ସତ୍ୟମେବ ଜୟତେ: ବର୍ଷ ବର୍ଷ ଧରି କୁହାଗଲା ଦେଶର ଗଦ୍ଦାର, ଏବେ ମିଳିଲା ନ୍ୟାୟ
Advertisement

ସତ୍ୟମେବ ଜୟତେ: ବର୍ଷ ବର୍ଷ ଧରି କୁହାଗଲା ଦେଶର ଗଦ୍ଦାର, ଏବେ ମିଳିଲା ନ୍ୟାୟ

ମାଳଦ୍ୱୀପର ଦୁଇ ମହିଳା ଗୁପ୍ତଚର ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ପ୍ରଦାନ କରିଥିବା ନେଇ କଥିତଭାବେ ନମ୍ବି ନାରାୟଣନ ବିରୋଧରେ ଅଭିଯୋଗ ଲଗାଯାଇଥିଲା । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସତ୍ୟ ବିଚଳିତ ହୋଇପାରେ, କିନ୍ତୁ ପରାଜିତ ନୁହେଁ । ଦିନେ ସତ୍ୟର ହିଁ ଜୟ ହୁଏ । ହୋଇପାରେ, ଆପଣ କିଛି ସମୟ ପାଇଁ ବଦନାମ ହେବେ, ହେଲେ ଦିନେ ସତ ସାମ୍ନାକୁ ହିଁ ଆସିବ । ଜଣେ ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି ଏଭଳି କିଛି । ଦୀର୍ଘ ଦିନ ଧରି ଯାହାଙ୍କୁ ଦେଶର ଗଦ୍ଦାର ବୋଲି ଅଭିହିତ କରାଯାଇଥିଲା, ଏବେ ତାଙ୍କୁ ନ୍ୟାୟ ମିଳିଛି । ୧.୩୦ କୋଟି ଟଙ୍କାର କ୍ଷତିପୂରଣ ରାଶି ପାଇଛନ୍ତି ଏହି ମହାନ ବୈଜ୍ଞାନିକ ଜଣକ । ଆଉ ଏ ଘଟଣା ପରେ ସେଇ ଗୋଟିଏ କଥା, ସତ୍ୟମେବ ଜୟତେ । 

ଆମେ କହୁଥିବା କାହାଣୀର ନାୟକ ଜଣକ ହେଉଛନ୍ତି, ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ପୂର୍ବ ବୈଜ୍ଞାନିକ ନମ୍ବି ନାରାୟଣନ । ଦିନେ ଗୁପ୍ତଚର ମାମଲାରେ ତାଙ୍କୁ କେରଳ ପୋଲିସ ଦ୍ୱାରା ଫସାଇ ଦିଆଯାଇଥିଲା । ଅଢ଼େଇ ଦଶନ୍ଧି ପର୍ଯ୍ୟନ୍ତ ନ୍ୟାୟର ଲଢ଼େଇ ଲଢ଼ିଥିଲେ ନାରାୟଣନ । ଶେଷରେ ସତ୍ୟର ଜୟ ହୋଇଛି । ବୈଜ୍ଞାନିକ ନାରାୟଣନଙ୍କୁ ନ୍ୟାୟ ମିଳିଛି । ଗତବର୍ଷ ଡିସେମ୍ବରରେ କେରଳ କ୍ୟାବିନେଟ ଦ୍ୱାରା ୧.୩୦ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଞ୍ଜୁରୀ ଦିଆଯାଇଥିଲା । ଆଉ ଏବେ ସେହି କ୍ଷତିପୂରଣ ରାଶି ପାଇଛନ୍ତି ୭୯ ବର୍ଷୀୟ ନାରାୟଣନ । 

କ'ଣ ଥିଲା ପୁରା ଘଟଣା ? 

୧୯୯୪ରେ କାଉଣ୍ଟିର କ୍ରାୟୋଜେନିକ୍ ଇଞ୍ଜିନ ଟେକ୍ନୋଲୋଜିର କିଛି ଗୁପ୍ତ ଡକ୍ୟୁମେଣ୍ଟ ଏବଂ ରହସ୍ୟକୁ ଶତ୍ରୁ ଦେଶକୁ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଗୁପ୍ତଚର ମାମଲାରେ ଇସ୍ରୋର ଦୁଇ ବୈଜ୍ଞାନିକ, ଦୁଇ ମାଳଦ୍ୱୀପ ମହିଳା ଓ ଅନ୍ୟ ୪ ଜଣ ସମ୍ପୃକ୍ତି ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ନାରାୟଣନ ମଧ୍ୟ ରହିଥିଲେ । ମାଳଦ୍ୱୀପର ଦୁଇ ମହିଳା ଗୁପ୍ତଚର ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ପ୍ରଦାନ କରିଥିବା ନେଇ କଥିତଭାବେ ନମ୍ବି ନାରାୟଣନ ବିରୋଧରେ ଅଭିଯୋଗ ଲଗାଯାଇଥିଲା । 

ଦୀର୍ଘ ବର୍ଷ ପରେ ନାରାୟଣନଙ୍କୁ ମିଳିଥିଲା ନ୍ୟାୟ 

ଦୀର୍ଘ ବର୍ଷର ଲଢ଼େଇ ପରେ ୨୦୧୮ରେ ଦେଶର ସର୍ବୋଚ୍ଚ ଅଦାଲତ ଏ ମାମଲାରେ ହସ୍ତକ୍ଷେପ କରିଥିଲେ ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଥିରୁଅନନ୍ତପୁରମ ଅଦାଲତରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶରେ କହିଥିଲେ, ଏହି ମାମଲାରେ ନାରାୟଣନଙ୍କ ଗିରଫଦାରି ଅନାବଶ୍ୟକ ଥିଲା । ସେହିପରି ନାରାୟଣନଙ୍କୁ ଫଶାଇ ଦିଆଯାଇଥିବା ମଧ୍ୟ କହିଥିଲେ ସୁପ୍ରିମକୋର୍ଟ । ଏହା ସହ ୫୦ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । 

ସୁପ୍ରିମକୋର୍ଟ ଏକଥା ମଧ୍ୟ ସ୍ୱୀକାର କରିଥିଲେ, ନାରାୟଣନ ଏହାଠାରୁ ଅଧିକ କ୍ଷତିପୂରଣ ରାଶି ପାଇବା ପାଇଁ ହକଦାର । ଆଉ ଏଥିପାଇଁ ସେ ନିମ୍ନ ଅଦାଲତର ଦ୍ୱାରସ୍ତ ହୋଇପାରିବେ । ସେହିପରି ଏହାର ଠିକ ପୂର୍ବରୁ, NHRC ମଧ୍ୟ ନାରାୟଣନଙ୍କୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଆହୁରି ପଢ଼ନ୍ତୁ; ଭ୍ୟାକସିନ କରିଛି ନା ଭୂଆଁ ବୁଲାଉଛି ଋଷ ? ଜାଣନ୍ତୁ, ପରଦା ପଛର ଅସଲ କାହାଣୀ

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେରଳ ସରକାର ମଧ୍ୟ ଏହି ମାମଲାକୁ ଗୁରୁତ୍ୱର ସହ ନେଇଥିଲେ । ଏକ ସଠିକ କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିବା ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ଜୟକୁମାରଙ୍କୁ ଦାୟିତ୍ୱ ଦିଆଥିଲେ । ଶେଷରେ କ୍ଷତିପୂରଣ ରାଶି ପାଇଛନ୍ତି ବୈଜ୍ଞାନିକ ନମ୍ବି ନାରାୟଣନ । 

ରିପୋର୍ଟ ମୁତାବକ, କ୍ଷତିପୂରଣ ରାଶିର ଚେକକୁ ନାରାୟଣନ ସ୍ୱୀକାର କରିଛନ୍ତି । କହିଛନ୍ତି, ''ମୁଁ ଏବେ ବହୁତ ଖୁସି । ମୋ ଦ୍ୱାରା ଲଢ଼ାଯାଇଥିବା ଲଢ଼େଇ ଟଙ୍କା ପାଇଁ ନଥିଲା । ଏ ଲଢ଼େଇ ଅନ୍ୟାୟ ବିରୋଧରେ ଥିଲା ।'' 

ଆହୁରି ପଢ଼ନ୍ତୁ; ସ୍ତ୍ରୀ ମାଗୁଛି ସିନ୍ଦୁର, ପୋଲିସ ଯାଚୁଛି ଯୌତୁକ !