା ସମୟରେ ୪୦ କିଗ୍ରା ଲାଗିବ । ସେହିପରି  ମଞ୍ଜି ଲଗାଇବା ସମୟରେ  Zinc Sulphate  Fertilizer (ZNSO4) ୧୦ କିଗ୍ରା ଲାଗିବ ।ଜଳସେଚନ ପିଆଜର ଚେର ୮ ସେମି ମଧ୍ୟରେ ଭିତରକୁ ରହିଥାଏ। ତେଣୁ ମାଟି ଓଦି ରଖିବାକୁ ୧୫ରୁ ୨୦ ଟି ଜଳସେଚନ ଦରକାର । ଜମି ଶୁଷ୍କ ରହିଲେ ପିଆଜ ଫାଟେ ଓ ଅମଳ କମେ । ତେଣୁ ବୁନ୍ଦା ଜଳସେଚନ ଅତ୍ୟନ୍ତ ଉପଯୋଗୀ। ଅମଳର ୧୫ରୁ ୨୦ ଦିନ ପୂର୍ବରୁ ଜଳସେଚନ ବନ୍ଦ କରାଯାଏ।

ଅମଳ
କିସମ ଅନୁସାରେ ଚାରା ଲଗାଇବାର ୯୦ ରୁ ୧୫୦ ଦିନ ପରେ ପିଆଜ ଅମଳ କରାଯାଏ। ଗଛର ପତ୍ର ଅଧା ଶୁଖିବାର 7 ଦିନ ପରେ ଅମଳ କରାଯାଏ। ଅମଳର ୧୫ ରୁ ୨୦ ଦିନ ପୂର୍ବରୁ ମାଲେକ ହାଇଡାଜାଇଡ (୨.୫ଗ୍ରା/ଲି ପାଣି) ସିଞ୍ଚନ  କଲେ ଅମଳ ପରେ ଶିଘ୍ର ଗଜା ବାହାରେ ନାହିଁ । ଗଛକୁ ଓପାଡ଼ି ପିଆଜକୁ ଜମିରେ ୨ରୁ ୩ ଦିନ ପାଇଁ ଧାଡ଼ି ଧାଡ଼ି କରି ରଖି ଛାଡ଼ି ନିଆଯାଏ , ଯେପରି ପିଆଜରେ ଖରା ପଡ଼ାବ ନାହିଁ । ତାପରେ ପୁଣି ପିଆଜକୁ ୭ ଦିନ ପର୍ଯ୍ୟନ୍ତ ଛାଇରେ ରଖି ପିଆଜ ଠାରୁ ୨ ରୁ ୨.୫ ସେ.ମି ଉପରକୁ ଛାଡି ଗଛକୁ କଟାଯାଏ। ଏହା ପରେ ଚେର ଓ ଲାଗିଥିବା ମାଟି ମଧ୍ୟ ସଫା କରାଯାଏ । ଏକ ଏକର ଜମିରୁ ୬୦ ରୁ ୭୫ କ୍ବିଣ୍ଟାଲ କୋଲା ପିଆଜ ଅମଳ କରାଯାଏ ।ସାଧାରଣତଃ ଉଲି ପିଆଜ  ୧୦୦ ରୁ ୧୮୦ କ୍ବିଣ୍ଟାଲ ଅମଳ ହେବା ସ୍ଥଳେ କୋଲା ପିଆଜ ୬୦ ରୁ ୭୫ କ୍ବିଣ୍ଟାଲ ପ୍ରତି ଏକର ଅମଳ ହୋଇଥାଏ । କିନ୍ତୁ ଏହା ଅଧିକ ଦାମରେ ବିକ୍ରୟ ହେଉଥିବାରୁ ଏଥିରେ ଚାଷୀର ଲାଭ କମେ ନାହିଁ ବରଂ  ଅଧିକ ଲାଭ ହୋଇଥାଏ