2024 Elections: କଂଗ୍ରେସ ବିନା ମୋଦିଙ୍କ ବିରୋଧରେ ମୋର୍ଚ୍ଚା ତିଆରି ଅସମ୍ଭବ । କିନ୍ତୁ କଂଗ୍ରେସ ଯେ ସେହି ମୋର୍ଚ୍ଚାର ନେତୃତ୍ୱ ନେବ ତାହା ଏବେବି ଅସ୍ପଷ୍ଚ ।
Trending Photos
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ଆସିବାପରେ ଏବେ ସବୁଠି ଚର୍ଚ୍ଚା ଯେ ୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ବିରୋଧରେ ବିରୋଧୀଙ୍କ ମୋର୍ଚ୍ଚା କିଏ ସମ୍ଭାଳିବ? ବେଶ କିଛି ଦିନ ହେବ ଏନେଇ ପ୍ରୟାସ ଆରମ୍ଭ ହୋଇସାରିଥିବା ବେଳେ, ମମତା ବାନାର୍ଜୀ (Mamata Banerjee) ଏଦିଗରେ ଅବିରତ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ତ କିଛିଦିନ ତଳେ ସେ ଦିଲ୍ଲୀ ଆସି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ଭେଟିଥିଲେ । ପରେ ମୁମ୍ୱାଇ ଯାଇ ଶରଦ ପାୱାରଙ୍କ ଠାରୁ ଆରମ୍ଭ କରି ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଥିଲେ । ବିରୋଧୀ ଗୋଟିଏ ମୋର୍ଚ୍ଚା ଗଢ଼ି ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ଏହି ମୋର୍ଚ୍ଚାରେ କଂଗ୍ରେସ ରହିବ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି ।
ଶିବସେନା ଓ ଏନସିପି ମତରେ ବିନା କଂଗ୍ରେସରେ ଏହି ପ୍ରୟାସ ସଫଳ ହେବ ନାହିଁ । କିନ୍ତୁ ଯେଉଁଭଳି ସ୍ଥିତି ଉତ୍ପନ୍ନ ହୋଇଛି ତାକୁ ଦେଖି ଲାଗୁଛି କଂଗ୍ରେସ ବିନା ମୋଦିଙ୍କ ବିରୋଧରେ ମୋର୍ଚ୍ଚା ତିଆରି ଅସମ୍ଭବ । କିନ୍ତୁ କଂଗ୍ରେସ ଯେ ସେହି ମୋର୍ଚ୍ଚାର ନେତୃତ୍ୱ ନେବ ତାହା ଅସ୍ପଷ୍ଚ । ଯଦି କଂଗ୍ରେସ ୧୦୦ଟି ଲୋକସଭା ଆସନ ଜିତେ ତେବେ ହୁଏତ ସ୍ଥିତି ଅଲଗା ହୋଇପାରେ । ଗତଥର ମମତା ବାନାର୍ଜୀ ଯେତେବେଳେ ଦିଲ୍ଲୀ ଆସିଥିଲେ ସେତେବେଳେ ସୋନିଆ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ ଦଳର ନେତାଙ୍କୁ ଭେଟିଥିଲେ । ଏନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ, ସବୁବେଳେ ଜଣଙ୍କୁ ଭେଟିବା ବାଧ୍ୟବାଧକତା ନୁହେଁ ବୋଲି କହିଥିଲେ । ଅବଶ୍ୟ ସେତେବେଳେ ବେଙ୍ଗଲ ନିର୍ବାଚନ ସରିଥିଲା ଓ ଟିଏମସି-କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ ।
ମମତା ବାନାର୍ଜୀଙ୍କ ପରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ମୁ୍ମ୍ୱାଇ ଯାଇ ସେ ମଧ୍ୟ ସମସ୍ତଙ୍କୁ ଭେଟିଛନ୍ତି । ବିରୋଧୀ ଏକତା କଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ମଧ୍ୟ ଲଗାତାର ଉଠାଉଛନ୍ତି । ଏନେଇ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି । ଏହା ପଛରେ କାରଣ ଖୋଜିଲେ, ତୃଣମୂଳ ପାଖରେ ପଶ୍ଚିମବଙ୍ଗ ଶାସନ ଗାଦି ସହ ଦିଲ୍ଲୀରେ ୨୨ ସାଂସଦ ମଧ୍ୟ ରହିଛନ୍ତି । ଯାହା ଆଗକୁ ଆହୁରି ବଢ଼ି ପାରନ୍ତି । ଡିମଏକ ପାଖରେ ତାମିଲନାଡ଼ୁରେ ସରକାର ସହ ୨୪ ସାଂସଦ, ଶିବସେନା ନିକଟରେ ମହାରାଷ୍ଟ୍ରରେ ମେଣ୍ଟ ସରକାର ସହ ୧୯ ସାଂସଦ ଅଛନ୍ତି । ସେହିପରି କେସିଆରଙ୍କ ପାଖରେ ତେଲଙ୍ଗାନାରେ ଶାସନ ଭାର ସହ ୯ ଜଣ ସାଂସଦ ମଧ୍ୟ ରହିଛନ୍ତି । ଆନ୍ଧ୍ରରେ ଜଗନ ମୋହନଙ୍କ ସରକାର ଥିବା ବେଳେ ୨୨ ଜଣ ସାଂସଦ ଅଛନ୍ତି । ସେହିପରି ବିଜେଡି ପାଖରେ ଓଡ଼ିଶା ଶାସନ ସାଙ୍ଗକୁ ୧୨ ଜଣ ସାଂସଦ ରହିଛନ୍ତି । କିନ୍ତୁ ଜଗନ ମୋହନ ଓ ନବୀନ ବିରୋଧୀଙ୍କ ସହ ଯିବା ନେଇ କୌଣସି ଆନ୍ତରିକତା ମଧ୍ୟ ପ୍ରଦର୍ଶନ କରୁନାହାନ୍ତି । ବରଂ ଯେତେବେଳେ ଆବଶ୍ୟକ ପଡ଼ୁଛି ରାଜ୍ୟସଭାରେ ସରକାରଙ୍କୁ ଉଭୟ ସମର୍ଥନ ଦେଉଛନ୍ତି । ତେଣୁ ଏ ସମସ୍ତଙ୍କ ମଧ୍ୟରେ ମମତା ହିଁ ଚେହେରା ଭାବେ ଆଗକୁ ଆସିପାରିବେ କାହିଁକି ନା ତାଙ୍କ ପାଖରେ ଦିଲ୍ଲୀ ରାଜନୀତିର ମଧ୍ୟ ଅନୁଭବ ରହିଛି । ସେ ମଧ୍ୟ ଅନେକ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି । ଯେଉଁଥିପାଇଁ ଅଧିକାଂଶ ରାଜନୈତିକ ଦଳ ସହ ତାଙ୍କର ସମ୍ପର୍କ ଭଲ ରହିଛି । ପୂ୍ର୍ବରୁ କଂଗ୍ରେସରେ ଥିଲା ବେଳେ ସୋନିଆଙ୍କ ସହ ତାଙ୍କର ମଧୁର ସମ୍ପର୍କ ଥିଲା ।
ଏବେ ଏହି ତାଲିକାରେ ଯୋଡ଼ି ହୋଇଥିବା ଆଉ ଏକ ନାଁ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ଯେଉଁଭଳି ଭାବେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସଫଳତା ହାସଲ କରିଛି, ଏହାକୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ 'ସବୁଠୁ ସଫଳ ଷ୍ଟାର୍ଟ ଅପ୍' ବୋଲି କୁହାଯାଉଛି । କାହିଁକି ନା ରାଜନୀତିରେ ୧୦ ବର୍ଷରୁ କମ୍ ସମୟରେ ଅଭିଜ୍ଞତା ମଧ୍ୟରେ ଦୁଇ ଦୁଇଟି ସ୍ଥାନରେ ସରକାର ଗଢ଼ିବା ପ୍ରାୟ ଅସମ୍ଭବ ବୋଲି ପରିଗଣିତ ହୋଇଥାଏ । ବିଏସପିର ପ୍ରତିଷ୍ଠୀତା କାଂଶୀରାମ ଯିଏ ବହୁଜନ ସମାଜ ପାର୍ଟି ଗଢ଼ି ୟୁପିରେ ସତ୍ତା ଦଖଲ କରିଥିଲେ, ତାଙ୍କ ମତରେ କୌଣସି ନିର୍ବାଚନ ଦଳ ପାଇଁ ପ୍ରଥମ ନିର୍ବାଚନ ହାରିବା ପାଇଁ, ଦ୍ୱିତୀୟ ହରେଇବା ପାଇଁ ଓ ତୃତୀୟଟି ଜିତିବା ପାଇଁ ହୋଇଥାଏ । ବିଏସପି ୧୯୮୪ରେ ସ୍ଥାପିତ ହୋଇଥିଲା କିନ୍ତୁ ୨୦୦୭ରେ ଅର୍ଥାତ୍ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ନିଜ ଦମରେ ସରକାର ଗଢ଼ିଥିଲା । ଅବଶ୍ୟ ୧୯୯୫, ୧୯୯୭ ଓ ୨୦୦୨ରେ ମାୟାବତୀ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ୨୦୧୨ରେ ତିଆରି ଆମ୍ ଆଦମୀ ପାର୍ଟି ପାଖରେ ଏବେ ଦୁଇ ଦୁଇଟି ରାଜ୍ୟ ।
ଅରବିନ୍ଦ କେଜ୍ରୱାଲଙ୍କୁ ୨୦୨୪ରେ ବିରୋଧୀଙ୍କ ଚେହେରା ବନିବା ପାଇଁ ପ୍ରଥମେ ଆପକୁ ରାଷ୍ଟ୍ରୀୟ ଦଳ ବନାଇବାକୁ ପଡ଼ିବ । ଏହା ପୂର୍ବରୁ ପ୍ରଥମେ କ୍ଷେତ୍ରୀୟ ଦଳ ବନିବା ଜରୁରୀ । ଚାରିଟି ରାଜ୍ୟରେ କ୍ଷେତ୍ରୀୟ ଦଳ ବନିବା ପରେ ହିଁ ଆମ୍ ଆଦମୀ ପାର୍ଟିକୁ ରାଷ୍ଟ୍ରୀୟ ଦଳର ମର୍ଯ୍ୟାଦା ମିଳିବ । କ୍ଷେତ୍ରୀୟ ଦଳ ବନିବା ପାଇଁ କିଛି ନିୟମ ମଧ୍ୟ ରହିଛି । ଯେମିତିକି ୪ଟି ରାଜ୍ୟରେ ୮ ପ୍ରତିଶତ ଭୋଟ୍ ପାଇବା ଅଥବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ୍ ଓ ୨ଟି ସିଟ୍ କିମ୍ୱା ୪ଟି ରାଜ୍ୟରେ କମ୍ ସେ କମ୍ ୩ଟି ବିଧାନସଭା ଆସନ ଜିତିବା । ଆପ୍ ନିକଟକେ ଦିଲ୍ଲୀ ଓ ପଞ୍ଜାବରେ ଏବେ ଶାସନ ଗାଦି ରହିଛି । ଗୋଆରେ ୬.୭ ପ୍ରତିଶତ ଭୋଟ୍ ଓ ୨ଟି ଆସନ ମିଳିଛି । ତେଣୁ ଗୁଜରାଟ କିମ୍ୱା ହିମାଚଳ ନିର୍ବାଚନରେ ୨ଟି ଆସନ ଓ ୬ ପ୍ରତିଶତ ଭୋଟ୍ ହାସଲ କରି ଆପ୍ ଯଦି ରାଷ୍ଟ୍ରୀୟ ଦଳର ମାନ୍ୟତା ଲାଭ କରେ ତେବେ କେଜ୍ରିୱାଲଙ୍କ ଦାବେଦାରୀ ଆହୁରି ବଢ଼ିଯିବ ।
ରାଜନୈତିକ ବିଶ୍ଲେଷକଙ୍କ ମତରେ କେଜ୍ରିୱାଲ ଓ ମୋଦିଙ୍କ ମଧ୍ୟରେ ଅନେକ ସମାନତା ରହିଛି । ଉଭୟ ରାଷ୍ଟ୍ରବାଦ ଓ ଧର୍ମକୁ ନିଜ ନିଜ ରାଜନୀତିରେ ପ୍ରମୁଖ ସ୍ଥାନ ଦେଇଥାନ୍ତି । କେଜ୍ରିୱାଲଙ୍କ ତ୍ରିରଙ୍ଗା ଯାତ୍ରା, ବୟସ୍କଙ୍କୁ ମାଗଣା ଧାର୍ମିକ ଯାତ୍ରା କରାଇବା, 'ଜୟ ମାତା ଦୀ' ଓ 'ଭାରତ ମାତା' ନାରା ଏକା ସାଙ୍ଗରେ ଲଗାଇବା । ନୂଆ ନୂଆ ପ୍ରତୀକଙ୍କୁ ଖୋଜିବା ଯେମିତି ଆମ୍ୱେଦକର ବା ଭଗତ ସିଂହ । ଉଭୟ ଜନତାଙ୍କ ପାଇଁ ରାସନ ଠାରୁ ଆରମ୍ଭ କରି ବିଜୁଳି-ପାଣି ଦେବାରେ ବିଶ୍ୱାସ ରଖନ୍ତି । ଜଣେ ଗୁଜରାଟ ମଡେଲ୍ ବିକୁଥିବା ବେଳେ ଅନ୍ୟ ଜଣ ଦିଲ୍ଲୀ ମଡେଲ୍ ବିକନ୍ତୁ । ତେଣୁ ମୋଦିଙ୍କ ବିକଳ୍ପ କେଜ୍ରିୱାଲ ହୋଇପାରିବେ । କାହିଁକି ନା ଭାରତରେ ଏବେ ଦୁଇ ପ୍ରକାର ଭୋଟ୍ ଗୋଟିଏ ମୋଦିଙ୍କୁ ଜିତାଇବା ପାଇଁ ଅନ୍ୟଟି ହରାଇବା ପାଇଁ । ହରାଇବା ଭୋଟ୍ ଅଧିକ କିନ୍ତୁ ସେସବୁ ବିଭାଜିତ ହେଉଛି । ଯଦି କେହି ସେସବୁକୁ ଏକାଠି କରିବାରେ ସଫଳ ହେଲେ, ସେ ମୋଦିଙ୍କୁ ଟକ୍କର ଦେଇପାରିବେ । ଆଉ ଏବେ ତାହାକୁ ହିଁ ଅପେକ୍ଷା ।
ଏହା ବି ପଢ଼ନ୍ତୁ: Asia Cup 2022: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକ୍, ୨୭ ଅଗଷ୍ଟରୁ ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ