ଭ୍ୟାକସିନ କରିଛି ନା ଭୂଆଁ ବୁଲାଉଛି ଋଷ ? ଜାଣନ୍ତୁ, ପରଦା ପଛର ଅସଲ କାହାଣୀ
Advertisement
Article Detail0/zeeodisha/odisha727363

ଭ୍ୟାକସିନ କରିଛି ନା ଭୂଆଁ ବୁଲାଉଛି ଋଷ ? ଜାଣନ୍ତୁ, ପରଦା ପଛର ଅସଲ କାହାଣୀ

ଏମିତି କିଛି ବିଷୟ ଅଛି, ଯାହା ଋଷର ଭ୍ୟାକସିନ ପ୍ରସ୍ତୁତ ଦାବି ନେଇ ପ୍ରଶ୍ନ ଉଠାଉଛି । କେବଳ ଏତିକି ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏବଂ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ମଧ୍ୟ ଋଷର ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । 

ଫାଇଲ ଫଟୋ

ମସ୍କୋ: ଋଷ ପ୍ରକୃତରେ ଭ୍ୟାକସିନ ପ୍ରସ୍ତୁତ କରିଛି ନା ନାହିଁ, ସେ ବିଷୟକୁ ନିଶ୍ଚୟ ଆସିବା । କିନ୍ତୁ ତା ପୂର୍ବରୁ ବିଶ୍ୱ ଆର୍ଥିକ ମଞ୍ଚର ଏକ ବିଷୟ ଉପରେ ଧ୍ୟାନ ଦିଅନ୍ତୁ । ବିଶ୍ୱ ଆର୍ଥିକ ମଞ୍ଚ ଅନୁସାରେ, ଏକ ପ୍ରଭାବୀ ଟିକା ପ୍ରସ୍ତୁତ ପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିଥାଏ । ଆଉ ଏଥିପାଇଁ $୫୦୦ ମିଲିୟନରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଏହା ସତ, ତେବେ ଋଷ ଯେ ବହୁତ ଶୀଘ୍ର କୋରୋନା ଭ୍ୟାକସିନ(COVID-19 Vaccine) ପ୍ରସ୍ତୁତ କରିଥିବା କହୁଛି ଏଥିରେ ସନ୍ଦେହ ନାହିଁ । ହଁ, ବର୍ତ୍ତମାନ ପରିସ୍ଥିତିକୁ ଦେଖି ଶୀଘ୍ର କୋରୋନା ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ଅନେକ ଦେଶ ଅଣ୍ଟା ଭିଡ଼ିଛନ୍ତି । ତେଣୁ କୋରୋନା ଭ୍ୟାକସିନ ପାଇଁ ଆମକୁ ୧୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନପାରେ । କିନ୍ତୁ ଋଷ ଯେଉଁ ସମୟସୀମା ମଧ୍ୟରେ ଭ୍ୟାକସିନ ପ୍ରସ୍ତୁତ କରିଛି, ସନ୍ଦେହ ହେବା ସ୍ୱାଭାବିକ କଥା । 

ଗତକାଲି(ମଙ୍ଗଳବାର) କୋରୋନା ଭ୍ୟାକସିନ ପ୍ରସ୍ତୁତ ନେଇ ଦାବି କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Vladimir Putin) । ଏହି ଭ୍ୟାକସିନର ନାଁ Sputnik V ରଖାଯାଇଛି । ଋଷର କହିବା କଥା ଏହା ଯେ, ଏହି ଭ୍ୟାକସିନକୁ ଦେଶରେ ବହୁଳ ଭାବେ ବ୍ୟବହାର କରିବାକୁ ଅନୁମତି ମଧ୍ୟ ମିଳିସାରିଛି । ବିଶ୍ୱ ପାଇଁ ଏହା ଏକ ବଡ଼ ପଦକ୍ଷେପ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭ୍ୟାକସିନକୁ ନେଇ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମନେହେଉଥିଲା, ସତେଯେମିତି ପୁଟିନ ଏ କ୍ଷେତ୍ରରେ ଜଣେ ବିଶେଷଜ୍ଞ । 

କିନ୍ତୁ ଏମିତି କିଛି ବିଷୟ ଅଛି, ଯାହା ଋଷର ଭ୍ୟାକସିନ ପ୍ରସ୍ତୁତ ଦାବି ନେଇ ପ୍ରଶ୍ନ ଉଠାଉଛି । କେବଳ ଏତିକି ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏବଂ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ମଧ୍ୟ ଋଷର ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଋଷ ଯେ ଏତେଶୀଘ୍ର ଭ୍ୟାକସିନ ପ୍ରସ୍ତୁତ କରିପାରିବ, ଏକଥା ଅନେକଙ୍କୁ ହଜମ ମଧ୍ୟ ହେଉନି । 

ଆହୁରି ପଢ଼ନ୍ତୁ; ପାଇଲଟ ଫେରିଲେ, ଗେହଲଟଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲା !​ 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଋଷର ଆସୋସିଏସନ ଅଫ କ୍ଲିନିକାଲ ଟ୍ରାଏଲ ଅର୍ଗାନାଇଜେସନ (ACTO) ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ Sputnik Vକୁ ସରକାରୀ ଟିକା ଭାବେ ପଞ୍ଜିକୃତ ନ କରିବାକୁ କହିଛି । ପଞ୍ଜିକରଣ ପୂର୍ବରୁ ବଡ଼ ଧରଣର ଟ୍ରାଏଲ କରିବା ଉପରେ ଗୁରୁତ୍ୱାରୋପ କରିଛି ACTO । 

ଋଷର ଉପ ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ କହିଥିଲେ, ଭ୍ୟାକସିନର ଉଦ୍ୟୋଗିକ ଉତ୍ପାଦନ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ । ସେହିପରି ଋଷର ଏକ ସରକାରୀ ୱେବସାଇଟ ଅନୁସାରେ, ଜାନୁଆରୀ ୨୦୨୧ ମଧ୍ୟରେ ଭ୍ୟାକସିନ ପ୍ରସ୍ତୁତ ହେବା ନେଇ ଆଶା ଥିବା ଦର୍ଶାଇଥିଲା । ତେବେ ଭ୍ୟାକସିନର ମୂଲ୍ୟ ନେଇ କିଛି ମଧ୍ୟ କହିନାହିଁ ମସ୍କୋ । 

ସତରେ କ'ଣ ଏହି ଭ୍ୟାକସିନ (Sputnik V)ର ସଫଳ ପରୀକ୍ଷଣ ସରିଛି ? 

Sputnik Vର ଟ୍ରାଏଲ ଗତ ୧୮ ଜୁନରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଭ୍ୟାକସିନ ଟ୍ରାଏଲ ପାଇଁ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ୧୦୦ରୁ ମଧ୍ୟ କମ୍ ରହିଥିଲା । ଏଠାରେ ଆପଣଙ୍କୁ ଆମେ କହିରଖୁଛୁ, ଏକ ଭ୍ୟାକସିନ ପ୍ରସ୍ତୁତ ହେବା ପାଇଁ ଅନେକ ପର୍ଯ୍ୟାୟ ଦେଇ ଯିବାକୁ ହୁଏ । ପ୍ରରଥମ ପର୍ଯ୍ୟାୟରେ କିଛି ଲୋକଙ୍କୁ ନେଇ ଏହା ପରୀକ୍ଷଣ କରାଯାଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ଆହୁରି ଅଧିକ କରାଯାଏ । ସେହିପରି ତୃତୀୟ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କଠାରେ ଏହା ପ୍ରୟୋଗ କରାଯାଏ । ଆଉ ଏହା ପରେ ଯାଇ ଭ୍ୟାକସିନକୁ ନିୟମ ଅନୁସାରେ ମଞ୍ଜୁରୀ ମିଳିଥାଏ । ପରବର୍ତ୍ତୀ ସମୟରେ ଉତ୍ପାଦନ କରାଯାଏ । 

କିନ୍ତୁ ଋଷ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେବି Sputnik Vର ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ଅର୍ଥାତ ଭ୍ୟାକସିନର ପ୍ରଭାବ ଏବଂ ସୁରକ୍ଷା ବିଷୟରେ ଜାଣିବା ପାଇଁ ଏହାକୁ ଅଧିକ ସଂଖ୍ୟାରେ ପ୍ରୟୋଗ କରାଯିବା ବାକି ଅଛି । 

ଆହୁରି ପଢ଼ନ୍ତୁ; ପ୍ରଥମ କୋରୋନା ଟୀକା ପ୍ରସ୍ତୁତ କଲା ଋଷ, ଘୋଷଣା କଲେ ପୁଟିନ

ସେପଟେ ଆମେରିକାର ସଂକ୍ରମଣ ରୋଗ ବିଶେଷଜ୍ଞ ଏନ୍ଥୋନୀ ଫୈସି ମଧ୍ୟ ଋଷର ଏହି ଭ୍ୟାକସିନ ଉପରେ ପ୍ରଶ୍ନ ଉଠାଇଛନ୍ତି । WHO ମଧ୍ୟ ଋଷ ଭ୍ୟାକସିନ ଉପରେ ମୋହର ଲଗାଇନାହିଁ । ସଙ୍ଗଠନର ପ୍ରବକ୍ତା ତାରିକ୍ ଜାସାରେଭିକ୍ କହିଛନ୍ତି, ଆମେ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ସମ୍ପର୍କରେ ଅଛୁ । WHOର ସମ୍ଭାବିତ ପ୍ରି-କ୍ୱାଲିଫିକେସନକୁ ନେଇ ଆଲୋଚନା ବାକି ଅଛି । କୌଣସି ମଧ୍ୟ ଭ୍ୟାକସିନ ପାଇଁ ପ୍ରି-କ୍ୱାଲିଫିକେସନରେ ଆବଶ୍ୟକ ସମସ୍ତ ସୁରକ୍ଷା ଓ କ୍ଷମତା ତଥ୍ୟର କୋଠୋର ସମୀକ୍ଷା ଓ ମୂଲ୍ୟାୟନ ହୋଇଥାଏ ।  ସେହିପରି କେବଳ ଭ୍ୟାକସିନ କାହିଁକି, ନୂଆ ଔଷଧକୁ ନେଇ ମଧ୍ୟ WHO ଏକ ପ୍ରି-କ୍ୱାଲିଫିକେସନ ପ୍ରକ୍ରିୟା ପ୍ରସ୍ତୁତ କରିଛି । 

ତେଣୁ ଋଷ ଯେ କୋରୋନା ଭ୍ୟାକସିନର ସଫଳ ପରୀକ୍ଷଣ କରିସାରିଛି, ଏକଥା କହିବା ଠିକ ହେବ ନାହିଁ । ଋଷ ଭ୍ୟାକସିନର ଅନ୍ତିମ ପର୍ଯ୍ୟୟ ପରୀକ୍ଷଣ ଏବେ ବି ବାକି ଅଛି । ତେଣୁ ବର୍ତ୍ତମାନ ସମୟରେ ଏହା ପ୍ରଶ୍ନ ଉଠିବା ସ୍ୱାଭାବିତ, କୋରୋନା ଭ୍ୟାକସିନ ପ୍ରସ୍ତୁତ ନେଇ ଋଷର ଦାବି ଏକ ପବ୍ଲିସିଟି ଷ୍ଟଣ୍ଟ ନୁହେଁ ତ ?