ଇସ୍ତଫା ଦେବେ ନା ବିଦା ହେବେ ଟ୍ରମ୍ପ?
Advertisement
Article Detail0/zeeodisha/odisha826044

ଇସ୍ତଫା ଦେବେ ନା ବିଦା ହେବେ ଟ୍ରମ୍ପ?

ଆମେରିକା ସମ୍ବିଧାନର ଧାରା ୨୫ ଅନୁସାରେ ଯଦି ଆମେରିକା ରାଷ୍ଟ୍ରପତିଙ୍କ ମୃତ୍ୟୁ ହୁଏ, ଯଦି ଇସ୍ତଫା ଦିଅନ୍ତି କିମ୍ବା କର୍ତ୍ତବ୍ୟ ପାଳନରେ ଅକ୍ଷମ ହେଲେ ଉପରାଷ୍ଟ୍ରପତି କ୍ୟାବିନେଟ ସହମତିରେ ରାଷ୍ଟ୍ରପତିଙ୍କ ସ୍ଥାନ ନେଇପାରିବେ।

ଇସ୍ତଫା ଦେବେ ନା ବିଦା ହେବେ ଟ୍ରମ୍ପ?

ନୂଆଦିଲ୍ଲୀ: ସମସ୍ୟାରେ ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟର ମହାନାୟକ ଡୋନାଲ୍ଡ ଟ୍ରମ୍ପ। ନିଜେ ଘୋଷଣା କରିଥିବା କ୍ଷମତା ହସ୍ତାନ୍ତର ତାରିଖ ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ମୁଣ୍ଡ ଉପରେ ଝୁଲୁଛି ମହାଭିଯୋଗର ଡେମୋକ୍ଲିସ୍ ଖଣ୍ଡା। ଆସନ୍ତା ୨୦ ଜାନୁଆରୀ ପୂର୍ବରୁ ଟ୍ରମ୍ପଙ୍କ କ୍ଷମତାରୁ ହଟାଇବା ପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହାଭିଯୋଗ ପ୍ରସ୍ତାବ।

ଗତ ୬ ଜାନୁଆରୀରେ ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ସାରା ଦୁନିଆ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଦୋଷ ଲଦିଛି। କାରଣ ତାଙ୍କର ବୟାନ ହିଁ ତାଙ୍କ ସମର୍ଥକଙ୍କୁ ହିଂସା ପାଇଁ ଉସକାଇଥିଲା।

ଆମେରିକା ସଂସଦର ନିମ୍ନ ସଦନ ହାଉସ ଅଫ ରିପ୍ରଜେଣ୍ଟେଟିଭ (House of Representative) ଅଧ୍ୟକ୍ଷ ନେନ୍ସି ପେଲୋସୀ ମଧ୍ୟ ଟ୍ରମ୍ପଙ୍କ ଶାସନ କ୍ଷମତାର ହଟାଇବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଦାବି କରିଥିଲେ। ରାଜନୈତିକ ଫାଇଦା ପାଇଁ ଟ୍ରମ୍ପ ଆମେରିକା ନିର୍ବାଚନ ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ସହ ରାଷ୍ଟ୍ରୀୟ ସୁରକ୍ଷାକୁ ଦୁର୍ବଳ କରିଥିବା ସେ କହିଛନ୍ତି।

ନେନ୍ସି ପେଲୋସୀଙ୍କ ସମର୍ଥନ ସହ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଟ୍ରମ୍ପଙ୍କୁ ୨୦ ଜାନୁଆରୀ ପୂର୍ବରୁ ପଦରୁ ହଟାଇବା ପାଇଁ ଦଳ ପକ୍ଷରୁ ପୂରା ରଣନୀତି ପ୍ରସ୍ତୁତ ହୋଇଛି। ଡେମୋକ୍ରାଟିକ ଦଳ ପକ୍ଷରୁ ହାଉସ ଅଫ ରିପ୍ରେଜେଣ୍ଟିବ୍ସରେ ପ୍ରଥମେ ପ୍ରସ୍ତାବ ଆଗତ ହେବ। ଏହି ପ୍ରସ୍ତାବରେ ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମସ୍ତ କ୍ଷମତା ହସ୍ତାନ୍ତର ପାଇଁ ଅପିଲ କରାଯିବ।

ଏହାପୂର୍ବରୁ ନେନ୍ସି ପେଲୋସୀ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକା ସମ୍ବିଧାନର ଧାରା ୨୫ର ବ୍ୟବହାର କରିବାକୁ ଦାବି କରିଥିଲେ। ଏହି ଧାରା ଅନୁସାରେ ଯଦି ଆମେରିକା ରାଷ୍ଟ୍ରପତିଙ୍କ ମୃତ୍ୟୁ ହୁଏ, ଯଦି ଇସ୍ତଫା ଦିଅନ୍ତି କିମ୍ବା କର୍ତ୍ତବ୍ୟ ପାଳନରେ ଅକ୍ଷମ ହେଲେ ଉପରାଷ୍ଟ୍ରପତି କ୍ୟାବିନେଟ ସହମତିରେ ରାଷ୍ଟ୍ରପତିଙ୍କ ସ୍ଥାନ ନେଇପାରିବେ।

ବର୍ତ୍ତମାନେ ଆମେରିକା ସଂସଦର ନିମ୍ନ ସଦନରେ ଟ୍ରମ୍ପ ବିରୋଧି ପାର୍ଟି ଡେମୋକ୍ରାଟିକ ପାର୍ଟିର ବହୁମତ ରହିଛି। ମହାଭିଯୋଗ ପ୍ରସ୍ତାବ ପାରିତ ହେବା ସମ୍ଭାବନା ରହିଛି। ଏହାପରେ ଅନ୍ତିମ କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ଉପରାଷ୍ଟ୍ରପତିଙ୍କ ସମ୍ମତି ଆବଶ୍ୟକ। ଉପରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଲେ ସର୍ବଶକ୍ତିଶାଳୀ ଟ୍ରମ୍ପ କ୍ଷଣିକରେ ହରାଇବେ ଆମେରିକା ରାଷ୍ଟ୍ରପତି ପଦର ଶକ୍ତି ଓ କ୍ଷମତା।