ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୨୩ ଜାନୁୟାରୀ ୧୮୯୭ରେ ବଙ୍ଗଳା ପ୍ରେସିଡେନ୍ସି ଅଧିନସ୍ଥ କଟକଠାରେ ଜନ୍ମଗ୍ରହଣ କରିଥିଲେ। ବୋଷଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଥିଲା।
Trending Photos
ନୂଆଦିଲ୍ଲୀ: ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ। ତାଙ୍କ ଜନ୍ମଦିନକୁ ପ୍ରରାକ୍ରମ ଦିବସ ଭାବେ ସାରା ଦେଶ ପାଳନ କରୁଛି। ନେଟାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଯାହାଙ୍କଠାରୁ ଆଜିର ଯୁବକମାନେ ପ୍ରେରଣା ନିଅନ୍ତି। ଆଜି ବି ଏହି ମାହାନାୟକଙ୍କ ସ୍ଲୋଗାନ ସମସ୍ତ ଭାରତୀୟଙ୍କ ତୁଣ୍ଡରେ ଅଛି 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ....! ଜୟ ହିନ୍ଦ!'
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୨୩ ଜାନୁୟାରୀ ୧୮୯୭ରେ ବଙ୍ଗଳା ପ୍ରେସିଡେନ୍ସି ଅଧିନସ୍ଥ କଟକଠାରେ ଜନ୍ମଗ୍ରହଣ କରିଥିଲେ। ବୋଷଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଥିଲା। ଜାନକୀନାଥ ବୋଷ, କଟକ ସହରର ଜଣେ ପ୍ରସିଦ୍ଧ ଓକିଲ ଥିଲେ। ପ୍ରଭାବତୀ ଏବଂ ଜାନକୀନାଥ ବୋଷଙ୍କର ମୋଟ ୧୪ଟି ସନ୍ତାନ (୬ଟି ଝିଅ ଏବଂ ୮ଟି ପୁଅ) ଥିଲେ। ସେମାନଙ୍କ ମଧ୍ୟରେ ସୁଭାଷ ଚନ୍ଦ୍ର ନବମ ସନ୍ତାନ ଏବଂ ପଞ୍ଚମ ପୁତ୍ର ଥିଲେ।
Also Read: କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ କଥିତ ମାଡ଼ ଘଟଣା; ଥାନାରେ ଏତଲା, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା
ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରାଥମିକ ଶିକ୍ଷା କଟକସ୍ଥିତ ରେଭେନ୍ସା କଲେଜିଏଟ୍ ସ୍କୁଲରେ ହୋଇଥିଲା। ପରେ ସେ କୋଲକାତାର ପ୍ରେସିଡେନ୍ସି କଲେଜ ଏବଂ ସ୍କଟିସ୍ ଚର୍ଚ୍ଚ କଲେଜରେ ଅଧ୍ୟୟନ କରିଥିଲେ। ଏହା ପରେ ତାଙ୍କ ପିତାମାତା ବୋଷଙ୍କୁ ଭାରତୀୟ ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ପଠାଇଲେ। ୧୯୨୦ରେ ସେ ଇଂଲଣ୍ଡରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବାକୁ ଚାକିରି ଛାଡିଥିଲେ। ସିଭିଲ ସର୍ଭିସ ଛାଡିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ଦେଶକୁ ବ୍ରିଟିଶମାନଙ୍କ କବଳରୁ ମୁକ୍ତି ଅଭିଯାନରେ ସାମିଲ ହୋଇଥିଲେ। ଜଲିଆନୱାଲା ବାଗ ହତ୍ୟାକାଣ୍ଡ ଘଟଣାରେ ସେ ଗଭୀର ବିବ୍ରତ ହୋଇଥିଲେ।
କଂଗ୍ରେସରେ ମହାତ୍ମା ଗାନ୍ଧୀ, ଉଦାରବାଦୀ ଦଳର ନେତୃତ୍ୱ ନେଉଥିବାବେଳେ ସୁଭାଷ ଚନ୍ଦ୍ର ବୋଷ ଉତ୍ସାହୀ ବିପ୍ଳବୀ ଦଳର ପ୍ରିୟ ଥିଲେ। ତେଣୁ ଗାନ୍ଧିଜୀଙ୍କ ବିଚାରଧାରାରେ ନେତାଜୀ ରାଜି ହୋଇନଥିଲେ। ଉଭୟଙ୍କ ବିଚାରଧାରା ଭିନ୍ନ ଥିଲେ ମଧ୍ୟ ସେମାନଙ୍କ ଉଦ୍ଦେଶ୍ୟ ଏକ ଥିଲା। ବ୍ରିଟିଶମାନଙ୍କୁ ଭାରତରୁ ବାହାର କରିବା ପାଇଁ ଏକ ଶକ୍ତିଶାଳୀ ବିପ୍ଳବ ଆବଶ୍ୟକ ଥିବା ନେତାଜୀ ବିଶ୍ୱାସ କରୁଥିଲେ। ୧୯୩୮ ମସିହାରେ ନେତାଜୀ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ସେ ଜାତୀୟ ଯୋଜନା ଆୟୋଗ ଗଠନ କରିଥିଲେ। ୧୯୩୯ର କଂଗ୍ରେସ ଅଧିବେଶନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଗାନ୍ଧିଜୀଙ୍କ ସମର୍ଥନରେ ଠିଆ ହୋଇଥିବା ପଟ୍ଟାଭି ସୀତାରମାୟାଙ୍କୁ ପରାସ୍ତ କରିଥିଲେ। ଏହାଦ୍ୱାରା ଗାନ୍ଧୀ ଏବଂ ବୋଷଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଫଳରେ ନେତାଜୀ ନିଜେ କଂଗ୍ରେସ ଛାଡିଥିଲେ।
Also Read: ପ୍ରଧାନମନ୍ତ୍ରୀଙ୍କ ବିବାହରେ ବାଧକ ସାଜିଲା ନୂଆ ନିୟମ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୭ ମସିହାରେ ତାଙ୍କ ସେକ୍ରେଟାରୀ ତଥା ଅଷ୍ଟ୍ରିଆ କନ୍ୟା ଏମିଲିଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ଅନୀତା ଥିଲେ ଏବଂ ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ଜର୍ମାନୀରେ ରୁହନ୍ତି। ଭାରତକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ କରିବା ପାଇଁ ନେତାଜୀ ୨୧ ଅକ୍ଟୋବର ୧୯୪୩ରେ 'ଆଜାଦ ହିନ୍ଦ ସରକାର' ଓ 'ଆଜାଦ ହିନ୍ଦ ଫୌଜ' ଗଠନ କରିଥିଲେ। ଏହା ପରେ ସୁଭାଷ ଚନ୍ଦ୍ର ବୋଷ ତାଙ୍କ ସୈନ୍ୟବାହିନୀ ସହିତ ୪ ଜୁଲାଇ ୧୯୪୪ରେ ବର୍ମା (ବର୍ତ୍ତମାନ ମିଆଁମାର) ରେ ପହଞ୍ଚିଥିଲେ। ଏଠାରେ ସେ ସ୍ଲୋଗାନ ଦେଇଥିଲେ 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି'। ୧୯୨୧ରୁ ୧୯୪୧ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପୂର୍ଣ୍ଣ ସ୍ୱରାଜ ପାଇଁ ଅନେକ ଥର ଜେଲ ଯାଇଥିଲେ। ଅହିଂସା ମାଧ୍ୟମରେ ସ୍ୱାଧୀନତା ହାସଲ ହୋଇପାରିବ ନାହିଁ ବୋଲି ସେ ବିଶ୍ୱାସ କରୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ସୋଭିଏତ୍ ୟୁନିଅନ୍, ନାଜି ଜର୍ମାନୀ, ଜାପାନ ପରି ଦେଶ ଭ୍ରମଣ କରି ବ୍ରିଟିଶ ସରକାରଙ୍କ ବିରୋଧରେ ସହଯୋଗ ଲୋଡିଥିଲେ।
ନେତାଜୀ ଜର୍ମାନୀରେ ଆଜାଦ୍ ହିନ୍ଦ ରେଡିଓ ଷ୍ଟେସନ୍ ଆରମ୍ଭ କରିଥିଲେ। ସେ ପୂର୍ବ ଏସିଆରେ ଭାରତୀୟ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସୁଭାଷ ଚନ୍ଦ୍ର ବୋଷ ବିଶ୍ୱାସ କରୁଥିଲେ ଯେ ଭଗବଦ୍ ଗୀତା ତାଙ୍କର ମୁଖ୍ୟ ପ୍ରେରଣା ଉତ୍ସ। ୧୮ ଅଗଷ୍ଟ ୧୯୪୫ରେ ତାଇପେଇରେ ବିମାନ ଦୁର୍ଘଟଣା ପରେ ନେତାଜୀ ନିଖୋଜ ହୋଇଯାଇଥିଲେ। ଏହି ଘଟଣାରେ ତିନୋଟି ଯାଞ୍ଚ କମିଶନ ବସିଥିଲା। ସେଥିମଧ୍ୟରୁ ଦୁଇଟି କମିଶନ ଦାବି କରିଛନ୍ତି ଯେ, ଦୁର୍ଘଟଣା ପରେ ନେତାଜୀଙ୍କ ମୃତ୍ୟୁ ଘଟିଛି। ଜଷ୍ଟିସ ଏମ.କେ ମୁଖାର୍ଜୀଙ୍କ ନେତୃତ୍ୱାଧିନ ତୃତୀୟ କମିଶନ ଏହି ଘଟଣା ପରେ ନେତାଜୀ ଜୀବିତ ଥିବା ଦାବି କରିଥିଲେ। ଏହି ବିବାଦ ବୋଷଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ବିଭାଜନ ମଧ୍ୟ ଆଣିଥିଲା। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଜାତୀୟ ଅଭିଲେଖାଗାରରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଜଡିତ ୧୦୦ଟି ଗୁପ୍ତ ଫାଇଲର ଏକ ଡିଜିଟାଲ୍ ସଂସ୍କରଣକୁ ସାର୍ବଜନୀନ କରିଥିଲେ।