ପରଲୋକରେ ମତିଲାଲ ଭୋରା; ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ରହିଲା ଅଧୁରା
Advertisement
Article Detail0/zeeodisha/odisha811634

ପରଲୋକରେ ମତିଲାଲ ଭୋରା; ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ରହିଲା ଅଧୁରା

୧୯୮୯ ଜାନୁଆରିରେ ମୋତିଲାଲ କେନ୍ଦ୍ର ରାଜନୀତିରୁ ରାଜ୍ୟକୁ ଫେରି ୩୧୮ ଦିନର ମୁଖ୍ୟମନ୍ତ୍ରୀ ହେଲେ। ୨-୨ ଥର ମଧ୍ୟପ୍ରଦେଶର ଶାସନ ସମ୍ଭାଳିଥିବା ମୋତିଲାଲ କେବେବି ଜଣେ ପୂର୍ଣ୍ଣକାଳୀନ ମୂଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। 

ପରଲୋକରେ ମତିଲାଲ ଭୋରା

ଭୋପାଲ: ପରଲୋକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା।  ୯୩ ବର୍ଷ ବୟସରେ ଦିଲ୍ଲୀର ଏହ ହସ୍ପିଟାଲରେ ସୋମବାର ତାଙ୍କର ଦେହାନ୍ତ ହୋଇଛନ୍ତି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ମୋତିଲାଲ ଚିକିତ୍ସାଧିନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ଭୋରାଙ୍କ ୯୩ତମ ଜନ୍ମଦିନ ଥିଲା। ତାଙ୍କ ପରଲୋକରେ ପ୍ରଧାମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦୁଃଖ ପ୍ରକାଶ କରିଛନ୍ତି।

କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ମୋତିଲାଲ ଭୋରା (Moti Lal Vohra) ବେଶ ଜଣାଶୁଣା। ତାଙ୍କୁ ରାହୁଲ ଗାନ୍ଧି (Rahul Gandhi) କଂଗ୍ରେସର ଯୁବ ସଦସ୍ୟ ବୋଲି କହୁଥିଲେ। ଆଜି ସେହି ବୟଷ୍କ ଯୁବ ନେତା ଆଉ ନାହାନ୍ତି। ତାଙ୍କୁ ହରାଇ ମଧ୍ୟପ୍ରଦେଶ କଂଗ୍ରେସ (congress) ଭାଙ୍ଗି ପଡିଛି। ମଧ୍ୟପ୍ରଦେଶରେ କଂଗ୍ରେସ ଶାସନ ଆଣିବାରେ ମୋତିଲାଲଙ୍କ ଏକ ବଡ ଭୂମିକା ଥିଲା।

Also Read: ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି

ମୋତିଲାଲ ଭୋରା ୧୯୨୭ ମସିହା ଡିସେମ୍ବର ୨୭ ତାରିଖରେ ବର୍ତ୍ତମାନର ରାଜସ୍ଥାନ (Rajastan) ଯୋଧପୁର ଅନ୍ତର୍ଗତ ନିମ୍ବି ଯୋଧାରେ ଜନ୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମୋତିଲାଲଙ୍କ ପରିବାର ସେତେବେଳେର ମଧ୍ୟପ୍ରଦେଶ (Madhya pradesh) ଅନ୍ତର୍ଗତ ଦୁର୍ଗକୁ ଆସିଥିଲେ। ସେ ରାୟପୁର ଏବଂ କଲିକତାରେ ଛାତ୍ର ଜୀବନ ବିତାଇଥିଲେ। ମୋତିଲାଲ ଜଣେ ସମାଜସେବୀ ଓ ସାମ୍ୱାଦିକ ଥିଲେ। ବିଭିନ୍ନ ଖବରକାଗଜରେ ଏକ ଦଶନ୍ଧିରୁ ଊଦ୍ଧ୍ୱ କାଳ କାମ କରିଛନ୍ତି। 

ମୋତିଲାଲଙ୍କ ୪ଟି ଝିଅ ଓ ୨ଟି ପୁଅ ଅଛନ୍ତି। ତାଙ୍କ ପୁଅ ଅରୁଣ ଭୋରା (Arun Vora) ଦୁର୍ଗ (ବର୍ତ୍ତମାନ ଛତିଶଗଡରେ)ର ତିନି ଥରର ବିଧାୟକ। ସେହିପରି ମୋତିଲାଲ ଭୋରାଙ୍କ ଭାଇ ଗୋବିନ୍ଦଲାଲ ଏକ ବଡ ଖବରକାଗଜ ସଂସ୍ଥାର ମୁଖ୍ୟ ସମ୍ପାଦକ ଅଛନ୍ତି। ସେପଟେ ମୋତିଲାଲ ସାମ୍ବାଦିକ ପେଶା ଛାଡି ୧୯୬୮ରେ ରାଜନୀତି ମଇଦାନକୁ ଉହ୍ଲାଇଥିଲେ।

୧୯୬୮ରେ ମୋତିଲାଲ ଭୋରା ପ୍ରଥମ ଥର ସମାଜବାଦୀ ପାର୍ଟ (Samajbadi Party) ତରଫରୁ ଦୁର୍ଗ ମୁନିସିପାଲ କମିଟିର ସଦସ୍ୟ ହୋଇଥିଲେ। ୧୯୭୦ରେ ତାଙ୍କୁ ପ୍ରଭାତ ତିୱାରି ପଣ୍ଡିତ କିଶୋରଲାଲ ଶୁକ୍ଲାଙ୍କ ସହ ସାକ୍ଷାତ କରାଇ ଦେଇଥିଲେ। ଆଉ କିଶୋରଲାଲଙ୍କ ସଂସ୍ପର୍ଷରେ ଆସି ମୋତିଲାଲ କଂଗ୍ରେସରେ ଯୋଗ ଦେଇ ୧୯୭୨ ମସିହାରେ ପ୍ରଥମ ଥର ବିଧାନସଭାକୁ ଗଲେ। ୧୯୭୭ ଓ ୧୯୮୦ ମସିହାରେ ବି ସେ ବିଧାୟକ ଭାବେ ନିର୍ବାଚନ ହୋଇଥିଲେ। ଅର୍ଜୁନ ସିଂହ କ୍ୟାବିନେଟରେ ବି ତାଙ୍କୁ ସ୍ଥାନ ମିଳିଥିଲା। 

Also Read: ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ଟାର୍ଗେଟରେ ମୋଦି

୧୯୮୫ ମାର୍ଚ୍ଚରେ ମୋତିଲାଲଙ୍କୁ ମଧ୍ୟପ୍ରଦେଶର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ସେତେବେଳେ ସେ କେବଳ ୨ ବର୍ଷ ୩୩୭ ଦିନ ପାଇଁ କାର୍ଯ୍ୟଭାର ତୁଲାଇଥିଲେ। ୧୯୮୮ରେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ବିମାନ ଚଳାଚଳ ମନ୍ତ୍ରୀ କରିଥିଲା। ଆଉ ଏହି ଲଲିପପ୍ ପାଇ ସେ ତାଙ୍କ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ଅର୍ଜୁନ ସିଂହ (Arjun singh) ମଧ୍ୟପ୍ରଦେଶର ଶାସନ ଭାର ତୁଲାଉଥିଲେ। 

୧୯୮୯ ଜାନୁଆରିରେ ମୋତିଲାଲ କେନ୍ଦ୍ର ରାଜନୀତିରୁ ରାଜ୍ୟକୁ ଫେରି ୩୧୮ ଦିନର ମୁଖ୍ୟମନ୍ତ୍ରୀ ହେଲେ। ୨-୨ ଥର ମଧ୍ୟପ୍ରଦେଶର ଶାସନ ସମ୍ଭାଳିଥିବା ମୋତିଲାଲ କେବେବି ଜଣେ ପୂର୍ଣ୍ଣକାଳୀନ ମୂଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। ମୋତିଲାଲଙ୍କ ପରେ ଶେଷ ଶ୍ୟାମା ଚରଣ ଶୁକ୍ଲା ମାତ୍ର ୮୨ ଦିନ ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ। ଶ୍ୟାମାଙ୍କ ପରେ ମଧ୍ୟପ୍ରଦେଶ ବିଜେପି କବଜାକୁ ଚାଲିଗଲା।

Also Read: ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟରେ ରହିଛି ଓଡିଶା: ବିଜେପି

ରାଜ୍ୟ ରାଜନୀତିରେ ଫେଲ ମାରିଥିବା ମୋତିଲାଲଙ୍କୁ ୧୯୯୩ରେ କଂଗ୍ରେସ ସରକାର ଉତ୍ତର ପ୍ରଦେଶର ରାଜ୍ୟପାଳ କରିଥିଲା। ସେଠାରେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କରି ସେ ପୁଣିଥରେ କେନ୍ଦ୍ର ରାଜନୀତିକୁ ଫେରିଲେ। ୧୨ତମ ସାଧାରଣ ନିର୍ବାଚନ ଜିତି ମୋତିଲାଲ ପୁଣି ସଂସଦକୁ ଗଲେ। କିନ୍ତୁ ଏଥର ତାଙ୍କୁ କୈଣସି ମନ୍ତ୍ରୀପଦ ମିଳିଲା ନାହିଁ।

ତେବେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ୨୦୦୨ ମସିହାରେ ମୋତିଲାଲ ଭୋରାଙ୍କୁ କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା। ସେ ୧୮ ବର୍ଷ କାଳ ଅର୍ଥାତ ୨୦୨୦ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ସଂସଦର ଉଚ୍ଚ ସଦନର ସଦସ୍ୟ ହୋଇ ରହିଲେ। ମୃତ୍ୟୁ ପର୍ଯ୍ୟନ୍ତ ମୋତିଲାଲ କଂଗ୍ରସ ସହ ଯୋଡି ହୋଇ ରହିଲେ। କିନ୍ତୁ ତାଙ୍କର ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ମଧ୍ୟପ୍ରଦେଶ କିମ୍ବା ଛତିଶଗଡରେ ପୂରଣ ହୋଇ ପାରିଲା ନାହିଁ।