ଡ୍ରଗ୍ସ (Drugs) ଲିଙ୍କ୍ ମାମଲାରେ ଏନସିବି(NCB)ର ମାରାଥନ ତଦନ୍ତ ଜାରି ରହିଛି ।
Trending Photos
ନୂଆଦିଲ୍ଲୀ: ଡ୍ରଗ୍ସ (Drugs) ଲିଙ୍କ୍ ମାମଲାରେ ଏନସିବି(NCB)ର ମାରାଥନ ତଦନ୍ତ ଜାରି ରହିଛି । ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Reah Chakraborty) ପୁଣିଥରେ ଏନସିବି ଅଫିସ (NCB)ରେ ହାଜର ହୋଇଥିବା ବେଳେ ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଛି । ରିୟାଙ୍କୁ ଏନସିବି କମିଶନର ସମୀର ୱାଙ୍ଖଡ଼େ (Sameer Wankhede)ପ୍ରଶ୍ନ ପଚାରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଆଜିର ପଚରାଉଚରା ଗତକାଲି ପଚରା ଯାଇଥିବା ପ୍ରଶ୍ନ ଗୁଡ଼ିକରୁ କରାଯାଇଛି । କାରଣ ଗତକାଲିର ଉତ୍ତର ସହ ଆଜି ମିଳିଥିବା ରିୟାଙ୍କ ଉତ୍ତରକୁ ଏନସିବି (NCB) ର ଟିମ୍ ମିଳାଇବାକୁ ଚେଷ୍ଟା କରିଛି । ରିୟା ଗତକାଲି ଦେଇଥିବା ଜବାବକୁ ନେଇ ସନ୍ତୁଷ୍ଟ ନ ଥିଲେ ଏନସିବିର ଅଧିକାରୀ । ତେବେ ରିୟା (Reah) ବହୁ ଦସ୍ତାବିଜ୍ ସହ ଏନସିବି ଅଫିସରେ ହାଜର ହୋଇଥିଲେ ।
ଅନ୍ୟପକ୍ଷରେ ଆଉ ଏକ ବଡ଼ ଖବର ମଧ୍ୟ ପଦାକୁ ଆସିଛି । ଗତକାଲି ରିୟା ଓ ତାଙ୍କ ଭାଇ ସୌଭିକ (Souvik) ଙ୍କୁ ଏନସିବି ଟିମ୍ ସାମ୍ନାସାମ୍ନି କରି ପ୍ରଶ୍ନ କରିଥିଲା । ଉଭୟ ଯାହା ଉତ୍ତର ରଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭାଇଭଉଣୀ ସାମ୍ନାସାମ୍ନି ହେବା ପରେ କାନ୍ଦିଥିଲେ । ସେପଟେ ଆଜି ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମିଳିଛି Y+ ସୁରକ୍ଷା । ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବୟାନ ରଖି କିଛି ଶିବସେନା ନେତାଙ୍କ ସହ କଙ୍ଗନାଙ୍କ ଶୀତଳ ଯୁଦ୍ଧ ଲାଗି ରହିଛି ।
କିଛି ଦିନ ପୂର୍ବରୁ ଶିବସେନା ସାଂସଦ ସଂଜୟ ରାଉତ ତାଙ୍କୁ ଟ୍ୱିଟରେ ଧମକ ଦେଇଥିବା ଅଭିଯୋଗ କରିଥିଲେ କଙ୍ଗନା । ମୁମ୍ବାଇରେ ନିଜ ସୁରକ୍ଷା ନେଇ କଙ୍କନା ରାଣାୱତ ଆବେଦନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ତାଙ୍କ ସୁରକ୍ଷା ଆବେଦନକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଟ୍ୱିଟ୍ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । Y+ ସୁରକ୍ଷା ଅନୁସାରେ କଙ୍ଗନାଙ୍କ ବାସଭବନରେ ଜଣେ ସୁରକ୍ଷା କର୍ମୀ ମୁତୟନ ହେବା ସହ ସେ ବାହାରକୁ ଯିବା ସମୟରେ ତାଙ୍କ ସହିତ ଜଣେ ସିକ୍ୟୁରିଟି ଗାର୍ଡ ରହିବେ ।
କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ମୋଟ ୭ ଜଣ ଗାର୍ଡ ମୁତୟନ ହେବେ । ୱାଇ ପ୍ଲସ୍ ସୁରକ୍ଷା ଆବେଦନକୁ ମଞ୍ଚୁରୀ ମିଳିବା ପରେ କେନ୍ଦ୍ର ସରକାର ଜଣେ ଭାରତୀୟ ନାରୀର ମାନ ରକ୍ଷା କରିଛନ୍ତି ବୋଲି କଙ୍ଗନା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।