Trending Photos
Infosys: ନୂଆଦିଲ୍ଲୀ: ଭାରତ ସରକାର ଇନଫୋସିସ୍ ଲିମିଟେଡକୁ ପଠାଯାଇଥିବା ୩୨ ହଜାର ୪୦୩ କୋଟିର ଜିଏସଟି ଚାହିଦା ଉପରେ କୌଣସି ଆଶ୍ୱସ୍ତି ପ୍ରଦାନ କରିବାକୁ ଚିନ୍ତା କରୁନାହାଁନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସଟି ନିୟମ ଅନୁଯାୟୀ ଇନଫୋସିସରୁ ଟ୍ୟାକ୍ସ ଚାହିଦା ରହିଛି। ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କୁ ଭେଟିବା ପରେ ଏହାର ଜବାବ ଦେବାକୁ ୧୦ ଦିନ ସମୟ ମାଗିଛନ୍ତି।
ସେପଟେ ଏହି ନୋଟିସକୁ ନେଇ କଂଗ୍ରେସ ବିଜେପି ସରକାର ଉପରେ ବର୍ଷିଛି। କଂଗ୍ରେସ ଦେଶର ଜଣାଶୁଣା IT କମ୍ପାନୀ ଇନଫୋସିସର କର ଛାଡ଼କୁ ନେଇ ଜାରି ହୋଇଥିବା ନୋଟିସକୁ ନେଇ ଏକ ବଡ଼ ଅଭିଯୋଗ ଆଣିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି କି ମଙ୍ଗଳବାର ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ବସ୍ତୁ ଏବଂ ସେବା କର ବିଭାଗର ମହାନିର୍ଦ୍ଦେଶକ ଆଇଟି କମ୍ପାନୀ ଇନଫୋସିସକୁ ୩୨୪୦୦ କୋଟି ଟଙ୍କା ଟିକସ ଫାଙ୍କି ଅଭିଯୋଗରେ ନୋଟିସ ପଠାଇଛନ୍ତି।
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଆଇଟି କ୍ଷେତ୍ରରେ ଚୀନର ଉତ୍ପାଦନ କ୍ଷମତା ସହିତ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଭାରତର କ୍ଷମତା ଉପରେ ସନ୍ଦେହ ପ୍ରକଟ କରିବା ପାଇଁ ଏହି ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସର ମୁଖପାତ୍ର ଗୋପାଳ ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ତିୱାରୀ କହିଛନ୍ତି କି ELCIA ଟେକ୍ ସମ୍ମିଳନୀ 2024 ରେ ଭାଷଣ ଦେବାବେଳେ ସେ ଏହି ସନ୍ଦେହ ବଢାଇଥିଲେ। ମୂର୍ତ୍ତି କହିଛନ୍ତି ଯେ ଚୀନ୍ର ଜିଡିପିର ୬ ଗୁଣ ଅଧିକ ରହିଛି ଏବଂ ଭାରତ ଏକ ଉତ୍ପାଦନ ହବ୍ ହେବ ବୋଲି ବିଶ୍ୱାସ କରିବା ଅହଂକାର ବୋଲି କଂଗ୍ରେସ ମୁଖପାତ୍ର ଗୋପାଳ ତିୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏହି ନୋଟିସ ଜାରି କରିବା ସହିତ ବିଜେପି ସରକାର ପ୍ରତଶୋଧ ମୂଳକ ଭାବନା ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ ତିୱାରୀ କହିଛନ୍ତି। ବିଜେପି ସରକାର ନିଜର ଦୁର୍ବଳତା ବା ମିଛ ପ୍ରତିଶୃତିକୁ ଦେଖିବାକୁ ଚାହେଁନାହିଁ। ବିଜେପି ସମାଲୋଚନାକୁ ସାମ୍ନା କରିବାର ଶକ୍ତି ନାହିଁ। ସର୍ବଦା ପ୍ରଶଂସାର ଗୁଣ ଗାଉଥିବା ଲୋକଙ୍କୁ ନିଜ କୋଳରେ ପୁରାଇଥାଏ ବୋଲି ସେ କହିଥିଲେ। ଯଦି କେହି ସରକାରଙ୍କର ସମାଲୋଚନା କଲା ବା ଭୁଲ ଦର୍ଶାଇଲା ତାହା ହେଲେ ତାକୁ ଜେଲ ଯିବାକୁ ପଡିପାରେ ବୋଲି ସେ କହିଥିଲେ।
ସେପଟେ ଆଗାମୀ ୧୦ ଦିନ ମଧ୍ୟରେ ଏହି ନୋଟିସର ଜବାବ ଦେବାକୁ ଇନଫୋସିସକୁ କୁହାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ବିବାଦ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ କର୍ଣ୍ଣାଟକ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ ଯେ କମ୍ପାନୀ ଏହାର ବିଦେଶୀ ଶାଖା ଦ୍ୱାରା ଆର୍ଥିକ ବର୍ଷ ୧୮ ରୁ ୨୨ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ସେବା ପାଇଁ ରିଭର୍ସ-ଚାର୍ଜ ମେକାନିଜିମ୍ ଅଧୀନରେ ଇଣ୍ଟିଗ୍ରେଟେଡ୍ ଜିଏସ୍ଟି (IGST) ବାବଦରେ ୩୨ ହଜାର କୋଟି ଟଙ୍କା ବାକି ରଖିଥିଲା। ଯାହାକୁ ପୈଠ କରିବାକୁ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର।