ପୁରିଲା ବାର ବର୍ଷ, ତଥାପି ଘା' ସତେଜ
Advertisement
Article Detail0/zeeodisha/odisha793778

ପୁରିଲା ବାର ବର୍ଷ, ତଥାପି ଘା' ସତେଜ

 ୨୬ ନଭେମ୍ବର ୨୦୦୮ର ସେ କଳାରାତ୍ରୀ ଓ ମୁମ୍ବାଇ (Mumbai) ଉପରେ ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ (Mumbai Terror Attack) ଏହା ଭିତରେ ବିତିଗଲାଣି ୧୨ ବର୍ଷ ।

ପୁରିଲା ବାର ବର୍ଷ, ତଥାପି ଘା' ସତେଜ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ୨୬/୧୧; ଏ ତାରିଖ ଆସିଲେ ମନ ବିଚଳିତ ହୋଇଯାଏ । ଲାଗେ ସମୟଟା ବୋଧ ହୁଏ ବଡ଼ ଅଶୁଭ । ୨୬/୧୧ ତାରିଖଟିକୁ ଭାରତବାସୀ କେବେ ହେଲେ ଭୁଲି ପାରିବେନି । ହିନ୍ଦୁସ୍ତାନ ଇତିହାସର ସବୁଠୁ କଳଙ୍କିତ ଓ ଦୁଃଖଦ ଦିନଟିଏ ଏ ୨୬/୧୧ ତାରିଖଟି । ଭାରତ ଆତ୍ମାରେ ଏମିତି ଏକ ଘା', ଯାହା ଚିର ଶତ୍ରୁ ପାକିସ୍ତାନ ଓ ତା ଦ୍ୱାରା ପଠାଯାଇଥିବା ଆତଙ୍କବାଦୀମାନେ ଆମକୁ ଦେଇଯାଇଥିଲେ । ୨୬ ନଭେମ୍ବର ୨୦୦୮ର ସେ କଳାରାତ୍ରୀ ଓ ମୁମ୍ବାଇ (Mumbai) ଉପରେ ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ (Mumbai Terror Attack) ଏହା ଭିତରେ ବିତିଗଲାଣି ୧୨ ବର୍ଷ ।

ସେଦିନ ଥିଲା ବୁଧବାର, ଭାରତ-ଇଂଲଣ୍ଡ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ (barabati Stadium) ରେ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଚାଲିଥାଏ । ସମସ୍ତଙ୍କ ନଜର ଟିଭିରେ ଥିଲା । କିନ୍ତୁ ଅଚାନକ ନ୍ୟୁଜ୍ ଚ୍ୟାନେଲରେ ଏକ ଖବର ଚାଲିବା ଆରମ୍ଭ କଲା କି ମୁମ୍ବାଇରେ କିଛି ଆତଙ୍କବାଦୀ ପଶି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରି ଦେଇଛନ୍ତି । ଆଉ ତା' ପରେ କ୍ରିକେଟ୍ ମ୍ୟାଚରୁ ସମସ୍ତଙ୍କ ନଜର ହଟି ଢଳିଥିଲା ନ୍ୟୁଜ୍ ଚ୍ୟାନେଲ୍ ଆଡ଼କୁ । ଖବରର ସଠିକତା ପୁଷ୍ଟି କରିବାକୁ ସମୟ ଲାଗୁଥାଏ । କାହା ପାଖରେ କିଛି ପକ୍କା ସୂଚନା ନଥିଲା । 

ଅଧିକ ପଢନ୍ତୁ: ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

କାରଣ ଦକ୍ଷିଣ ମୁମ୍ବାଇର ଏକାଧିକ ସ୍ଥାନରୁ ଏକାସାଥିରେ ଆକ୍ରମଣର ଖବର ଆସୁଥାଏ । ପ୍ରଥମେ ବ୍ୟସ୍ତବହୁଳ ଛତ୍ରପତି ଶିବାଜୀ ଟର୍ମିନସ୍, ମୁମ୍ବାଇର ସବୁଠୁ ବଡ଼ ରେଳ ଷ୍ଟେସନ୍ । ତା ପରେ ମୁମ୍ବାଇର ଛାବଡ଼ା ହାଉସ୍, ଦ ଓବେରଏ ଟ୍ରାଇଡେଣ୍ଟ (Oberoi Trident), ଦ ତାଜ୍ ପ୍ୟାଲେସ୍ (Taj Palace), ଐତିହାସିକ ଲିଓପୋଲ୍ଡ (Leopold) କ୍ୟାଫେ, କାମା ହସ୍ପିଟାଲ୍, ନରିମନ୍ ହାଉସ୍ ଓ ମେଟ୍ରୋ ସିନେମାରେ ଆତଙ୍କବାଦୀମାନେ ମୃତ୍ୟୁର ତାଣ୍ଡବ କରୁଥାନ୍ତି। ଭାରତ ଇତିହାସର ସବୁଠାରୁ ବଡ଼ ଏ ଆତଙ୍କବାଦୀ ଆକ୍ରମଣ ଲଗାତାର ୪ ଦିନ ପର୍ଯ୍ୟନ୍ତ ଚାଲିଥିଲା । ୨୬ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ । ମୋଟ ୧୭୪ ଲୋକଙ୍କ ଜୀବନ ଯାଇଥିଲା ଏଥିରେ, ଯେଉଁଥିରେ ୯ ଜଣ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ । ପାଖାପାଖି ୩୦୦ ଲୋକ ଆହତ ହୋଇଥିଲେ ଆତଙ୍କବାଦୀଙ୍କ ଅମାନବୀୟ ସେ କାଣ୍ଡରେ ।

ପାକିସ୍ତାନରୁ ପୂର୍ବ ଯୋଜନା ମୁତାବକ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ କରାଚିରୁ ସମୁଦ୍ରପଥ ଦେଇ ମୁମ୍ବାଇ ସୀମା ମଧ୍ୟରେ ପ୍ରବେଶ କରି ରକ୍ତର ହୋଲି ଖେଳିଥିଲେ । ସବୁ ଜାଗାରେ ଆକ୍ରମଣ କରିବା ପରେ ଶେଷରେ ଆତଙ୍କବାଦୀମାନେ ଐତିହାସିକ ତାଜ ପ୍ୟାଲେସ୍ ହୋଟେଲରେ ପ୍ରବେଶ କରି ସେଠାରେ ଲୋକମାନଙ୍କୁ ବନ୍ଦୀ କରି ରଖିଥିଲେ । ୪ ଦିନର ଅପରେସନ ମଧ୍ୟରେ ଶେଷରେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜିକୁ ଏକ ଅପରେସନ୍ ଲଞ୍ଚ୍ କରିବାକୁ ପଡ଼ିଥିଲା ଯାହାର ନାଁ ଥିଲା 'ବ୍ଲାକ୍ ଟର୍ଣ୍ଣାଡୋ' । ଆଉ ଏହି ଅପରେସନରେ ଜଣଙ୍କୁ ଛାଡ଼ି ବାକି ସବୁ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲେ ଭାରତୀୟ କମାଣ୍ଡୋମାନେ । ଜଣେ ଆତଙ୍କବାଦୀ, ଅଜମଲ୍ ଆମୀର୍ କସାବଙ୍କୁ ଜୀବନ୍ତ ଧରାଯାଇଥିଲା ।

ଅଧିକ ପଢନ୍ତୁ: ନୂଆ ବର୍ଷରେ ବଦଳିଯିବ କଲ କରିବାର ଉପାୟ, ନୂଆ ନିୟମ ଜାରି କଲା କେନ୍ଦ୍ର ସରକାର

କସାବକୁ ପଚରାଉଚରା କରାଯିବା ପରେ ପାକିସ୍ତାନ ତଥା ଆତଙ୍କବାଦୀଙ୍କ ସମ୍ବନ୍ଧରେ ଅନେକଗୁଡ଼ିଏ ତଥ୍ୟ ଭାରତୀୟ ଗୁଇନ୍ଦା ଏଜେନ୍ସି ଜାଣିପାରିଥିଲା । ପରେ କସାବକୁ ନେଇ ଟ୍ରାଏଲ୍ କୋର୍ଟରେ ମକଦ୍ଦମା ଚାଲିଥିଲା ଓ ୬ ମେ' ୨୦୧୦ରେ ସେ ୮୦ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ମୁମ୍ବାଇର ଟ୍ରାଏଲ୍ କୋର୍ଟ କସାବକୁ ୪ଟି ମାମଲାରେ ଫାଶୀ ଦଣ୍ଡାଦେଶ ଏବଂ ୫ଟି ମାମଲାରେ ଆଜୀବନ କାରାବାସର ଦଣ୍ଡାଦେଶ ଦେଇଥିଲେ । ପରେ ୨୧ ଫେବ୍ରୁଆରୀ, ୨୦୧୧ରେ ବମ୍ବେ ହାଇକୋର୍ଟ ମଧ୍ୟ କସାବର ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ । ମାମଲା ସୁପ୍ରିମକୋର୍ଟକୁ ଯିବା ପରେ କସାବର ଫାଶୀ ଦଣ୍ଡାଦେଶକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବି ୨୯ ଅଗଷ୍ଟ, ୨୦୧୨ରେ କାଏମ ରଖିଥିଲେ । ୨୧ ନଭେମ୍ବର ୨୦୧୨ ସକାଳ ୭ଟା ବାଜି ୩୦ ମିନିଟରେ ପୁଣେର ୟେରୱାଡା ଜେଲରେ ଆତତୀୟ କସାବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।

ଆଜି ସେହି ୨୬/ ୧୧ ତାରିଖ । ଆଉ ଯେଉଁମାନେ ଆତଙ୍କବାଦୀଙ୍କ ସେଦିନର ସେ ବର୍ବରୋଚିତ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି,  ଆଜି ବି ସେଦିନ କଥାକୁ ମନେ ପକାଇ ସେମାନଙ୍କ ଛାତି ଥରିଯାଉଛି । ଆଜି ଦେଶର ସବୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ସମଗ୍ର ଭାରତବର୍ଷ, ସେ ଘଟଣାରେ ସହୀଦ ହୋଇଥିବା ବୀର ଯବାନ ଓ ସାଧାରଣ ଜନତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଉ ଆଜି ବି ଛାତିରେ ୧୨ ବର୍ଷ ତଳର ସେଦିନର ସେ ଘା' ସେମିତି ସତେଜ ଅଛି ।