ବିଜାପୁର ଗୁଳିବିନିମୟ ଘଟଣାରେ ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।
Trending Photos
ରାୟପୁର: ପଡୋଶୀ ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଏ ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଜଣାଇଛନ୍ତି ସ୍ଥାନୀୟ ଏସପି କମଳଲୋଚନ କଶ୍ୟପ। ଗତ ଶନିବାର ଜିଲ୍ଲାରେ ଅବସ୍ଥିତ ତରରେମ ଜଙ୍ଗଲରେ ମୁହାଁମୁହିଁ ହୋଇଥିଲା ଉଭୟ ସୁରକ୍ଷାବଳ-ନକ୍ସଲ।
ଏନେଇ ପ୍ରତିକ୍ରିୟା ରଖି ଛତିଶଗଡ ନକ୍ସଲ ବିରୋଧି ଅଭିଯାନ (Chhattisgarh Anti Naxal Mission) ପୋଲିସ ଉପ ମହାନିରୀକ୍ଷକ (Deputy Inspector General of Police) ଓପି ପାଲ କହିଛନ୍ତି ଶୁକ୍ରବାର ବିଜାପୁରସ୍ଥିତ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ବାବଦରେ ଖବର ମିଳିଥିଲା। ଏହା ପରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ-ସିଆରପିଏଫ (Central Reserve Police Force-CRPF) ଅଧିନସ୍ଥ କୋବ୍ରା ବାଟାଲିଅନ (COBRA Battalion), ଡିଆରଜି (DRG) ଏବଂ ଏସଟିଏଫ (STF) ପକ୍ଷରୁ ପ୍ରାୟ ୨ ହଜାର ଯବାନଙ୍କୁ ନେଇ ମିଳିତି ଭାବେ ଏକ ସର୍ଚ୍ଚ ଅପରେସନ (Search Operation) ଆରମ୍ଭ ହୋଇଥିଲା।
Also Read: Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ
ଏପ୍ରିଲ ୩ ତାରିଖ ଶନିବାର ମଧ୍ୟାନ୍ନ ସମୟ ପ୍ରାୟ ୧୨ଟା ବେଳେ ବିଜାପୁର-ସୁକମା ଜିଲ୍ଲା ସୀମାରେ ଅବସ୍ଥିତ ଜୋନାଗୁଣ୍ଡା ଗାଁ ନିକଟରେ ମୁହାଁମୁହିଁ ହୋଇଥିଲା ଉଭୟ ସୁରକ୍ଷାବଳ-ନକ୍ସଲ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏ ଘଟଣାରେ ନକ୍ସଲ (Naxlite) ଗୋଷ୍ଠୀର ପିପୁଲ୍ସ ଲିବରେସନ ଗରିଲା ଆର୍ମୀ-ପିଲଏଜିଏ (Peoples Liberation Guerrilla Army-PLGA) ସମୂହ ସହ ଜଡିତ ଲୋକ ସାମିଲ ରହିଥିଲେ।
Also Read: ସୁରକ୍ଷାବଳକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୫ ନକ୍ସଲ
ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ପ୍ରଥମେ ଏ ଘଟଣାରେ ୫ ଯବାନ ଶହୀଦ ହୋଇଥିବା ଖବର ମିଳିଥିଲା। ହେଲେ ପରେ ଜଙ୍ଗଲରୁ ଆଉ ୧୭ ଶବ ମିଳିବା ପରେ ମୃତକ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅନ୍ୟପଟେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳାଙ୍କୁ ମିଶାଇ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଏ ଘଟଣାରେ ନକ୍କଲ ସଙ୍ଗଠନର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।
ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ସୂଚନା ପ୍ରଦାନ କରିଥିଲା। ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ବିଗତ କିଛି ଦିନ ଧରି ଛତିଶଗଡର (Chhattisgarh) ବିଜାପୁର (Bijapur), ସୁକମା (Sukma), କାଙ୍କେର (Kanker) ଆଦି ଜିଲ୍ଲାରେ ପ୍ରାୟ ୨୦୦-୩୦୦ ନକ୍ସଲ କ୍ୟାମ୍ପ (Naxlite Camp) କରି ରହୁଛନ୍ତି। ଏପରିକି ଅନେକ ନକ୍ସଲ ଡିଭିଜନାଲ କମାଣ୍ଡର (Naxalite Divisional Commander) ଏଠାକୁ ଆସୁଥିବା ଜଣାପଡିଛି।