ନ୍ୟୁଜର୍ସିରେ ରଥଯାତ୍ରା ପାଳିତ
Advertisement

ନ୍ୟୁଜର୍ସିରେ ରଥଯାତ୍ରା ପାଳିତ

ଆମେରିକାରେ ପାଳିତ ହେଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା...

ନ୍ୟୁଜର୍ସିରେ ରଥଯାତ୍ରା ପାଳିତ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବାହୁଡ଼ା ଯାତ୍ରା ଶେଷ ହୋଇଛି। ଆଜି ହେଉଛି ସୁନାବେଶ। ତେବେ ଏହି  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମେରିକାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଆମେରିକାର ନ୍ୟୁଜର୍ସି ରାଜ୍ୟର ପ୍ଲେନଫିଲଡ ସହରର ଇସ୍କନ ମନ୍ଦିର ପକ୍ଷରୁ ଏହି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ୨୩ ଜୁନ ୨୦୨୦ ତାରିଖରେ ମଙ୍ଗଳବାର ରଥଯାତ୍ରା ଉତ୍ସବ ପାଳିତ ହେଇଥିଲା I 

ଜଗନ୍ନାଥଙ୍କୁ ନାନା ପ୍ରକାରର ଫୁଲ ଓ ତୁଳସୀର ମନଲୋଭା ଟାହିଆ ବେଶରେ ଦର୍ଶନ କରି ଭକ୍ତମାନେ ଆନନ୍ଦିତ ହୋଇଥିଲେ । ହରିନାମ, ହୁଳହୁଳି, ଘଣ୍ଟାନାଦ, ଜୟ ଜଗନ୍ନାଥ, ଶଙ୍ଖଧ୍ୱନି ମଧ୍ୟରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ବିଧି ସମ୍ପାଦିତ ହୋଇଥିଲା । ରଥ ପୂଜା, ଛେରା ପହଁରା, ଆଳତୀ ଓ ଧୂପ ବନ୍ଦନା ପରେ ରଥଟଣା ଆରମ୍ଭ ହୋଇଥିଲା । ସୁଲଳିତ କିର୍ତ୍ତନ, ହରିବୋଲ ଓ ଜଗନ୍ନାଥ ଜଣାଣ ମଧ୍ୟ୍ୟରେ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥରେ ହର୍ଷୋଲ୍ଲାସ ସହିତ ଟାଣି ନେଇଥିଲେ ।

ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନ୍ଦାପନା ସହ ନାନା ପ୍ରକାରର ବ୍ୟଞ୍ଜନ ଭୋଗ କରାଯାଇଥିଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାଗତ ଭକ୍ତବୃନ୍ଦ କାଳିଆ ସାଆନ୍ତଙ୍କ ଅଶେଷ କରୁଣା ବାରି ପାଇ ଭାବ ବିହ୍ଵଳ ହୋଇଯାଇଥିଲେ । ଚଳିତ ବର୍ଷ କୋରୋନା ମହାମାରୀର ପ୍ରକୋପ ଯୋଗୁ ରଥଯାତ୍ରା ଉତ୍ସବକୁ ନେଇ ଭକ୍ତଙ୍କ ଭିତରେ ନାନା ଆଶଙ୍କା ଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ତାଙ୍କର ଯାତ୍ରା ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା । କୋରୋନା ପାଇଁ ମାସ୍କ ପିନ୍ଧି ଛ ଫୁଟ ଦୂରତ୍ୱ ରଖି ଭକ୍ତମାନେ ଖୁସି ମନରେ ରଥ ଯାତ୍ରାରେ ଆନନ୍ଦରେ ଭାଗ ନେଇ ଥିଲେ ।  

ରଥଯାତ୍ରା ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା, ଅଣବସର ରୀତି, ଗୁଣ୍ଡିଚା ମାର୍ଜନ, ନେତ୍ର ଉତ୍ସବ ଆଦି ଅନୁଷ୍ଠାନରେ ଭକ୍ତମାନେ ଯୋଗ ଦେଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ତରଫରୁ  ରଥଯାତ୍ରାର ସାତ ଦିନ ପୂର୍ବରୁ ଦେଶ ବିଦେଶରୁ ପ୍ରମୁଖ ସାଧୁସନ୍ଥଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ  କଥାର ଅନଲାଇନ ମାଧ୍ୟମରେ ପ୍ରସାରଣ ହୋଇଥିଲା ଯାହାଦ୍ୱାରା ଭକ୍ତମାନେ ଓଡିଶା, ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଏତିହ୍ୟ ଉପରେ ଅବଗତ ହୋଇଥିଲେ । ଭକ୍ତଙ୍କୁ ଖୁସି ଦେଖି ମନ୍ଦିରର ପ୍ରଶାସନ ସେବକ  ଓ ଓଡ଼ିଆ କର୍ମ କର୍ତ୍ତା ହେମନ୍ତ ପଣ୍ଡା ଧନ୍ୟବାଦ  ଅର୍ପଣ କରିଥିଲେ।