ପ୍ରକୃତିର ସୌନ୍ଦର୍ଯ୍ୟରେ ହଜେଇ ଦେଉଛି ମାଲକାନଗିରର ଏହି ଜଳପ୍ରପାତ
Trending Photos
ଅଶୋକ ମିଶ୍ର, ମାଲକାନଗିରି: ଜିଲ୍ଲାରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ପ୍ରକୃତିର ସମ୍ଭାରରେ ଭରପୁର । ସେଥି ମଧ୍ୟରେ ମାଥିଲି ବନାଞ୍ଚଳ ଅଧୀନରେ ଥିବା ବାଙ୍କୁଲି ଜଳପ୍ରପାତ ଅନ୍ୟତମ । ସୁରମ୍ୟ ଶୋଭାରାଜିରେ ଭରପୁର ଏହି ଜଳପ୍ରପାତ ବେଶ ମନମୁଗ୍ଧକର । ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥାଏ । ଏଠାରେ ଖାସକରି ବଣଭୋଜିର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ।
ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ ତଥା ଜିଲ୍ଲାର ଶେଷ କୋଣ, ସପ୍ତଧାରର ଉପର ପାର୍ଶ୍ୱରେ ଅବସ୍ଥିତ ବାଙ୍କୁଲି ଜଳପ୍ରପାତ । ମାଳମାଳ ପାହାଡ଼ ମଝିରେ ଝରଣା ପର୍ଯ୍ୟଟକକୁ ବେଶ ଆକୃଷ୍ଟ କରେ । ଆଦିବାସୀ ଅଞ୍ଚଳକରେ ଏହି ଜଳପ୍ରପାତ ରହିଥିବା ସତ୍ତ୍ୱେ ଏହି ସ୍ଥାନକୁ ବଣଭୋଜି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପ୍ରକୃତି ପ୍ରେମୀ ଭିଡ଼ ଜମାଇଥାନ୍ତି ।
ବର୍ଷ ତମାମ ବାଙ୍କୁଲିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଏହି ସ୍ଥାନକୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକଲୋଚନକୁ ଆସିପାରୁନାହିଁ ଏହି ସ୍ଥାନ । ରାଜ୍ୟ ତଥା ରାଜ୍ୟବାହାରରୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏହି ସ୍ଥାନ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ବାଙ୍କୁଲି ଜଳପ୍ରପାତର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାର ବିକାଶ ଦିଗରେ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାସହ ଏହି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ହେଉଛି ।
ଆହୁରି ପଢ଼ନ୍ତୁ; ପିଲାଙ୍କ ସ୍ମୃତି ଶକ୍ତି ପାଇଁ...