ଇଣ୍ଟେଲେକଚ୍ୟୁଆଲ ଫ୍ୟାକ୍ଟ୍ରିରେ ଆତଙ୍କରାଜ
Advertisement

ଇଣ୍ଟେଲେକଚ୍ୟୁଆଲ ଫ୍ୟାକ୍ଟ୍ରିରେ ଆତଙ୍କରାଜ

ବିଶ୍ୱବିଦ୍ୟାଳୟକୁ ଆମ ଦେଶର ସରକାର ସର୍ବୋତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି । ଦେଶର ସବୁଠୁ ବେଶି ଅମଲା ସହିତ ରାଜନେତା ଓ ସାମାଜିକ କର୍ମୀ ସେହିଠାରୁ ହିଁ ବାହାରିଛନ୍ତି । ହେଲେ ସେହି ଜେଏନୟୁ ଏବେ ପାଲଟିଛି ବାମପନ୍ଥୀଙ୍କ ସଂଗଠିତ ଆତଙ୍କବାଦର ଆଡ୍ଡାସ୍ଥଳୀ ।

ଡିଜାଇନ ଫଟୋ

ବିଭୂତି ପ୍ରସାଦ ଦାସ, ନୂଆଦିଲ୍ଲୀ: ଆତଙ୍କର ରାଜନୀତିରେ ଜଳୁଛି ଦେଶ । ପଲିଟିକ୍ସରେ ପାୱାର ପୋଜିସନକୁ ନେଇ କ୍ଷଣିକ ମଧ୍ୟରେ ହୋଇଯାଉଛି ସର୍ବନାଶ । ସତ୍ତା ମୋହରେ ନିମିଷକରେ ଜଳୁଛି ରାଜନୈତିକ ନିଆଁ । ଗୋଟିଏ ପଟେ ସାରା ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଦେଶରେ ସିଏଏକୁ ନେଇ ଜଳୁଥିଲା ରାଜନୈତିକ ନିଆଁ । ଆଉ ଏବେ ଜେଏନୟୁରେ ଆତଙ୍କବାଦର ହିଂସାକୁ ନେଇ ଜଳୁଛି ସାରା ଦେଶ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ-ପ୍ରତ୍ୟାରୋପ । ଆରମ୍ଭ ହୋଇଯାଇଛି ଲେଫ୍ଟ-ରାଇଟ୍ ଲଢ଼େଇ ।

ସବୁବେଳେ ଛାତ୍ର ଅଶାନ୍ତିକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଜେଏନୟୁରେ ପୁଣି ଦେଖିବାକୁ ମିଳିଛି ହିଂସା । ମୁଖାଧାରୀ ଗୁଣ୍ଡାମାନେ ଛାତ୍ରାବାସରେ ପଶି ପଥର ଫିଙ୍ଗିବା ସହ, ପିଲାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଏନେଇ ତଦନ୍ତ ଜାରି ରହିଥଇବା ବେଳେ, ସାମ୍ନାକୁ ଆସୁଛି ସାଙ୍ଘାତିକ ସତ । ପୂର୍ବରୁ ଆକ୍ରମଣର ଶିକାର ଅଭିଯୋଗ କରୁଥିବା ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ହିଁ, ମୁଖା ପିନ୍ଧା ଆତଙ୍କବାଦ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍ । ହିଂସା କିଏ ଭିଆଇଛି ତାହାର ସୁରାଗ ପୋଲିସ ଖୋଜି ବୁଲିଥିବାବେଳେ, ବର୍ତ୍ତମାନ ଏପରି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଭୁକ୍ତଭୋଗୀ ହିଁ ନିଜେ ଅପରାଧୀ ।

ଅଧିକ ପଢନ୍ତୁ: 'ଜେଏନୟୁ ହିଂସା ମୋତେ ୨୬/୧୧ କଥା ମନେ ପକାଇଛି'

ବହୁତ ଛାତ୍ରଛାତ୍ରୀଙ୍କର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଥାଏ । କାହିଁକି ବା ନ ରହିବ ? କାରଣ ସେହି ବିଶ୍ୱବିଦ୍ୟାଳୟକୁ ଆମ ଦେଶର ସରକାର ସର୍ବୋତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି । ଦେଶର ସବୁଠୁ ବେଶି ଅମଲା ସହିତ ରାଜନେତା ଓ ସାମାଜିକ କର୍ମୀ ସେହିଠାରୁ ହିଁ ବାହାରିଛନ୍ତି । ହେଲେ ସେହି ଜେଏନୟୁ ଏବେ ପାଲଟିଛି ବାମପନ୍ଥୀଙ୍କ ସଂଗଠିତ ଆତଙ୍କବାଦର ଆଡ୍ଡାସ୍ଥଳୀ । ମୁହଁରେ ମୁଖା ପିନ୍ଧି ଆକ୍ରମଣ କରିବା ତ, ଆତଙ୍କବାଦୀମାନଙ୍କ କାମ । ଆହୁରି ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରି ଦରମରା କରିବା ବି ଆତଙ୍କବାଦୀଙ୍କ କାମ । ଯାହା ଜେଏନୟୁ ପରିସରରେ ଘଟିଯାଇଛି । ଏମିତି ଅତର୍କିତ ଆକ୍ରମଣ କରି ଦୁନିଆକୁ କଣ ସୂଚାଇ ଦେବାକୁ ଚାହିଁଛନ୍ତି ? କଣ ଏଇୟା ସୂଚାଇ ଦେବାକୁ ଚାହୁଁଛନ୍ତି କି, ଦେଶରେ ସକ୍ରିୟ ଅଛନ୍ତି ବାମପନ୍ଥୀ ଆତଙ୍କବାଦ ? ସମ୍ବିଧାନ ଓ ଗଣତନ୍ତ୍ରର ଦ୍ୱାହି ଦେଇ ନିଜେ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉନାହାନ୍ତି ତ ? କେବେ ଭାବିଛନ୍ତି କେତେ ଆଲୁଅ, କେତେ ଅନ୍ଧାର ସେମାନଙ୍କ ଭବିଷ୍ୟତ ?

ଅଧିକ ପଢନ୍ତୁ: JNU violence: RSS ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
  
ଏପଟେ ଆଗକୁ ଦିଲ୍ଲୀ ନିର୍ବାଚନ ଥିବାରୁ ରାଜନୀତିର ମୁଦ୍ଦା ପାଲଟିଲାଣି ଜେଏନୟୁ । କାହିଁକି ବା ନହେବ, ଦେଶର ସମସ୍ତ ରାଜନୈତିକ ମୁଦ୍ଦାରେ ଯେଉଁଠି ଜେଏନୟୁର ଭୂମିକା ଥାଏ, ଆଉ ରାଜନୈତିକ ଦଳଗୁଡିକର ମୁଦ୍ଦାରେ ଜେଏନୟୁର ଭୂମିକା କିପରି ନ ରହିବ ? ସେ ଘଟଣା ପୁଣି ଦିଲ୍ଲୀରେ ଘଟିବ ଆଉ ରାଜନୀତି ହେବନି । ଯେହେତୁ ଆଗକୁ ଦିଲ୍ଲୀରେ ନିର୍ବାଚନ ଅଛି ଜେଏନୟୁ ଘଟଣା ରାଜନୈତିକ ଦଳଗୁଡ଼ିକ ପାଇଁ ରାଜନୀତିର ରୋଟି ସେକିବାକୁ ଏକ ବଡ଼ ସୁଯୋଗ ଆଣିଦେଇଛି । କଂଗ୍ରେସ, ଆପ୍, ବାମପନ୍ଥୀ ଦଳଙ୍କ ସହ ମୋଦି ବିରୋଧୀ ଶକ୍ତି ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜେଏନୟୁ ଘଟଣା କେବଳ ରାଜନୀତିର ପରିସୀମା ଭିତରେ ସୀମିତ ନାହିଁ । ଘଟଣାର ପ୍ରତିବାଦରେ ଓହ୍ଲାଇଆସିଛନ୍ତି ବଲିଉଡ଼ ତାରକା ।

ତେବେ ଦୁଃଖର ବିଷୟ ଆମ ଦେଶର କିଛି ସମ୍ବାଦିକ ଓ ବୁଦ୍ଧିଜୀବୀ, ଜେଏନୟୁ ସ୍ଥିତିକୁ ନେଇ ଭାରି ଚିନ୍ତିତ । ଜେଏନୟୁ କଣ ଆମ ଶିକ୍ଷା ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି କି  ? ଜେଏନୟୁକୁ ରାଜନୀତିର ଚରାଭୂମି ଭାବୁଥିବା କିଛି ସେଲ୍ଫ ପ୍ରୋଜେକ୍ଟେଡ ବୁଦ୍ଧିଜୀବୀ ନିଜକୁ କାହିଁକି ଏତେ ମହାନ ଭାବୁଛନ୍ତି ।   କେବଳ ଭାବପ୍ରବଣତା ନୁହେଁ, ବାସ୍ତବତା ଦରକାର । ଯଦି ଦେଖାଯାଏ ଭାରତ ଏବଂ ଭାରତ ବାହାରେ ଜେଏନୟୁର ବିଶେଷ ପରିଚୟ ରହିଛି । ଏପରିକି ଜେଏନୟୁର ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ମତ ପୋଷଣ କରନ୍ତି । କିନ୍ତୁ ଭିନ୍ନମତ ପୋଷଣ ବେଳେ, କିଛି ଛୋଟଛୋଟ ଆତଙ୍କର ପେଣ୍ଡୁଳା ଏହାକୁ ଚପାଇ ଏକଛତ୍ରବାଦ ଶାସନ ଚଳାଇବାରେ ଲାଗିଛନ୍ତି । ତେବେ ସମୟ ଆସିଛି, ଏବେ ଏହାକୁ ଦଳଗତ ନିର୍ବିଶେଷରେ ପ୍ରତିହତ କରିବାର ।