ପ୍ରଥମ ଥର ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବ ଆଇପିଏଲ ଫାଇନାଲ। ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦିଲ୍ଲୀ ନିଜର ଏକ ନୂଆ ଯୁଗ ଆରମ୍ଭ କରିଛି। ଏହି ବିଜୟରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Trending Photos
ନୂଆଦିଲ୍ଲୀ: ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRHକୁ ପରାସ୍ତ କରି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ (DC)। ଏହି ମ୍ୟାଚର ହିରୋ ହେଲେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ 27 ବଲରେ ୩୮ ରନର ଇନିଂସ ଖେଳିବା ସହ ତିନି ଓଭରରେ ୨୬ ରନ୍ ଦେଇ ତିନୋଟି ୱିକେଟ୍ ନେଇଛନ୍ତି।
ଆଇପିଏଲ୍ ୨୦୨୦ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ହାଇଦ୍ରାବାଦକୁ ଦିଲ୍ଲୀ ୧୭ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବଂ ଦ୍ରୁତ ବୋଲର କାଗିସୋ ରାବାଡାଙ୍କ ପାଇଁ ଦିଲ୍ଲୀ ଏହି ବିଜୟ ହାସଲ କରିଛି। ଷ୍ଟୋଇନିସ୍ ପ୍ରଥମେ ବ୍ୟାଟିଂରେ ୩୮ ରନର ପାଳି ଖେଳିଥିଲେ। ପରେ ବୋଲିଂ ତିନି ଓଭରରେ ୨୬ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏଥି ସହିତ ରାବଡା ଚାରି ଓଭରରେ ୨୯ ରନ୍ ଦେଇ ହାଇଦ୍ରାବାଦର ଚାରିଟି ୱିକେଟ୍ ଖସାଇଥିଲେ।
ପ୍ରଥମ ପାଳିରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ଦିଲ୍ଲୀ ୧୮୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ ସ୍କୋର କରିଛି। ଏହି ପରାଜୟ ପରେ ହାଇଦ୍ରାବାଦ ଚଳିତ ଆଇପିଏଲରୁ ଆଉଟ ହୋଇଯାଇଛି। ସେପଟେ ୧୭ ରନରେ ମ୍ୟାଚ ଜିତି ପ୍ରଥମ ଥର ଦିଲ୍ଲୀ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିଲ୍ଲୀ ଟାଇଟଲ ପାଇଁ ମୁମ୍ବାଇକୁ ଭେଟିବ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ମାର୍କସ ଷ୍ଟୋଇନିସ୍ ଏବଂ ଶିଖର ଧାୱନଙ୍କ ଏକ ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮ ଓଭର ୨ଟି ବଲରେ ୮୬ ରନର ପାର୍ଟନରସିପ କରିଥିଲେ। ଷ୍ଟୋଇନିସ୍ ୨୭ ବଲରେ ୩୮ ରନ୍ କରି ଆଉଟ ହୋଇଥିଲେ। ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଶ୍ରେୟାସ ଆୟର ୨୦ ବଲରେ ୨୧ ରନ ସଂଗ୍ରହ କରିଥିଲେ।
ଆୟର ବିଦା ହେବାପରେ ଶିମ୍ରାନ୍ ହେଟମିୟର ବ୍ୟାଟିଂ କରିବାକୁ ଆସି ହାଇଦ୍ରାବାଦ ବୋଲରମାନଙ୍କୁ ପାଣି ପିଆଇ ଦେଇଥିଲେ। ସେପଟେ ୫୦ ବଲରେ ୭୮ ରନ୍ କରିବା ପରେ ଧାୱନ ଆଉଟ ହୋଇଥିଲେ। ଏଥିସହ ହେଟମିୟର ୨୨ଟି ବଲରେ ୪୨ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଏହା ସହ ଦିଲ୍ଲୀ ୧୮୯ ରନ ସହ ନିଜର ପାଳି ଶେଷ କରିଥିଲା। ହେଟମିୟରଙ୍କ ଷ୍ଟ୍ରାଇକ୍ ରେଟ ରହିଛି ୧୯୦।
ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ଜେସନ ହୋଲ୍ଡର ମହଙ୍ଗା ବୋଲି ପ୍ରମାଣିତ ହୋଇଛନ୍ତି। ସେ ତାଙ୍କ ଚାରି ଓଭରରେ ୫୦ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ରସିଦ ଖାନ ଆର୍ଥିକ ଦୃଷ୍ଟିରୁ ଭଲ ବୋଲିଂ କରିଥିଲେ। ସେ ତାଙ୍କ ଚାରି ଓଭରରେ ମାତ୍ର 26 ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସନ୍ଦୀପ ଶର୍ମା ମଧ୍ୟ ଏକ ସଫଳତା ପାଇଛନ୍ତି।
୧୯୦ ରନ୍ର ବିଶାଳ ଟାର୍ଗେଟକୁ ଗୋଡାଉଥିବା ସନରାଇଜର୍ସ ହାଇଦ୍ରାବାଦ ଓପନିଂ ବହୁତ ରଖରାପ ଥିଲା। ଦ୍ୱିତୀୟ ଓଭରରେ ଅଧିନାୟକ ଡେଭିଡ ୱାର୍ଣ୍ଣର ମାତ୍ର ୨ ରନ କରି ପାଭିଲିୟନକୁ ଫେରିଥିଲେ। ତାଙ୍କୁ କାଗିସୋ ରାବାଡା ଶିକାର କରିଥିଲେ। ଏହା ପରେ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରୁଥିବା ପ୍ରିୟମ୍ ଗର୍ଗ ୧୭ ରନ୍ କରି ଆଉଟ ହୋଇଥିଲେ। ମନୀଷ ପାଣ୍ଡେ ବି ଅଧିକ ସମୟ ପିଚରେ ରହିନଥିଲେ। ସେ ୧୪ ବଲରେ ୨୧ ରନ କରିବାରେ ସଫଳ ହୋଇଥିଲେ।
ପାଞ୍ଚ ଓଭରରେ ୪୪ ରନ୍ ପାଇଁ ତିନୋଟି ୱିକେଟ୍ ଖସିଯିବା ପରେ ଲାଗୁଥିଲା ଯେ ହାଇଦ୍ରାବାଦର ଶୀଘ୍ର ଆଉଟ୍ ହୋଇଯିବେ। କିନ୍ତୁ କେନ୍ ୱିଲିୟମ୍ସନ୍ ପ୍ରଥମେ ଜେସନ୍ ହୋଲ୍ଡର୍ ଙ୍କ ସହ ୪୬ ରନ୍ ଭାଗିଦାରୀ ବାଣ୍ଟିଥିଲେ। ସେ ୪୫ ବଲରେ ୬୭ ରନର ଏକ ବଡ଼ ଇନିଂସ ଖେଳିଥିଲେ। ମ୍ୟାଚର ଗତିକୁ ଦେଖ ଲାଗୁଥିଲା ଯେ ହାଇଦ୍ରାବାଦ ଏହି ମ୍ୟାଚ୍ ଜିତିବ। କିନ୍ତୁ କାଗିସୋ ରାବଡା ଗେମର ଦିଗ ବଦଳାଇ ଦେଇଥିଲେ।
ରାବାଡା ସାମଦଙ୍କୁ ଶିକାର କରିବା ପରେ ରସିଦ ଖାନଙ୍କୁ ନିଜ ଜାଲରେ ଫସାଇ ଥିଲେ। ସାତୋଟି ବଲରେ ୧୧ ରନ୍ କରିବା ପରେ ରସିଦ ପାଭିଲିୟନକୁ ଫେରିଥିଲେ। ରାବାଡା ଦିଲ୍ଲୀ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ତାଙ୍କ କୋଟାର ଚାରି ଓଭରରେ ମାତ୍ର ୨୯ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମାର୍କସ୍ ଷ୍ଟୋଇନିସ୍ ତିନି ଓଭରରେ ୨୬ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ।