ଋଷର ବିଚିତ୍ର ରୂପ; ୟୁକ୍ରେନକୁ ଜଖମ ଦେଇ ମଲମ ଲଗାଉଛନ୍ତି ପୁଟିନ
Advertisement
Article Detail0/zeeodisha/odisha1144229

ଋଷର ବିଚିତ୍ର ରୂପ; ୟୁକ୍ରେନକୁ ଜଖମ ଦେଇ ମଲମ ଲଗାଉଛନ୍ତି ପୁଟିନ

ମାର୍ଚ୍ଚ ୨ ତାରିଖରୁ ସମୁଦାୟ ୮୫୪୧.୩ ଟନ୍ ମାନବିକ ମାଲ ପରିବହନ ଋଷ ପକ୍ଷରୁ ୟୁକ୍ରେନକୁ ପଠା ଯାଇଛି। ଗତ ସାତ ଦିନ ମଧ୍ୟରେ ଖେରସନ ଅଞ୍ଚଳ, ଡୋନେଟସ୍କ ଏବଂ ଲୁଗାନସ୍କ ପିପୁଲ୍ସ ରିପବ୍ଲିକରେ ୭୫୭ଟି ମାନବିକ ଅପରେସନ କରାଯାଇଛି। 

ଡିଜାଇନ୍ ଫଟୋ

ମସ୍କୋ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ (Russia Ukraine War) ୪୨ ଦିନ ପୁରିଲାଣି। ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହର ବିଧ୍ୱଂଶ ହୋଇଯାଇଛି। ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକ ପଳାୟନ କରିଛନ୍ତି। ଏବେ ମଧ୍ୟ ୟୁକ୍ରେନ ଉପରେ ଋଷ ବୋମା ବର୍ଷଣ କରୁଛି। ପିଲାଙ୍କ ଆଗରେ ମା'ଙ୍କୁ ଦୁଷ୍କର୍ମ କରାଯାଉଥିବା ୟୁଏନଏସସି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ ଆଣିଛନ୍ତି। ସେପଟେ ନିଜେ ଦେଉଥିବା ଘା'ରେ ଔଷଧ ଲଗାଇବାକୁ ଋଷ ଚେଷ୍ଟା କରୁଛି।   

ଋଷୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାର୍ଚ୍ଚ ଆରମ୍ଭରୁ ଋଷ ପକ୍ଷରୁ ୟୁକ୍ରେନକୁ ସାଢେ ଆଠ ହଜାର ଟନ୍ରୁ ଅଧିକ ମାନବୀୟ ସହାୟତା ଦିଆଯାଇଛି। ଋଷର ଜାତୀୟ ପ୍ରତିରକ୍ଷା ପରିଚାଳନା କେନ୍ଦ୍ରର ମୁଖ୍ୟ ମିଖାଇଲ ମିଜିଣ୍ଟସେଭ ମଙ୍ଗଳବାର କହିଛନ୍ତି, 'ମାର୍ଚ୍ଚ ୨ ତାରିଖରୁ ସମୁଦାୟ ୮୫୪୧.୩ ଟନ୍ ମାନବିକ ମାଲ ପରିବହନ ଋଷ ପକ୍ଷରୁ ୟୁକ୍ରେନକୁ ପଠା ଯାଇଛି। ଗତ ସାତ ଦିନ ମଧ୍ୟରେ ଖେରସନ ଅଞ୍ଚଳ, ଡୋନେଟସ୍କ ଏବଂ ଲୁଗାନସ୍କ ପିପୁଲ୍ସ ରିପବ୍ଲିକରେ ୭୫୭ଟି ମାନବିକ ଅପରେସନ କରାଯାଇଛି। ଲୋକଙ୍କ ମଧ୍ୟରେ ପ୍ରାୟ ୪୪୯ ଟନ୍ ଖାଦ୍ୟ ପଦାର୍ଥ, ପୋଷାକ, ଔଷଧ ଏବଂ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି।'

Also Read: ମହଙ୍ଗା ମାଡ଼ରେ ସବୁ ଛାନିଆ; ପେଟ୍ରୋଲ ୧୨୦ ପାର, ଆହୁରି ବଢ଼ିବ ଏତିକି ଟଙ୍କା

 

ମିଜିଣ୍ଟସେଭଙ୍କ ଅନୁଯାୟୀ, ଋଷ ଅଞ୍ଚଳରେ ସାଢେ ନଅ ହଜାରରୁ ଅଧିକ ଅସ୍ଥାୟୀ ଆବାସ କେନ୍ଦ୍ର ନିର୍ମାଣ କରାଯାଇଛି। ୟୁକ୍ରେନକୁ ପଠାଯିବା ପାଇଁ ଋଷରେ ପ୍ରାୟ ସାଢେ ବାଇଶି ହଜାର ଟନ୍ ମାନବିକ ସହାୟତା ପ୍ରସ୍ତୁତ ଅଛି। ସେପଟେ ୟୁକ୍ରେନରେ ଋଷର ନରସଂହାର ଜାରି ରହିଛି। ଓଡେଶାରେ ଋଷ ୫୦ଟି ମିଶାଇଲ ମାଡ କରିଛି। ଟ୍ୟାଙ୍କର ବୋମାମାଡରେ ଲୁହାଂସ୍କରେ ନାଇଟ୍ରେଟ ଏସିଡ ଲିକ ହୋଇଛି। ମାରିୟୁପଲରେ ଋଷର ଆକ୍ରମଣ ଜାରି ରହିଛି। ୟୁକ୍ରେନ ଅଭିମୁଖେ ଆହୁରି ୬୦ ହଜାର ଋଷ ସୈନିକ ଆସୁଥିବା ସୂଚନା ମିଳିଛି।

ଏହି ଯୁଦ୍ଧରେ ୟୁକ୍ରେନ ନାଗରିକଙ୍କ ବ୍ୟତୀତ ଋଷ ସେନା ମଧ୍ୟ ପ୍ରାଣ ହରାଇଛନ୍ତି। ୟୁକ୍ରେନର ପାଲଟା ଜବାବରେ ବର୍ତ୍ତମାନ ସୁଦ୍ଧ ୨୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇ ଥିବା ବେଳେ ୪୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ଋଷର ୬୪୭ ଟ୍ୟାଙ୍କ, ୧୮୪୪ଟି ଯୁଦ୍ଧ ବାହନ ଓ ୩୩୦ଟି ଆର୍ଟିଲାରୀ ସିଷ୍ଟମକୁ ୟୁକ୍ରେନ ନଷ୍ଟ କରିଛି। ଅନ୍ୟପଟେ ଆମେରିକା, ବ୍ରିଟେନ, ଜାପାନ ସମେତ ଅନେକ ଦେଶ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ୟୁକ୍ରେନ ଉପରେ ଋଷ ହମଲା କରିବା ସହ ମାନବୀୟ ସହାୟତା ମଧ୍ୟ ପଠାଉଛି। ଋଷର ଏପରି ପଦକ୍ଷେପକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ କିଛି ଲୋକ ନିନ୍ଦା ମଧ୍ୟ କରୁଛନ୍ତି। ନିଜେ ଘା ଦେଇ ଋଷ ଔଷଧ ଲଗାଉଛି ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍ସ କହିଛନ୍ତି।