Advertisement
Article Detail0/zeeodisha/odisha693052
Zee OdishaOdisha Khabarମହାମାରୀ ସମୟରେ ଆତ୍ମ ଗୁଣଗାନ କାହିଁକି ?

ମହାମାରୀ ସମୟରେ ଆତ୍ମ ଗୁଣଗାନ କାହିଁକି ?

ଜନତା କର୍ଫ୍ୟୁ ତ ଇତିହାସରେ ଲିପିବଦ୍ଧ ହୋଇ ରହିବ, କିନ୍ତୁ ତା’ ସାଙ୍ଗକୁ ‘ଆତ୍ମ ନିର୍ଭର ଭାରତ’ର ନିର୍ମାତା ଓ ସେମାନଙ୍କ ଆତ୍ମ ପ୍ରଚାର ମଧ୍ୟ ସବୁଦିନ ପାଇଁ ଇତିହାସ ବନି ରହିଯିବ ।

ମହାମାରୀ ସମୟରେ ଆତ୍ମ ଗୁଣଗାନ କାହିଁକି ?

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ବିକଶିତ ହେବ ଓଡ଼ିଶା, ବିକଶିତ ହେବେ ଓଡ଼ିଶାବାସୀ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଓଡ଼ିଶା ଜନସମ୍ୱାଦ ନାମକ କାର୍ଯ୍ୟକ୍ରମରେ ଏଭଳି ପ୍ରତିଶ୍ରୁତି ଶୁଣିଛନ୍ତି ଓଡ଼ିଶାବାସୀ । ଭର୍ଚୁଆଲ ରାଲିରେ ଅମିତ ଶାହ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇବା ସହ ନିଜ ସରକାର ଓ ମୁଖିଆଙ୍କ ଅନେକ କଥା ବଖାଣି ଥିଲେ । 

fallback

ସେଇ ଚିରାଚରିତ ଢଙ୍ଗରେ ଆଜି ବି ଭାଷଣ ଦେଇଥିଲେ ଶାହ । ଆୟୁଷ୍ମାନ ଭାରତ ଯୋଜନାରେ ନିଜ ସରକାରଙ୍କ ପାରଙ୍ଗମତାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ ଗୃହ ମନ୍ତ୍ରୀ । କିନ୍ତୁ, ଦେଶର ଅନେକ ସ୍ଥାନରେ ଯେ କୋରୋନା ଚିକିତ୍ସା ପାଇଁ ରୋଗୀଙ୍କ ଲାଗି ବେଡ୍ ନାହିଁ, ସେ କଥା ମାନନୀୟ ଶାହଙ୍କୁ ବୁଝାଇବ କିଏ ? କାରଣ, ୨୦୧୪ ମସିହା ପରଠାରୁ ଦେଶର ଜନତାଙ୍କୁ ଏମିତି ବ୍ରେନ୍ ୱାସ କରା ହୋଇଛି ଏବଂ ଏମିତି ଭାବରେ ରଖାଯାଇଛି ଯେ, ଯିଏ ସ୍ୱରୋତ୍ତଳନ କରିବ ତାକୁ ଦେଶଦ୍ରୋହୀର ଆଖ୍ୟା ମିଳିବ । ସେ ପ୍ରସଙ୍ଗ ଭିନ୍ନ । ସାରା ବିଶ୍ୱ ଏବେ କୋରୋନା ମହାମାରୀ ସହ ଲଢ଼େଇ କରୁଥିବାବେଳେ ଭାରତରେ ମଧ୍ୟ ପ୍ରତିଦିନ ୯ ହଜାରରୁ ଅଧିକ ରୋଗୀ ସଂକ୍ରମିତ ହେଉଛନ୍ତି । ସେଦିଗରେ ସରକାରଙ୍କ ଭୂମିକା ବିଷୟରେ ଅବଗତ ତଥା ଲୋକଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ସରକାରଙ୍କ ଗୁଣଗାନ କରିବା କେତେ ଯଥାର୍ଥ ? 

Add Zee News as a Preferred Source

fallback

ଲୋକଙ୍କ ପାଖରେ ରୋଜଗାର ନାହିଁ, ଅଥଚ ସରକାର ନିଜେ ବାହାବା ନେଉଛନ୍ତି । ୧୧ କୋଟି ଲୋକଙ୍କୁ ଗୋଟିଏ ଓଳି ଖାଇବାକୁ ଓ ରହିବାକୁ ସରକାର କ୍ୟାମ୍ପ୍ ଦେଉଛନ୍ତି, ଅଥଚ ଆଜି ବି ଲୋକ ଚାଲି ଚାଲି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରି ନାହାନ୍ତି। ଭଙ୍ଗା ଅର୍ଥନୀତିର ମେରୁଦଣ୍ଡରେ ଭାଙ୍ଗି ପଡ଼ିଥିବା ଦେଶବାସୀଙ୍କୁ ଏବେ ଗ୍ୟାସ୍ ସଂଯୋଗର ପରିସଂଖ୍ୟନ ବିଷୟରେ ଅବଗତ କଲେ କି ଲାଭ ? ଲକଡାଉନର ଜୁଲୁମ୍ ଭିତରେ ପେଶି ହେଉଥିବା ଭାରତବାସୀଙ୍କ ଆଗରେ ‘୬ ବର୍ଷର ମୋଦି ସରକାର’ ଗୁଣଗାନ କରିବା କେତେ ପ୍ରୟୋଜନ ?

fallback

ବିଶ୍ୱବ୍ୟାଙ୍କର ‘ଗ୍ଲୋବାଲ୍ ଇକୋନୋମିକ୍ ପ୍ରସପେକ୍ଟ’ର ମୁଖବନ୍ଧରେ ବିଶ୍ୱ ଅର୍ଥନୀତି ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଅବସ୍ଥା ଠାରୁ ବି ଅର୍ଥନୀତି ଆହୁରି ସାଙ୍ଘାତିକ ହେବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ, ଏହାକୁ ନରେନ୍ଦ୍ର ମୋଦି ସରକାର ମଧ୍ୟ ଗୁରୁତ୍ୱର ସହ ନେବା ଦରକାର । କିନ୍ତୁ, ଏ ବିଷୟରେ ସରକାର ଚିନ୍ତା ନ କରି ମୋଦି ସରକାରର ଏକ ବର୍ଷ ପୂର୍ତ୍ତିକୁ ମନଭରି ଉପଭୋଗ କରୁଛନ୍ତି ଏବଂ ଦେଶର ଜନତାଙ୍କୁ ପ୍ରହେଳିକାର ପାହାଚ ଚଢ଼ାଉଛନ୍ତି । 

fallback

ସେହିପରି ଅମିତ ଶାହ ତାଙ୍କ ଭାଷଣରେ ଓଡ଼ିଶାକୁ ସହାୟତା କଥା କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡ଼ିଶାକୁ ସହାୟତା କରି ମୋଦି ସରକାର କ’ଣ ଦୟା ଦେଖାଉଛନ୍ତି ? ରାଜ୍ୟକୁ ସହାୟତା କରିବା, ଅନୁଦାନ ଦେବା କେନ୍ଦ୍ର ସରକାରଙ୍କ ଶାସନର ଅଧୀନ। ତେଣୁ, କେନ୍ଦ୍ର ଠାରୁ ଅନୁଦାନ ପାଇବା ଏବଂ ଅନୁଦାନ ପାଇବାକୁ ଦାବି କରିବା, ଗୋଟିଏ ରାଜ୍ୟର ହକ୍ । ତେଣୁ, ଓଡ଼ିଶାକୁ ସହାୟତା କରି କେନ୍ଦ୍ର ସରକାର କୌଣସି ଅନୁକମ୍ପା ଦେଖାଇ ନାହାନ୍ତି । ସେଥିପାଇଁ ପୂର୍ବ ସରକାର ଗୁଡିକ ସହ ତୁଳନା କରି ନିଜର ବାହାବା ନେବାର କୌଣସି ଯଥାର୍ଥ ନାହିଁ । ତେଣୁ, ମହାମାରୀ ସମୟରେ ଲୋକମାନେ ଆଶ୍ୱାସନା ଶୁଣିବେ, ଦମ୍ଭୋକ୍ତି ଶୁଣିବେ, କିନ୍ତୁ ଆତ୍ମ ପ୍ରଚାରକୁ ନୁହେଁ । ଜନତା କର୍ଫ୍ୟୁ ତ ଇତିହାସରେ ଲିପିବଦ୍ଧ ହୋଇ ରହିବ, କିନ୍ତୁ ତା’ ସାଙ୍ଗକୁ ‘ଆତ୍ମ ନିର୍ଭର ଭାରତ’ର ନିର୍ମାତା ଓ ସେମାନଙ୍କ ଆତ୍ମ ପ୍ରଚାର ମଧ୍ୟ ସବୁଦିନ ପାଇଁ ଇତିହାସ ବନି ରହିଯିବ ।

About the Author