ଦୋଷୀଙ୍କ ବଢିଲା ଆୟୁଷ, ଘୁଞ୍ଚିଲା ଫାଶୀ...
Advertisement
Article Detail0/zeeodisha/odisha633347

ଦୋଷୀଙ୍କ ବଢିଲା ଆୟୁଷ, ଘୁଞ୍ଚିଲା ଫାଶୀ...

ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧ ତାରିଖକୁ ହେବାକୁ ଥିବା ଫାଶୀ ୱାରେଣ୍ଟ ଉପରେ ପୁଣି ରୋକ ଲଗାଇଛନ୍ତି ପଟିଆଲା ହାଉସ କୋର୍ଟ 

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଆସିଛି ନୂତନ ରାୟ । ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧ ତାରିଖକୁ ହେବାକୁ ଥିବା ଫାଶୀ ୱାରେଣ୍ଟ ଉପରେ ପୁଣି ରୋକ ଲଗାଇଛନ୍ତି ପଟିଆଲା ହାଉସ କୋର୍ଟ । ପରବର୍ତ୍ତୀ ରାୟ ନ ଆସିବା ପର୍ଯ୍ୟନ୍ତ ଫାଶୀକୁ ସ୍ଥଗିତ ରଖିଛନ୍ତି କୋର୍ଟ । 

ପ୍ରଥମେ ଜାନୁୟାରୀ ୧୪ତାରିଖରେ ଫାଶୀ ମିଳିବ ବୋଲି ଘୋଷଣା କରାଯାଇଥିବା ବେଳେ ମୁକେଶ କରିଥିଲା ରାଜକ୍ଷମା ପାଇଁ ଆବେଦନ । ରାଜକ୍ଷମା ଆବେଦନକୁ ଯଦିଓ ରାଷ୍ଟ୍ରପତି ଖାରଜ କରିଥିଲେ ତଥାପି ଫାଶୀର ଫନ୍ଦାରୁ ବଞ୍ଚିଯାଇଥିଲେ ମୁକେଶ, ବିନୟ, ଅକ୍ଷୟ ଓ ପବନ । ନିୟମ ଅନୁସାରେ ରାଜକ୍ଷମା ଆବେଦନର ୧୪ ଦିନ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ମିଳି ପାରେ ନାହିଁ । ଆଉ ସେହି ନିୟମ ଦୋଷୀଙ୍କୁ ଯମ ପାଖରୁ ଦୂରେଇ ଦେଇଥିଲା । ଆଉ ପୁଣିଥରେ ଫାଶୀ ତାରିଖ ଘୁଞ୍ଚିବା ସହିତ ନୂତନ ତାରିଖ ଘୋଷଣା କରିଥିଲେ କୋର୍ଟ । ନୂତନ ତାରିଖ ହିସାବରେ ଆସନ୍ତାକାଲି ମିଳିଥାଆନ୍ତା ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ । ହେଲେ ପୁଣି ଆଇନର ଗଳା ବାଟ ଦେଇ କିଛି ଦିନ ପାଇଁ ଖସିଯିବାକୁ ଚେଷ୍ଟା ଜାରି ରଖିଥିଲେ ଦୋଷୀମାନେ । ଆଉ ଆଜି ସେଥିରେ ସଫଳ ମଧ୍ୟ ହୋଇଛନ୍ତି ।

ନୂତନ ରାୟ ନ ଆସିବା ଯାଏ ଦୋଷୀଙ୍କ ଆୟୁଷକୁ ବଢାଇ ଦିଆଯାଇଛି । ଦୋଷୀ ମୁକେଶର ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଖାରଜ ହୋଇ ସାରିଥିବାବେଳେ ବାକି ତିନିଜଣ ଦୋଷୀଙ୍କ କେବଳ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ଆଉ ତିନିଜଣଙ୍କ ମଧ୍ୟରୁ ବିନୟ ରାଜକ୍ଷମା ପାଇଁ ଆବେଦନ କରିଥିବାବେଳେ ପବନ ଓ ଅକ୍ଷୟ ଦୁଇଜଣ ରାଜକ୍ଷମା ପାଇଁ ଏପର୍ଯ୍ୟନ୍ତ ଆବେଦନ କରି ନାହାନ୍ତି । 

ବାକି ତିନିଜଣ ଦୋଷୀଙ୍କ ରାଜକ୍ଷମା ଖାରଜ ହେବା ବାକି ଅଛି । ଆଉ ଯଦି ରାଷ୍ଟ୍ରପତି ଖାରଜ କରନ୍ତି ତେବେ ତାଙ୍କ ପାଖରେ ୧୪ ଦିନ ଲେଖାଏଁ ସମୟ ରହିବ ବଞ୍ଚିବା ପାଇଁ । ଆଉ ସେ ୧୪ ଦିନ ଶେଷ ହେବା ପରେ ଯାଇ ଦୋଷୀଙ୍କ ସବୁ ରାସ୍ତା ବନ୍ଦ ହୋଇଯିବ ।