ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମୋତେ ଅଧିକ ଆକର୍ଷିତ କରେ: ଅଭିନେତ୍ରୀ ଅର୍ଚ୍ଚିତା
Trending Photos
ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ବରିଷ୍ଠ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ସମ୍ମାନିତ କରାଯାଇଛି..'ଭିଜା ମାଟିର ସ୍ୱର୍ଗ' ପାଇଁ ମିହିରଙ୍କୁ ଶ୍ରେଷ୍ଠ ଅଭିନେତା ଓ ଚାମ୍ପିୟନ ଫିଲ୍ମ ପାଇଁ ଅର୍ଚ୍ଚିତାଙ୍କ ନାଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । 'ଓ ମାଇଁ ଲଭ୍'ରୁ 'ଚାମ୍ପିୟନ' ପର୍ଯ୍ୟନ୍ତ ଏକ ଲମ୍ୱା ସଫର୍ ଅତିକ୍ରମ କରି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଥିବା ଅର୍ଚ୍ଚିତା ସାହୁଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ପ୍ରଜ୍ଞା ପାରମିତା ପତ୍ରୀ ...
ପ୍ରଶ୍ନ- 'ଚାମ୍ପୟନ' ଚଳଚ୍ଚିତ୍ରକୁ ବାଛିବା ପଛର କାରଣ କ'ଣ ?
ଉତ୍ତର- ଚଳଚ୍ଚିତ୍ରର ଯେତେବେଳେ କାହାଣୀ ମୋତେ ଦିଆଯାଇଥିଲା, ସେତେବେଳେ ଏହି ଚଳଚ୍ଚିତ୍ରରେ କାମ କରିବା ମୋ ପାଇଁ ଖିୁବ୍ ଚ୍ୟାଲେଞ୍ଜିଂ ଥିଲା । କାରଣ କାହାଣୀର ଚରିତ୍ର ଜଣେ ବକ୍ସରର ସଫଳତା ଉପରେ ଆଧାରିତ ଥିଲା । ଆଉ କିଛି ଭିନ୍ନ ଧରଣର ଚରିତ୍ର ଥିବାରୁ ଏହି ଚଳଚ୍ଚିତ୍ର ସାଇନ୍ କରିଥିଲି ।
ପ୍ରଶ୍ନ- ଏସିପି ସାଗରିକା, ଚାମ୍ପିୟନ୍ସ ଭଳି ଭିନ୍ନ ଧରଣର ସିନେମା ବାଛିବା ପଛରେ କିଛି ଭିନ୍ନ ଉଦ୍ଦେଶ୍ୟ ?
ଉତ୍ତର- ମୋତେ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ଭଲ ଲାଗେ । ଆଉ ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମୋତେ ଅଧିକ ଆକର୍ଷିତ କରେ ।
ପ୍ରଶ୍ନ- ପୂର୍ବରୁ ଅର୍ଚ୍ଚିତାଙ୍କ ଯେତିକି ଫିଲ୍ମ ଆସୁଥିଲା, ଏବେ ଅପେକ୍ଷାକୃତ କମ୍ ଆସୁଛି । ଏହାର କାରଣ ?
ଉତ୍ତର- ପୂର୍ବ ଅପେକ୍ଷା ମୁଁ ଅଧିକ ସିଲେକ୍ଟିଭ ହୋଇଯାଇଛି । କାହାଣୀ, ବିଷୟବସ୍ତୁ, ଦର୍ଶକଙ୍କ ଡିମାଣ୍ଡକୁ ନେଇ ମୁଁ ଏବେ କ୍ୱାଲିଟେଟିଭ ଫିଲ୍ମ କରୁଛି; ଯାହା ଦର୍ଶକଙ୍କ ମନକୁ ଛୁଇଁବ । ତେଣୁ ମୁଁ ଭାବିଚିନ୍ତି ଫିଲ୍ମ କରୁଛି ।
ପ୍ରଶ୍ନ- ଓଡ଼ିଆ ସିନେମା ଜଗତରେ ଆପଣ କାହାକୁ ନିଜର ପ୍ରତିଯୋଗୀ ବା କମ୍ପିଟିଟର୍ ବୋଲି ଭାବୁଛନ୍ତି ?
ଉତ୍ତର- ମୁଁ ଭାଗ୍ୟବାନ ଯେ, ଆଜି ଯାଏ ଭଲ ଭଲ ଫିଲ୍ମ ମୋତେ ମିଳୁଛି । ଏତେ ନାୟିକା ଆସିବା ସତ୍ତ୍ୱେ ଆଜି ବି ଦର୍ଶକ ମୋତେ ପୂର୍ବ ଭଳି ଭଲପାଇବା ଦେଉଛନ୍ତି । ଆଉ ମୁଁ ବି ଦର୍ଶକଙ୍କ ପାଇଁ ଫିଲ୍ମ କରୁଛି କାହା ସହ ପ୍ରତିଯୋଗିତା କରୁନି । ମୋତେ କେବଳ ମୋ ସିନେମାରେ ଭଲ ଅଭିନୟ କରିବାର ଅଛି ।
ପ୍ରଶ୍ନ- ବଲିଉଡ ଜଗତରେ ପାଦ ରଖିବା ପାଇଁ କିଛି ପ୍ଲାନିଂ ଅଛି କି ?
ଉତ୍ତର- ପୂର୍ବରୁ ହିଁ ମୋତେ ବଲିଉଡରୁ ଅଫର ଆସି ସାରିଛି । କିନ୍ତୁ ମୁଁ କେବେ ଧ୍ୟାନ ଦେଇ ନାହିଁ । ଆଗ କଥା ଆଗକୁ ଦେଖାଯିବ ।
ପ୍ରଶ୍ନ- ନିକଟରେ 'ଆକାଶେ କି ରଙ୍ଗ ଲାଗିଲା' ସିନେମାକୁ ଦଶ ବର୍ଷ ପୂରିଛି । ଏହି ଦଶ ବର୍ଷ ଭିତରେ ଅର୍ଚ୍ଚିତାଙ୍କ ଭିତରେ କ'ଣ ପରିବର୍ତ୍ତନ ଆସିଛି ?
ଉତ୍ତର- ହଁ, ନିହାତି । ମୋ ଭିତରେ ବହୁ ପରିବର୍ତ୍ତନ ଆସିଛି । ମୁଁ ଏହି ଦଶ ବର୍ଷ ଭିତରେ ଗ୍ରୋ(Grow) କରିଛି ଗ୍ରୁମ(groom)କରିଛି । ଅଭିନୟରେ ବି ଆହୁରି ଅଧିକ ... ଆସିଛି ।
ପ୍ରଶ୍ନ- ରଚନା ଓ ସିଦ୍ଧାନ୍ତ, ବର୍ଷା ଓ ଅନୁଭବ ପରି ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଲୋକେ କେତେ ଦୂର ଗ୍ରହଣ କରୁଛନ୍ତି ?
ଉତ୍ତର- ଗୋଟିଏ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ଏତେ ସହଜ କଥା ନୁହଁ । ଅଭିନେତା ଅଭିନେତ୍ରୀଙ୍କ ପପୁଲାରିଟି ଠୁ ଗୋଟେ ଯୋଡ଼ିକୁ ପପୁଲାରିଟି ମିଳିବା ଅଧିକ କଷ୍ଟ । ଶାହାରୁଖ ଓ କାଜଲ ଅଧିକ ଚଳଚ୍ଚିତ୍ର କରି ନ ଥିଲେ ବି କିଛିଟା ଚଳଚ୍ଚିତ୍ରରୁ ତାଙ୍କ ଯୋଡ଼ି ହିଟ୍ । ସେହିପରି ଯଦି ସବ୍ୟଙ୍କ ସହିତ ମୋ ଯୋଡ଼ିକୁ ଲୋକେ ପସନ୍ଦ କରୁଛନ୍ତି ତେବେ ତାହା ମୋ ପାଇଁ ଏକ ଖୁସିର ବିଷୟ ।