Trending Photos
ବିକ୍ରମ ସାହୁ, ନୂଆଦିଲ୍ଲୀ: ଭାରତୀୟ ସେନାର ଦମଦାର ରଣନୀତି ଦେଖି ଚୀନ୍ ବୁଝିଯିବଣି ଯେ ଏହା 1962ର ଭାରତ ନୁହେଁ, ଏ ହେଉଛି ମୋଦିଙ୍କ ସ୍ୱପ୍ନର ନୂଆ ଭାରତ । ଯିଏ କୌଣସି ପରିସ୍ଥିତିରେ ବି ଗୋଟିଏ ଇଞ୍ଚ ଜମିରେ ଅନ୍ୟକୁ ପାଦ ରଖିବାକୁ ସାହସ ଦେବନି । ଗଲୱାନ ଘାଟିରେ ଡ୍ରାଗନକୁ ମୁହଁତୋଡ଼ ଜବାବ ଦେବା ପରେ 29 ଓ 30 ଅଗଷ୍ଟ ରାତିରେ ଭାରତୀୟ ସୁରବୀରମାନେ ପରାକ୍ରମର ଆଉ ଏକ କାହାଣୀ ସୃଷ୍ଟି କଲେ । ପ୍ରଥମ ଥର ପାଇଁ ଚୀନ୍ ଯୁଦ୍ଧ କରିବା ପୂର୍ବରୁ ପରାଜିତ ହେବାରେ ଲାଗିଛି । ଲଦ୍ଦାଖର ପାନଗଙ୍ଗ ହ୍ରଦର ଦକ୍ଷିଣ ଭାଗ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଭାରତର ଦଖଲରେ ରହିଛି । ଏଠାରେ ଅନେକ ପର୍ବତର ଶିଖରରେ ଭାରତ ନିଜ କବଜା ଜମାଇ ସାରିଛି । ତେବେ ଚୀନ୍ କେବେ ସ୍ୱପ୍ନରେ ବି ଭାବି ନ ଥିବ ଯେ, ତା'ର ବିସ୍ତାରବାଦ ନୀତି ଉପରେ ଭାରତ ଏମିତି ଶକ୍ତିଶାଳୀ ଚାପୁଡ଼ା ମାରିପାରେ । ଆଉ ଏ ନ୍ୟୁ ଇଣ୍ଡିଆର ଅପରେସନ୍ ବ୍ଲାକ୍ ଟପ୍ ପଞ୍ଚ୍ ଏତେ ଶକ୍ତିଶାଳୀ ଯେ ଚୀନ୍ ନା ରହିପାରୁଛି ନା ସହିପାରୁଛି । ଅପରେସନ୍ ବ୍ଲାକ୍ ଟପ୍ ଗୋଟିଏ ଏମିତି ଅପରେସନ, ଯାହା ଚୀନର ସେନାକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଛି । ଏବେ ଆସନ୍ତୁ ଜାଣିବା ଅଗଷ୍ଟ ୨୯ ଓ ୩୦ ତାରିଖ ରାତିରେ କଣ ଘଟିଥିଲା । ପାନଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ଗୋଟିଏ ପାହାଡ଼ର ବ୍ଲାକ୍ ଟପ୍ ଦେଇ ଚୀନର ଅବଜରଭେସନ ପୋଷ୍ଟ ଆଡ଼କୁ ୨୫ରୁ ୩୦ ଚୀନ ସୈନ୍ୟ ଯାଉଥିବା ଦେଖିବାକୁ ମିଳିଥିଲା ।
ଏହାପରେ ଭାରତୀୟ ସୈନିକ ତୁରନ୍ତ ଆକ୍ସନକୁ ଆସିଗଲେ । ଆଉ ବ୍ଲାକଟପ୍ ଉପରେ ପହଞ୍ଚି ପୋଷ୍ଟକୁ କବଜା କରିନେଇଥିଲେ । ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ୩୦ ଓ ୩୧ ଅଗଷ୍ଟ ରାତିରେ ମଧ୍ୟ ଚୀନ ସେନା ପୁଣିଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରିଥିଲେ । ଏହାର ଜବାବରେ ଭାରତୀୟ ସେନା ନିକଟରେ ଥିବା ଅନେକ ପାହାଡ଼କୁ ମଧ୍ୟ ନିଜ କବଜାକୁ ନେଇଆସିଲା । ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପାଟ୍ରୋଲିଂ ପଏଣ୍ଟ ଅର୍ଥାତ୍ ପିପି ୨୭ ରୁ ପିପି ୩୧ ମଧ୍ୟରେ ହୋଇଥିଲା । ଏ ସବୁ ପାଟ୍ରୋଲିଂ ପଏଣ୍ଟ ବର୍ତ୍ତମାନ ଭାରତୀୟ ସେନା ଅଧୀନରେ ରହିଛି ।
ଏପରି କି ଭାରତୀୟ ସେନା ରେକିନ୍ ଲା ଓ ରେଜାଙ୍ଗ ଲା ଇଲାକାରେ ମଧ୍ୟ କବଜା ଜମାଇବାରେ ସଫଳ ହୋଇଛି । ଏ ହେଉଛି ସେହି ଅଞ୍ଚଳ, ଯେଉଁଠିକୁ ୧୯୬୨ ପରଠାରୁ କେବେ ବି ଭାରତୀୟ ସେନା ନିଜର ସୈନିକ ପଠାଇ ନ ଥିଲା । ଏହି ଦୁଇଟି ଅଞ୍ଚଳରେ ୧୯୬୨ରେ ଭୀଷଣ ଲଢ଼େଇ ହୋଇଥିଲା । ପାନଗଙ୍ଗ ହ୍ରଦ ନିକଟ ସ୍ପାଙ୍ଗୁର୍ ଗେପ୍ ସ୍ଥିତ 'ମଗର ହିଲ୍' ଓ ଗୁରୁଙ୍ଗ୍ ହିଲକୁ ମଧ୍ୟ ଭାରତୀୟ ସେନା କବଜା କରି ସେଠାରେ ଯବାନ ମୁତୟନ କରିଦିଆଯାଇଛି । ଅର୍ଥାତ୍ ବର୍ତ୍ତମାନ ସମୟରେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରୁ ନେଇ ରେଜାଙ୍ଗ ଲା ପର୍ଯ୍ୟନ୍ତ ସମସ୍ତ ପାହାଡ଼ ଉପରେ ଭାରତୀୟ ସେନା କବଜା କରିନେଇଛି । ଚୀନର ବିସ୍ତାରବାଦୀ ନୀତିକୁ ଲଦ୍ଦାଖରେ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଚାଲିଛି । ସେପଟେ ଦୁନିଆର ଅନେକ ଦେଶ ମଧ୍ୟ ଚୀନର ଏପରି ନୀତିକୁ ନେଇ କ୍ଷୁବ୍ଧ ଅଛନ୍ତି । ମାତ୍ର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟୀ ଜାତିସଂଘ ମଞ୍ଚରେ ମିଛ କହି ଚାଲିଛନ୍ତି ।
ୱାଙ୍ଗ୍ ୟୀ କହିଛନ୍ତି ଯେ,ଚୀନ ସର୍ବଦା ବିଶ୍ୱରେ ଶାନ୍ତି ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେଇଆସୁଛି । ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ସ୍ଥାପନା ସମୟରୁ ହିଁ ଆମେ କେବେ କୌଣସି ଯୁଦ୍ଧ ଆରମ୍ଭ କରିନାହୁଁ । ଏପରି କି କେବେ ବି କାହାରି ଗୋଟିଏ ଇଞ୍ଚ ଜମିରେ କବଜା କରିନାହୁଁ । ତେବେ ଅପରେସନ ବ୍ଲାକଟପ୍ ପରେ ଭାରତର ପରାକ୍ରମ ଦେଖି ଚୀନ ସେନା ମଧ୍ୟରେ ହାହାକାର ସୃଷ୍ଟି ହୋଇଛି । ଡ୍ରାଗନ ଭଲଭାବେ ଜାଣିସାରିଛି ଯେ, ଏହା ୧୯୬୨ର ଭାରତ ନୁହେଁ, ବରଂ ୨୦୨୦ର ନୂଆ ଭାରତ ଯଦି ଅଙ୍ଗୁଳି ଉଠାଇବୁ, ପରିଣାମ ଭୋଗିବୁ ।