ନିଜ ଦେଶକୁ ଫେରିବେ ବାଂଲାଦେଶ ନାଗରିକ ! ବେଆଇନ ଭାବେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ଫେରାଇ ନେବ ବାଂଲାଦେଶ ।
Trending Photos
ନୂଆଦିଲ୍ଲୀ: ନିଜ ଦେଶକୁ ଫେରିବେ ବାଂଲାଦେଶ ନାଗରିକ ! ବେଆଇନ ଭାବେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ଫେରାଇ ନେବ ବାଂଲାଦେଶ । ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତଥା ଅର୍ଥନୈତିଜ୍ଞ ଅବଦୁଲ ମୋମେନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସେ କହିଛନ୍ତି । ଭାରତ ଉପରେ ଖପ୍ପା ହୋଇ ସେ ତାଙ୍କ ଗସ୍ତ ବାତିଲ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ମୋମେନ ।
ରବିବାର ବାଂଲା ବୈଦେଶିକ ମନ୍ତ୍ରୀ କହିଛନ୍ତି, ''ଭାରତରେ ରହୁଥିବା ବାଂଲାଦେଶ ନାଗରିକଙ୍କ ତାଲିକା ଆମେ ନୂଆଦିଲ୍ଲୀକୁ ମାଗିଛୁ । ଯଦି ନୂଆଦିଲ୍ଲୀ ପାଖରେ ବେଆଇନ ବାଂଲାଦେଶୀ ଶରଣାର୍ଥୀଙ୍କ ତାଲିକା ଅଛି, ଆମକୁ ପ୍ରଦାନ କରୁ । ଆମେ ଆମ ଦେଶର ନାଗରିକଙ୍କୁ ଫେରିବା ପାଇଁ ଅନୁମତି ଦେବୁ । କାହିଁକିନା ସ୍ୱଦେଶ ଫେରିବାର ଅଧିକାର ତାଙ୍କ ପାଖରେ ରହିଛି ।''
ନିକଟରେ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଥିଲେ ବାଂଲାଦେଶ ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ । ନାଗରିକତା ସଂଶୋଧନ ବିଲ ଆସିବା ପରେ ଏଥିରେ ଖପ୍ପା ହୋଇ ସେମାନେ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ମୋମେନ । ସେ ଅନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ । ସେହିପରି ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଓ ସଚିବଙ୍କ ଅନୁପସ୍ଥିତ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା ବୋଲି କହିଛନ୍ତି ମୋମେନ ।
ଆହୁରି ପଢନ୍ତୁ; ଆଇସିୟୁରେ ଅର୍ଥ ବ୍ୟବସ୍ଥା ! ସୁବ୍ରମଣ୍ୟମ କହିଥିଲେ ଯାଇପାରେ, ଚିଦାମ୍ବରମ କହିଲେ ଗଲାଣି