Russia-Ukraine War: କେଉଁ ଶିକ୍ଷା ପାଇଲା India?
Advertisement
Article Detail0/zeeodisha/odisha1112374

Russia-Ukraine War: କେଉଁ ଶିକ୍ଷା ପାଇଲା India?

ଏହି ଯୁଦ୍ଧରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରତ୍ୟେକ ଦେଶକୁ ଏହାର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ନିଜେ ଲଢିବାକୁ ହେବ।

Russia-Ukraine War: କେଉଁ ଶିକ୍ଷା ପାଇଲା India?

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ପକ୍ଷରୁ ହୋଇଥିବା ପରେ ଆକ୍ରମଣ ସାରା ବିଶ୍ୱ ସମୁଦାୟ ଆଗରେ ସୃଷ୍ଟି କରିଛି ନୂଆ ସଂକଟ। ଏବେ ସାରା ବିଶ୍ୱର ନଜର ଏହି ଯୁଦ୍ଧର ପରିଣାମ ଉପରେ ରହିଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ଅନୁଭୂତ ହେବ। ଋଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ଭାରତ ସମେତ ବିଶ୍ୱର ଅନ୍ୟ ଦେଶ କିପରି ଏହା ଦ୍ୱାରା ପ୍ରଭାବିତ ହେବେ ତାହା ବର୍ଣ୍ଣନା କରିଛନ୍ତି ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ ଲେଫ୍ଟନାଣ୍ଟ ଜେନେରାଲ୍ ସଞ୍ଜୟ କୁଲକର୍ଣ୍ଣୀ।  

ଆୟତନ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ୍ତ ଦେଶ ହେଉଛି ଋଷିଆ। ଏହାର ସୀମା ପ୍ରାୟ ୧୨ ଦେଶକୁ ସ୍ପର୍ଶ କରୁଛି। ଏହି ଦେଶଙ୍କ ମଧ୍ୟରୁ କେତେକ ପୂର୍ବ ସୋଭିଏତ୍ ସଂଘର ଅଂଶବିଶେଷ ଥିଲେ। ହେଲେ ବର୍ତ୍ତମାନ ଅନେକ ଦେଶ ଆମେରିକା ନେୃତ୍ୱାଧିନ ନାଟୋ ମେଣ୍ଟର ସଦସ୍ୟ ହୋଇ ସାରିଛନ୍ତି। ବର୍ତ୍ତମାନର ୟୁକ୍ରେନ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ ପାଶ୍ଚାତ୍ୟ ଦେଶ ସପକ୍ଷବାଦୀ ରହିଥିଲା। ଋଷିଆ ଏହାର ସୁରକ୍ଷାକୁ ନେଇ ଚିନ୍ତିତ ରହିଥିଲା। ଋଷିଆ ଅନୁଭବ କରୁଥିଲା ଯେ ଏହାର ସୁରକ୍ଷାକୁ ଅଣଦେଖା କରାଯାଉଛି। ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଅନୁଭବ କରୁଥିଲା ଯେ ବର୍ତ୍ତମାନ ସମୟରେ ଋଷିଆ ପୂର୍ବ ସମୟର ସୋଭିଏତ ସଂଘ ଭଳି ଶକ୍ତିଶାଳୀ ନାହିଁ। 

Also Read: Russia Ukraine Crisis: କେଉଁଠି ଛିଡା ହୋଇଛି ଭାରତ? କୂଟନୀତି ପାଇଁ ପରୀକ୍ଷାର ସମୟ ହେଉଛି ସାମ୍ପ୍ରତିକ ପରିସ୍ଥିତି

ଗତ ୧୯୯୧ ମସିହାରେ ସୋଭିଏତ ସଂଘର ବିଲୟ ପରେ ଏହାର ସଦସ୍ୟ ରହିଥିବା ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ, ଲାଟଭିଆ, ଲିଥୁଆନିଆ ଭଳି ଦେଶ ୧୯୯୪ ମସିହାରୁ ନାଟୋ ମେଣ୍ଟର ସଦସ୍ୟତା ଗ୍ରହଣ କରିବାରେ ଲାଗିଥିଲା। ହେଲେ ଏହାକୁ ଚିନ୍ତିତ ହୋଇଉଠିଥିଲା ଋଷିଆ। ବର୍ତ୍ତମାନ ସମୟରେ ଋଷିଆ-ୟୁକ୍ରେନ ମଧ୍ୟରେ ଯେଉଁ ସଂଘର୍ଷ ଆରମ୍ଭ ହୋଇଯାଇଛି ସେଥିପାଇଁ ୟୁକ୍ରେନ ଅନେକାଂଶରେ ଦାୟୀ। କାରଣ ୟୁକ୍ରେନ ମଧ୍ୟ ସୋଭିଏତ ସଂଘର ସଦସ୍ୟ ରାଷ୍ଟ୍ର ରହିଥିଲା।

ହେଲେ ସୋଭିଏତ ସଂଘର ବିଭାଜନ ପରେ ୟୁକ୍ରେନ ଋଷିଆ ଠାରୁ ଦୂରେଇ ଯିବା ସହ ନାଟୋ ମେଣ୍ଟର ନିକଟତର ହେବାରେ ଲାଗିଥିଲା। ହେଲେ ନିବିଡ଼ତା ୟୁକ୍ରେନ ଲାଗି ଭାରୀ ପଡିଲା। କାରଣ ଋଷିଆ ବିରୋଧି ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ ଭଳି ଦେଶକୁ ଋଷିଆ ବିରୋଧରେ ଉସକାଇଥିଲେ। ଏହି କାରଣରୁ ବର୍ତ୍ତମାନ ଚାଲିଥିବା ଯୁଦ୍ଧର ପରିଣାମ ୟୁକ୍ରେନକୁ ଭୋଗିବାକୁ ପଡ଼ିଲା।

ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ଋଷିଆ, ୟୁକ୍ରେନ, ଆମେରିକା ସହ ଭାରତର ସମ୍ପର୍କ ଭଲ ରହିଛି। ସାର, ଖାଇବା ତେଲ ୟୁକ୍ରେନରୁ ଏବଂ ତୈଳ ଓ ଇନ୍ଧନ ଋଷିଆରୁ ଆମଦାନୀ କରିଥାଏ ଭାରତ। କୋରୋନା ମହାମାରୀ କାରଣରୁ ବିପର୍ଯ୍ୟସ୍ତ ହୋଇ ପଡି଼ଥିବା ବିଶ୍ୱ ଋଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ଆହୁରି ଅଧିକ ମାତ୍ରାରେ ପ୍ରଭାବିତ ହେବ।

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ରାଜନୀତିରେ ଅନ୍ୟ ଏକ ନୂତନ କ୍ଷମତା କେନ୍ଦ୍ରର ନିର୍ମାଣ ହେବ। ଯେପରି ବର୍ତ୍ତମାନ ସମୟରେ ଚୀନ ସମଗ୍ର ଏସୀୟ ମହାଦେଶରେ ଏହାର ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ କରୁଛି। ଋଷିଆ ବିଶ୍ୱରେ ଏପରି ଏକ ଦେଶ ଯାହା ମୋଟ କ୍ଷେତ୍ରଫଳର ୩୦% ୟୁରୋପ ଏବଂ ୭୦% ଏସୀୟା ମହାଦେଶରେ ଅବସ୍ଥିତ। ଗତ ୧୯୯୦ ଦଶକରେ ସୋଭିଏତ ସଂଘର ବିଭାଜନ ପରେ ଋଷିଆ ଛିନ୍ନ ବିଚ୍ଛିନ୍ନ ହୋଇଯାଇଥିଲା। ହେଲେ ବିଗତ ୨୨ ବର୍ଷ ଧରି ଦେଶରେ କ୍ଷମତାସୀନ ଥିବା ଭ୍ଲାଦମିର ପୁତିନ ପୁଣି ଥରେ ଋଷିଆକୁ ଏହାର ପୁରୁଣା ଗୌରବମୟ ସ୍ଥାନରେ ପହଞ୍ଚାଇ ପାରିଛନ୍ତି ଯାହା ସୋଭିଏତ ସଂଘ ବିଭାଜନ ପୂର୍ବରୁ ରହିଥିଲା। 

ବିଶ୍ୱ ସମୁଦାୟ ଋଷିଆର ଶକ୍ତି, ସମାର୍ଥ୍ୟକୁ ସ୍ୱୀକାର କରନ୍ତୁ। ଏହାକୁ ଅଣଦେଖା ନକରିବା ପାଇଁ ଋଷିଆ ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକା ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପଠାଉଛି। ଯଦି ଚୀନ୍, ଋଷିଆ, ଇରାନ, ଆଜରବୈଜାନ ଏହି ସମସ୍ତ ଦେଶ ଏକାଠି ହୋଇଯାନ୍ତି କିମ୍ବା ପାଶ୍ଚାତ୍ୟ ଦେଶ ଆମେରିକା ସହିତ ଯୋଗ ଦିଅନ୍ତି ତାହେଲେ ଭାରତ ଲାଗି ଚିନ୍ତା ବଢିଯିବ। କାରଣ ଚୀନ୍ ସହିତ ସମ୍ପର୍କ ଖରାପ ହୋଇଉଠିଥିବା ବେଳେ ଋଷିଆ ସହିତ ସମ୍ପର୍କ ମଜବୁତ ରହିଛି।   

Also Read: Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?

ଋଷିଆ, ୟୁକ୍ରେନ, ଆମେରିକା ସହ ଭାରତର ସମ୍ପର୍କ ଭଲ ରହିଛି। ବର୍ତ୍ତମାନ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କୌଣସି ପକ୍ଷକୁ ଖୋଲାଖୋଲି ଭାବେ ସମର୍ଥନ କରିବା ସମ୍ଭବ ନୁହେଁ। ହେଲେ ଏହି ଯୁଦ୍ଧରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରତ୍ୟେକ ଦେଶକୁ ଏହାର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ନିଜେ ଲଢିବାକୁ ହେବ। ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ତାଙ୍କ ସାମର୍ଥ୍ୟକୁ ଚିହ୍ନି ପାରିନଥିଲେ। ସେ ଅନ୍ୟ ଦେଶର କାନ୍ଧରେ ବନ୍ଧୁକ ରଖି ଗୁଳି ମାରିବାକୁ ଚିନ୍ତା କରୁଥିଲେ। ୟୁକ୍ରେନ ରାଷ୍ଟ୍ରପତି ନାଟୋ, ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରୁ ସାହାଯ୍ୟ ପାଇବାକୁ ଆଶା କରିଥିଲେ। ହେଲେ ସ୍ଥିତି କ’ଣ ହେଲା ତାହା ଆମେ ସମସ୍ତେ ଦେଖୁଛେ। ଏହି ଘଟଣାରୁ ଆମେ ଏକ ଶିକ୍ଷା ମଧ୍ୟ ପାଇଛୁ ତାହା ହେଉଛି ଆତ୍ମ ନିର୍ଭର ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପାଇଁ ଆମକୁ ସଂଗ୍ରାମ କରିବାକୁ ପଡିବ। ଏନେଇ ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହେବା ଆବଶ୍ୟକ ଏବଂ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିବା ଉଚିତ। ଚୀନ-ପାକିସ୍ଥାନ ଭଳି ପଡୋଶୀ ଦେଶର ମନୋଭାବକୁ ନଜରରେ ରଖି ଆମର ସାମରିକ ଶକ୍ତି ଦୃଢ  ହେବା ଆବଶ୍ୟକ। ଆର୍ଥିକ ଦୃଷ୍ଟି କୋଣରୁ ଆମକୁ ଶକ୍ତିଶାଳୀ ହେବା ସହିତ ଆମେ ସମସ୍ତଙ୍କ ସହ ସମ୍ପର୍କ ରହିବା ଆବଶ୍ୟକ।