Hathras Accident News: ଶୁକ୍ରବାର ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶ ହାଥରସରେ ଏହି ଦୁର୍ଘଟଣା ଘଟିଛି ।
Trending Photos
Hathras Accident News: ଶୁକ୍ରବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ସଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ ଅନ୍ୟ ଏକ ଗାଡିକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।
ଆଗ୍ରା-ଆଲିଗଡ ବାଇପାସ୍ ଅନ୍ତର୍ଗତ ମେଟାଇ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ, ଏକ ମ୍ୟାକ୍ସରେ ପ୍ରାୟ ୩୦ ଜଣ ଲୋକ ଯାତ୍ରା କରୁଥିଲେ ସେହି ସମୟରେ ବସଟି ମ୍ୟାକ୍ସକୁ ଧକ୍କା ଦେଇଥିଲା । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଥିବା ଜଣାପଡିଛି ।
ମିଳିଥିବା ଖବର ଅନୁଯାୟୀ, ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନେ ଏକ ତ୍ରୟୋଦଶ ଭୋଜିରୁ ନିଜ ଗାଁ ସେଭଲାକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏତେ ବଡ଼ ଦୁର୍ଘଟଣା ସମଗ୍ର ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଉଭୟ ବସ୍ ଏବଂ ମ୍ୟାକ୍ସର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ସହଜରେ ଅନୁମାନ କରିହେଉଛି ଯେ, ଦୁର୍ଘଟଣା କେତେ ଭୟଙ୍କର ଥିଲା । ସନ୍ଧ୍ୟା ସମୟରେ ଘଟିଥିବା ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଖବର ପାଇ ବସ ମାଲିକ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ପୋଲିସ ଉଭୟ ବସ୍ ଏବଂ ମ୍ୟାକ୍ସ ଗାଡିକୁ ଜବତ କରିଛି । ଘଟଣାସ୍ଥଳରେ ରକ୍ତର ଛିଟା ଦେଖି ସ୍ଥାନୀୟ ଲୋକଙ୍କ ଆଖିରେ ଲୁହ ଆସିଯାଇଛି । ମାତ୍ର କିଛି ସମୟ ମଧ୍ୟରେ ଗାଁରେ ପହଞ୍ଚିଥାନ୍ତି ଯାତ୍ରୀମାନେ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ମୃତ୍ୟୁ ଭୋଜୀ ସାରି ଫେରିବା ସମୟରେ ମୃତ୍ୟୁ ମୁଖରେ ପଡିଲେ ୧୨ଜଣ ଯାତ୍ରୀ । ଏ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏଥିସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତୁରନ୍ତ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦିଆଯିବା ନେଇ ଦାବି କରିଥିବା ଜଣା ପଡିଛି । ତେବେ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୁତ୍ରରୁ କୁହାଯାଇଛି ।
Also Read- Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ
Also Read- Fire Accident: ସ୍କୁଲ ଘରେ ନିଆଁ, ୧୭ ଛାତ୍ରଛାତ୍ରୀ ମୃତ