ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ମିଶନ ଶକ୍ତି (Mission Shakti) ଋଣ ପ୍ରଦାନ କରାଯାଉଛି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ନିୟମିତ ଋଣ କିସ୍ତି ପରିଶୋଧ କରୁଥିଲେ ଏହି ସମସ୍ତ ସୁଧ ରାଶି ସରକାର ବହନ କରୁଛନ୍ତି ।
Trending Photos
ନୂଆଦିଲ୍ଲୀ: ପୂର୍ବରୁ ଚାଷ ଅଧିକାଂଶ କ୍ଷେତ୍ରରେ ପୁରୁଷ ମାନେ କରୁଥିଲେ । କିନ୍ତୁ ସମୟ ବଦଳିବା ସହ ନାରୀ ମାନେ ବି ଚାଷ କ୍ଷେତ୍ରକୁ ଆସିଲେଣି । ଅନେକ ଚାଷ ପ୍ରଣାଳୀ ରହିଛି ଯାହାଦ୍ବାରା ଆପଣ ଲାଭବାନ ହୋଇପାରିବେ । ତା ମଧ୍ୟରୁ ଛତୁଚାଷ ଅନ୍ୟତମ । ଛତୁ ଚାଷ ଦ୍ବାରା ଆପଣ କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ । ଆପଣ ବର୍ଷ ସାରା ଛତୁ ଚାଷ ଘରେ ଏବଂ ବାହାରେ କରିପାରିବେ । ଏହି ଚାଷ ପାଇଁ ଆପଣଙ୍କୁ ବେଶି ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏବେ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ତଥା କମ ସୁଧରେ ଋଣ ମଧ୍ୟ ଯୋଗାଇଦିଆଯାଉଛି । ଏହା ସହ କୃଷି ବିଭାଗ ତରଫରୁ ବିହନ, ଏବଂ ତାଲିମ ମଧ୍ୟ ଯୋଗାଇ ଦିଆଯାଉଛି ।
ଏହା ବ୍ୟତୀତ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ମିଶନ ଶକ୍ତି (Mission Shakti) ଋଣ ପ୍ରଦାନ କରାଯାଉଛି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ନିୟମିତ ଋଣ କିସ୍ତି ପରିଶୋଧ କରୁଥିଲେ ଏହି ସମସ୍ତ ସୁଧ ରାଶି ସରକାର ବହନ କରୁଛନ୍ତି । ଫଳରେ ଏହି ଋଣ ୦ ପ୍ରତିଶତ ସୁଧରେ ଉପଲବ୍ଧ ହୋଇପାରୁଛି । ଉଦ୍ୟାନ ନିର୍ଦ୍ଦେଶାଳୟ ମାଧ୍ୟମରେ ଛତୁ ଚାଷ ଏବଂ ପନିପରିବା ଚାଷ ପାଇଁ ତାଲିମ ଦିଆଯାଉଛି । ତେଣୁ ଚାଷରେ କମ ସମୟରେ ଲାଭବାନ ହେବାର ପ୍ରଥମ ପସନ୍ଦ ଛତୁ ଚାଷକୁ ଧରାଯାଏ ।
ଛତୁ ମଧ୍ୟରେ ବାଲି ଛତୁ, ନଡା ଛତୁ, ହୁଙ୍କା ଛତୁ, ପାଳ ଛତୁ ଏବଂ ବଟମ ଛତୁ ର ବେଶ୍ ଚାହିଦା ରହିଛି ।
ଏହା ମଧ୍ୟରେ ଓଡ଼ିଶାରେ ବ୍ୟବସାୟିକ ଭିତ୍ତିରେ ତିନୋଟି କିସମର ଛତୁ ଚାଷ କରାଯାଏ । ଗୋଟିଏ ହେଉଛି ପାଳ ଛତୁ(straw mushroom) ଅନ୍ୟଟି ଧଳା ବଟମ ଛତୁ ଏବଂ ଧିଙ୍ଗିରି ଛତୁ । ତେବେ ପାଳ ଛତୁର ଚାହିଦା ଆକାଶ ଛୁଆଁ । ପାଳ ଛତୁ ଶୀତ ଋତୁକୁ ଛାଡ଼ି ଆଉ ସବୁଦିନ ହୋଇଥାଏ । ଗୋଟିଏ ଛତୁ ବେଡ଼ ପକେଇବା ପାଇଁ ଖର୍ଚ୍ଚ ଆଞ୍ଚଳିକ ସରଞ୍ଜାମର ମୁଲ୍ୟ ଉପରେ ନିର୍ଭର କରେ । ଛତୁ ବେଡ଼ ପକେଇବା ପାଇଁ କେତେଗୋଟି ଜିନିଷ ଭିତରେ ସାମିଲ ଅଛି, ଛତୁ ମଞ୍ଜି , ନଡ଼ା(କୁଟା,ଛଣ,ପାଳ),ପଲିଥିନ,ଚକୋଡ଼,ବେସନ ।
ଯଦି ଗୋଟିଏ ବେଡ଼ରେ ସର୍ବାଧିକ ୫୦ଟଙ୍କାବି ଖର୍ଚ୍ଚ ହୁଏ ତେବେ ଲାଭ ୧୦୦ଟଙ୍କା ମିଳିବ। ଛତୁ ଚାଷ ଖୁବ ଲାଭଦାୟକ ।ଏବଂ ଏହା ଏମିତି ଏକ ଚାଷ ଅଳ୍ପ ଖର୍ଚ୍ଚରେ ଲାଭ ଅଧିକ ଦେବା ସହ ସମ୍ପୂର୍ଣ୍ଣ ଭାବେ ଜୈବିକ ଅଟେ । ସବୁଠାରୁ ବଡ଼ କଥା ହେଲା ମହିଳା ମାନେ ଏହି ଚାଷକୁ ବେଶ ସୁରୁଖୁରରେ କରିପାରିବେ। ଏବଂ ଛତୁ ଚାଷର ଭବିଷ୍ୟତ ବେଶ ଉଜ୍ଜ୍ବଳ ।
ଛତୁ ଚାଷର ଆବଶ୍ୟକତା (Mushroom Farming)
ଛତୁରେ ୧୮ ପ୍ରକାର ଆମିନୋ ଏସିଡ଼ (ପୁଷ୍ଟିସାର) ସହିତ ଧାତବ ଲବଣ ଓ ଭିଟାମିନ୍ ଥିବା ଯୋଗୁଁ ଏହା ଦେହରେ ପୁଷ୍ଟିସାର ହୀନତା ଦେଖାଯାଇଥିବା ସମସ୍ୟାକୁ ଦୂରୀଭୂତ କରେ । ହୃଦରୋଗୀ, ବହୁମୂତ୍ର ରୋଗୀ, ଅମ୍ବରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଉତ୍କୃଷ୍ଟ ଖାଦ୍ୟ ।
କୃଷି, ଜଙ୍ଗଲ ଓ ଗୃହର ପରିତ୍ୟକ୍ତ ଆବର୍ଜନା, ନଡ଼ା, ପତ୍ରଆଦିରୁ ଛତୁ ଉତ୍ପାଦନ କରାଯାଇପାରିବ । ଆବର୍ଜନାକୁ ଫୋପାଡ଼ି ପରିବେଶକୁ କଳୁଷିତ ନକରି ପରିତ୍ୟକ୍ତ ପଦାର୍ଥରୁ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ।
ପାଳଛତୁ ୧୦-୧୨ ଦିନ, ଧିଙ୍ଗିରି ଛତୁ ୨୦-୨୨ ଦିନରେ ଉତ୍ପନ୍ନ ହୋଇଥାଏ । କୃଷିଜାତ ପଦାର୍ଥ ଭିତରେ ଛତୁ ସବୁଠାରୁ ଶୀଘ୍ର ଉତ୍ପାଦନ କରାଯାଇ ପାରିବ। ଖୁବ୍ କମ୍ ଖର୍ଚ୍ଚରେ ଉତ୍ପାଦନ କରାଯାଇ ଅଧିକ ଲାଭ ମିଳିପାରିବ । ଉଦାହରଣ ସ୍ଵରୁପ ଗୋଟିଏ ପାଳଛତୁ ଓ ଗୋଟିଏ ଧିଙ୍ଗିରି ଛତୁ ବେଡ୍ ପାଇଁ ଯଥାକ୍ରମେ ୩୦ ଟଙ୍କା ଓ ୨୦ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ୭୫ ଟଙ୍କା ଓ ୪୫ ଟଙ୍କା ପାଖାପାଖି ମିଳିଥାଏ ।
ଛତୁଚାଷ (Mushroom Farming) ପାଇଁ ଆବଶ୍ୟକୀୟ ଉପାଦାନ ଯଥା ନଡ଼ା, ଗହମ ଡାଲି ଗୁଣ୍ଡ ଆଦି ସହଜରେ ମିଳିଥାଏ । ଏହା କଷ୍ଟକର କାର୍ଯ୍ୟ ନୁହେଁ କିମ୍ବା ଏହି କାର୍ଯ୍ୟ କରିବା ପାଇଁ ବିଶେଷ ଯନ୍ତ୍ରପାତି ଦରକାର ନାହିଁ । ଏଣୁ ଘରେ ଗୃହିଣୀମାନେ ଓ ପିଲାମାନେ ଛତୁଚାଷ କରି ପାରିବେ । ପୁରୁଷମାନେ ମଧ୍ୟ ଅବସର ସମୟକୁ ଛତୁଚାଷରେ ଲଗାଇ ପାରିବେ । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଏହା ଏକ ପ୍ରମୁଖ ଅଙ୍ଗ । ଛତୁଚାଷ ପାଇଁ ବିଶେଷ ଜମିର ଆବଶ୍ୟକତା ନାହିଁ । ଚାରି ବର୍ଗଫୁଟ ସ୍ଥାନରେ ଗୋଟିଏ ପାଳଛତୁ ପଟିରୁ ଆମେ ୧୫ ଦିନରେ ୭୫ ଟଙ୍କା ପାଇପାରିବୁ । ତିନି ବର୍ଗଫୁଟ ସ୍ଥାନରୁ ତିନୋଟି ଧିଙ୍ଗିରି ଛତୁ ବ୍ୟାଗରୁ ୧୩୫ ଟଙ୍କା ପାଇପାରିବେ । ଏଣୁ କ୍ଷୁଦ୍ରଚାଷୀ ଓ ଭୂମିହୀନ ବ୍ୟକ୍ତି ତାଙ୍କର ଘର ବାରି ଜମିରେ ଛତୁଚାଷ ଆରମ୍ଭ କରି ତାଙ୍କର ଗୁଜୁରାଣ ମେଣ୍ଟାଇବାରେ ସମର୍ଥ ହେବେ । ଏହି ପ୍ରକଳ୍ପ ବ୍ୟାପକ ଆକାରରେ କରାଗଲେ, ଅନେକ ଲୋକ ଶ୍ରମିକ ହିସାବରେ ନିଯୁକ୍ତି ପାଇପାରିବେ । ଛତୁ ଆମେରିକା, ଜାପାନ, ଫ୍ରାନ୍ସ, କାନାଡ଼ା, ପଶ୍ଚିମ ଜର୍ମାନୀ ଆଦି ଦେଶରେ ବିକ୍ରୟ କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଇପାରିବ ।
Also Read: ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card
Also Read: ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ହୋଇପାରେ ବଡ଼ କ୍ଷତି