ଖସିପାରିବେନି ଦାଗୀ ନେତା, ସ୍ୱତନ୍ତ୍ର କୋର୍ଟରେ ହେବ ଅପରାଧିକ ମାମଲାର ବିଚାର
Advertisement

ଖସିପାରିବେନି ଦାଗୀ ନେତା, ସ୍ୱତନ୍ତ୍ର କୋର୍ଟରେ ହେବ ଅପରାଧିକ ମାମଲାର ବିଚାର

ଅନ୍ୟପକ୍ଷେ ଦେଶରେ ବର୍ତ୍ତମାନ ରାଜନେତାଙ୍କ ବିରୋଧରେ ୪ ହଜାରରୁ ଅଧିକ ଅପରାଧିକ ମାମଲା ରହିଥିବାବେଳେ ଓଡିଶାରେ ୧୧୦ରୁ ଅଧିକ ମାମଲା ରହିଛି।

ଖସିପାରିବେନି ଦାଗୀ ନେତା, ସ୍ୱତନ୍ତ୍ର କୋର୍ଟରେ ହେବ ଅପରାଧିକ ମାମଲାର ବିଚାର

ଭୁବନେଶ୍ୱର: କୌଣସି ରାଜନେତା ଅପରାଧ ଘଟାଉଥିଲେ ସାବଧାନ। ଆଉ କୌଣସି ଚାପ ପ୍ରୟୋଗ କରି ଅପରାଧରୁ ବର୍ତ୍ତିହେବନି କିମ୍ବା ମାମଲାକୁ ଗଡାଇ ନିଆଯାଇ ପାରିବନି। କୌଣସି ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଥିଲେ କିମ୍ବା ହେଲେ ତୁରନ୍ତ ସ୍ୱତନ୍ତ୍ର କୋର୍ଟ (special Court) ମାଧ୍ୟମରେ ଏହାର ଶୁଣାଣି କରି ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟ (Supreme Court) ଙ୍କ ପରେ ଏବେ ହାଇକୋର୍ଟ (High Court) ଗୁରୁତ୍ୱ ଦେଇଛନ୍ତି। ରାଜନେତାଙ୍କ ବିରୋଧରେ ରହିଥିବା ମାମଲାର ବିଚାର ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ହାଇକୋର୍ଟ ଅବଗତ ହେବାକୁ ଚାହିଁଛନ୍ତି। 

ବର୍ତ୍ତମାନର ବିଧାୟକ-ସାଂସଦ କିମ୍ବା ପୂର୍ବତନ ଜନ ପ୍ରତିନିଧି (Public Representative) ଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ପାଇଁ ରାଜ୍ୟର ୩ଟି ରାଜସ୍ୱ ଡିଭିଜନରେ ୩ଟି ସ୍ୱତନ୍ତ୍ର କୋର୍ଟ ସହ ୧୧ଟି ଜେଏମଏଫସି କୋର୍ଟ ଖୋଲିବା ସହ ଏସବୁ ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଜଣାଇବାକୁ ସରକାର ସମୟ ନେଇଛନ୍ତି। ହେଲେ ଅପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ପ୍ରତି ଏଭଳି କାର୍ଯ୍ୟକ୍ରମକୁ ବିରୋଧି ଦଳ ସ୍ୱାଗତ କରିଛନ୍ତି। ନୀତି ନିର୍ଦ୍ଧାରଣରେ ଥିବା ରାଜନେତା ସ୍ୱଚ୍ଛ ହେବା ଆବଶ୍ୟକ ଏବଂ ଯଦି କିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ସହ ଆଇନ ଅନୁଯାୟୀ ଦଣ୍ଡବିଧାନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। 

ଅନ୍ୟପକ୍ଷେ ଦେଶରେ ବର୍ତ୍ତମାନ ରାଜନେତାଙ୍କ ବିରୋଧରେ ୪ ହଜାରରୁ ଅଧିକ ଅପରାଧିକ ମାମଲା ରହିଥିବାବେଳେ ଓଡିଶାରେ ୧୧୦ରୁ ଅଧିକ ମାମଲା ରହିଛି। ସେଥିମଧ୍ୟରୁ ୧୨ରୁ ଅଧିକ ସଂଗୀନ ମାମଲା ରହିଛି। ଦୁଷ୍କର୍ମ, ହତ୍ୟାରେ ସମ୍ପୃକ୍ତି ଭଳି ଅଭିଯୋଗ ରହିଛି। ବିଭିନ୍ନ ରାଜନେତା ନିଜର ପ୍ରଭାବ ବିସ୍ତାର କରି ନିଜ ନାଁରେ ଥିବା ଅପରାଧିକ ମାମଲାର ଶୁଣାଣିକୁ ବିଳମ୍ବିତ କରି ଚାଲିଥାନ୍ତି। ଏପରିକି ଦେଶର ଜଣେ ରାଜନେତାଙ୍କ ବିରୋଧରେ ଗୋଟିଏ ଅପରାଧିକ ମାମଲା ୨୬ ବର୍ଷରୁ ଅଧିକ ସମୟ ଧରି ଶୁଣାଣି ଚାଲିଥିଲେ ମଧ୍ୟ ଏ ଯାଏ ତାର ନିଷ୍କର୍ଷ ବାହାରି ନଥିବା କୁହାଯାଇଛି। 

ଏଭଳି ସ୍ଥିତିରେ ନ୍ୟାୟାଳୟଙ୍କ ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦିଗରେ ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଶାସକ ଦଳ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ନ୍ୟାୟାଳୟଙ୍କ ନିଷ୍ପତ୍ତି ମୁତାବକ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି କୁହାଯାଇଛି। ସୁପ୍ରିମକୋର୍ଟଙ୍କ ପରେ ଗତ ମାସ ୧୬ ତାରିଖରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନିର୍ଦେଶ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ଦାୟର କରିଛନ୍ତି। ରାଜନୀତିକୁ ଅପରାଧ ମୁକ୍ତ କରାଇବା ଉଦ୍ଦେଶ୍ୟରେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ହୋଇଥିବା ମାମଲାର ତ୍ୱରିତ ବିଚାର ପାଇଁ ହୋଇଥିବା ଏକ ମାମଲାକୁ ନେଇ ନ୍ୟାୟାଳୟଙ୍କ ଏହି ତତ୍ପରତାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।