କେଜ୍ରିୱାଲଙ୍କ ଉପରେ 'କହ୍ନେୟା' ରାଗ ସୁଝାଉଛନ୍ତି ଶାହ !
Advertisement
Article Detail0/zeeodisha/odisha634671

କେଜ୍ରିୱାଲଙ୍କ ଉପରେ 'କହ୍ନେୟା' ରାଗ ସୁଝାଉଛନ୍ତି ଶାହ !

ଦିଲ୍ଲୀ ନିର୍ବାଚନରେ 'କହ୍ନେୟା' ମୁଦ୍ଦା

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏବେ କହ୍ନେୟା କୁମାର ଏକ ବଡ଼ ମୁଦ୍ଦା । ଜେଏନୟୁର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାରଙ୍କୁ ନେଇ ଏବେ ନିର୍ବାଚନୀ ମଇଦାନ ଗର୍ଜୁଛି । ଖୋଦ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହ୍ନେୟାଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନହେବା ନେଇ କେଜ୍ରିୱାଲ ସରକାରଙ୍କୁ ଘେରୁଛନ୍ତି । 

ବାରମ୍ବାର ବିଜେପି ସରକାର ବିରୋଧରେ ବିଷ ଉଗାଳୁଥିବା କହ୍ନେୟା ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଦ୍ଦା ପାଲଟିଛନ୍ତି । ରବିବାର ଶାହ ନିର୍ବାଚନୀ ପ୍ରଚାରରେ କହ୍ନେୟା କୁମାର ପ୍ରସଙ୍ଗ ଉଠାଇଥିଲେ । ଶାହ କହିଥିଲେ, ''କହ୍ନେୟା କୁମାର ଏବଂ ଉମର ଖଲିଦକୁ ମୋଦି ଜୀ ଜେଲରେ ଭର୍ତ୍ତି କରିଥିଲେ । ମାତ୍ର ଯେବେ ଚାର୍ଜସିଟ ଦାଖଲ କରିବାର ସମୟ ଆସିଥିଲା, ସେତେବେଳେ ଦିଲ୍ଲୀ ସରକାରଙ୍କ ଅନୁମତିର ଆବଶ୍ୟକ ଥିଲା । ଦେଢ଼ ବର୍ଷ ହୋଇଗଲାଣି, କେଜ୍ରିୱାଲ ସରକାର ଅନୁମତି ଦେଲେ ନାହିଁ । ମୁଁ ଦିଲ୍ଲୀ ସରକାରଙ୍କୁ ପଚାରି ପଚାରି ଥକ୍କି ଗଲିଣି । ହେଲେ କାହିଁକି ଚାର୍ଜସିଟ ଦାଖଲ ପାଇଁ ଅନୁମତି ଦିଆଯାଉନାହିଁ, ସେ ଉତ୍ତର ମିଳୁନାହିଁ ।''

କହିରଖୁଛୁ ୨ ମାସ ପୂର୍ବରୁ ଅର୍ଥାତ ଗତ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ କହ୍ନେୟା କୁମାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । କହ୍ନେୟା କୁମାରଙ୍କ ରାଜଦ୍ରୋହ ମାମଲାରେ ଚାର୍ଜସିଟ ଦାଖଲ ପାଇଁ ଅଦଲତ ଦିଲ୍ଲୀ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ହାଇକୋର୍ଟଙ୍କ କହିବା କଥା ଥିଲା, ସରକାର ତଥ୍ୟ, ନୀତି, ନିୟମ ଅନୁସାରେ ନିଜେ ହିଁ ଏହାର ନିଷ୍ପତ୍ତି ନେବେ । 

ଅନ୍ୟପଟେ ବିଗତ କିଛି ଦିନ ହେଲା କହ୍ନେୟାଙ୍କ ଟାର୍ଗେଟ ପାଲଟିଛନ୍ତି ଅମିତ ଶାହ । ବିଭିନ୍ନ ସମୟରେ ଶାହଙ୍କୁ ନେଇ କଡ଼ା ଟିପ୍ପଣୀ ଦେଉଛନ୍ତି କହ୍ନେୟା । ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇ ସମ୍ପାଦକ ହେବା ଘଟଣାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ କହ୍ନେୟା କୁମାର । ଜୟ ଶାହଙ୍କ ପାଖରେ ଏମିତି କ'ଣ ଯୋଗ୍ୟତା ଅଛି ଯେ ତାଙ୍କୁ ବିସିସିଆଇ ସମ୍ପାଦକ କରାଗଲା ବୋଲି କହ୍ନେୟା କହିଥିଲେ । ଆଉ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାହ କହ୍ନେୟାଙ୍କୁ ଏକ ମୁଦ୍ଦା କରିଛନ୍ତି । ମନେ ହେଉଛି, କହ୍ନେୟା ରାଗ କେଜ୍ରିୱାଲଙ୍କ ଉପରେ ସୁଝାଉଛନ୍ତି ଶାହ !

ଆହୁରି ପଢ଼ନ୍ତୁ; 'ବିଜେପି ପାଖରେ ଲଣ୍ଡ୍ରି ଓ ଗଙ୍ଗାଜଳ ଅଛି କି, ଯିଏ ଗଲା ପବିତ୍ର ହୋଇଯାଉଛି'