ନୂଆ କୃଷି ଆଇନ ବିରୁଦ୍ଧରେ ଆସନ୍ତକାଲି ହେବାକୁ ଯାଉଛି ଭାରତ ବନ୍ଦ।
Trending Photos
ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ ଡିସେମ୍ବର ୮ ତାରିଖ ମଙ୍ଗଳବାର ହେବାକୁ ଯାଉଛି ଭାରତ ବନ୍ଦ (Bharat Bandh)। ଏହି କେନ୍ଦ୍ରୀୟ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସୀମାରେ ପ୍ରାୟ ୧୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଜାରି ରହିଛି ଆନ୍ଦୋଳନ (Farmer Protest)।
ଆସନ୍ତାକାଲି ହେବାକୁ ଯାଉଥିବା ଭାରତ ବନ୍ଦକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ବନ୍ଦ ପାଳନ ସମୟରେ ଆଇନ ଶୃଙ୍ଖଳା (Law & Order) ପରିସ୍ଥିତି ଉପରେ ନଜର ରଖିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କୋରୋନା ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା କୋଭିଡ୧୯ ଗାଇଡଲାଇନ୍ସ (Corona Guidelines) ପାଳନ କରିବାକୁ କେନ୍ଦ୍ର ପକ୍ଷରୁ ବିଭିନ୍ନ ପ୍ରଦେଶ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି।
Also Read: କୃଷକ ଆନ୍ଦୋଳନ: 'ଭାରତ ବନ୍ଦ' ସମର୍ଥନରେ କିଏ କିଏ?
ବିଭିନ୍ନ କୃଷକ ସଙ୍ଗଠନର କହିବା ଅନୁସାରେ ଚଳିତ ମାସ ୮ ତାରିଖ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ କରାଯିବ। ଏହା ସମସ୍ତ ଦୋକାନ ବଜାର ସହ କାରବାର ବନ୍ଦ ରହିବ। ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟରେ ରହିଥିବା କୃଷି ମଣ୍ଡି ମଧ୍ୟ ବନ୍ଦ ରହିବ। ବନ୍ଦ ପାଳନ ବେଳେ ଆମ୍ବୁଲାନ୍ସ,, ଆପଦକାଳୀନ ସେବାକୁ ବାଦ ଦିଆଯିବ। ହେଲେ ଗଣମାଧ୍ୟମ ବ୍ୟତୀତ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ।
କୃଷକ ନେତା ବାଲଦେବ ସିଂଙ୍କ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହେବ। ହିଂସାକାଣ୍ଡ ଘଟଣା ଘଟିବାକୁ ଦିଆଯିବ ନାହିଁ। ଯଦି କେହି ଏପରି କରିବାକୁ ଚେଷ୍ଟା କରନ୍ତି, ତାହେଲେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଗୁଜୁରାଟରୁ ୨୫୦ କୃଷକ ଦିଲ୍ଲୀ ଆସିବେ। କଂଗ୍ରେସ, ଟିଆରଏସ, ଡିଏମକେ, ଶିବସେନା, ସମାଜବାଦୀ ପାର୍ଟି, ଏନସିପି, ଟିଏମସି, ଆରଜେଡି, ଏଏପି, ବାମପନ୍ଥୀ ଆଦି ରାଜନୈତିକ ଦଳ କୃଷକଙ୍କ ପକ୍ଷରୁ ହେବାକୁ ଯାଉଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ବ୍ୟତୀତ ୧୦ଟି ଟ୍ରେଡ ୟୁନିୟନ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ହେଲେ ଆରଏସଏସ ସହ ଜଡିତ ଭାରତୀୟ କିସାନ ସଂଘ ଏହି ବନ୍ଦ ପାଳନରୁ ଦୂରେଇ ରହିଛି।
Also Read: Farmers Bharat Band: ରାତି ପାହିଲେ 'ଭାରତ ବନ୍ଦ', ଖୋଲା ରହିବ ଏହି ସବୁ ସୁବିଧା...
କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଇଛି ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ତାହେଲେ ସେମାନେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବେ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ। କାହାକୁ ଏହି ରାସ୍ତାରେ ଯିବାଆସିବା କରିବା ଲାଗି ଦିଆଯିବ ନାହିଁ।