ନବୀନ ପୁଣି ସଭାପତି
Advertisement

ନବୀନ ପୁଣି ସଭାପତି

ପୁଣିଥରେ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। କ୍ରମାଗତ ଅଷ୍ଟମ ଥର ପାଇଁ ରାଜ୍ୟ ସଭାପତି ମୁକୁଟ ପିନ୍ଧିଲେ ନବୀନ। ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଶେଷ ଦିନରେ ବିଜେଡି କାର୍ଯ୍ୟାଳୟରେ ବିଶେଷ ଆୟୋଜନ କରାଯାଇଥିଲା। 

ନବୀନ ପୁଣି ସଭାପତି

ମଳୟ ମହାନ୍ତି, ଭୁବନେଶ୍ୱର: ପୁଣିଥରେ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। କ୍ରମାଗତ ଅଷ୍ଟମ ଥର ପାଇଁ ରାଜ୍ୟ ସଭାପତି ମୁକୁଟ ପିନ୍ଧିଲେ ନବୀନ। ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଶେଷ ଦିନରେ ବିଜେଡି କାର୍ଯ୍ୟାଳୟରେ ବିଶେଷ ଆୟୋଜନ କରାଯାଇଥିଲା। ଦିନ ଠିକ ୧୦ଟାରେ ନବୀନ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ନବୀନଙ୍କ ନାମ ରାଜ୍ୟ ସଭାପତି ଭାବେ ଘୋଷଣା କରିଥିଲେ।  

ଏଥିସହିତ ରାଜ୍ୟ କାର୍ଯ୍ୟକାରିଣୀରୁ ରାଜ୍ୟ ପରିଷଦ ପାଇଁ ନାମାଙ୍କନ କରିଥିବା ୮୦ ଜଣ ନେତାଙ୍କ ନାମ ମଧ୍ୟ ପ୍ରତାପ ଦେବ ପାଠ କରିଥିଲେ। ସଭାପତି ଭାବେ ନବୀନଙ୍କ ନାମ ଘୋଷଣା ପରେ ଦଳୀୟ ନେତା ଏବଂ କର୍ମୀମାନଙ୍କ ପକ୍ଷରୁ ନବୀନଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଦଳର ବରିଷ୍ଠ ନେତାମାନେ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁନର୍ବାର ସଭାପତି ଦାୟିତ୍ୱ ନେବା ପରେ ନବୀନ  ସାଢେ ଚାରି କୋଟି ଓଡିଆଙ୍କୁ ଧନ୍ୟବାଦ ଦେବା ସହ ବିଜେଡି ଭାଇଭଉଣୀମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।  

ନିର୍ବାଚନ ଜିତିବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ଜିତିବା ପାଇଁ ଏମେ ଲଢୁ ଏବଂ ସେମାନଙ୍କ ସେବା କରୁ ବୋଲି ନବୀନ ମଞ୍ଚରୁ କହିଛନ୍ତି। ଏପରିକି ସବୁବେଳେ ସରକାର ଗଢିବା ପାଇଁ ଚିନ୍ତା ନ କରି ଲୋକଙ୍କ ସେବା ପାଇଁ ଚିନ୍ତା କର ବୋଲି ନବୀନ ସଭା ମଞ୍ଚରୁ ଆହ୍ୱାନ ଦେଇଛନ୍ତି।  

ଅନ୍ୟପକ୍ଷରେ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ନେଇ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ସୂଚନା ଦେଇଛନ୍ତି। ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଦାୟିତ୍ୱ ନେବା ପରେ ଦଳର ବରିଷ୍ଠ ନେତାମାନେ ଖୁସିବ୍ୟକ୍ତ କରିଛନ୍ତି। ନବୀନଙ୍କୁ ନେତାମାନେ ଅଭିନନ୍ଦନ ଜଣାଇବା ସହ ସେ ଦଳର ସର୍ବମାନ୍ୟ ନେତା ହୋଇ ରହିଆସିଛନ୍ତି ଏବଂ ରହିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଲୋକମାନେ ନବୀନଙ୍କୁ ୫ମ ଥର ପାଇଁ ଶାସନ କ୍ଷମତାକୁ ଫେରାଇ ବହୁତ ଭଲ ପାଇବା ଦେଇଥିବାରୁ ସେମାନଙ୍କ ସେବାରେ ବ୍ରତୀ ହେବାକୁ ନବୀନଙ୍କ ଆହ୍ୱାନ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ଦଳୀୟ ନେତା କହିଛନ୍ତି।